ବନ୍ଦ ହେବ ଅନ୍ଲାଇନ୍ ଔଷଧ ବିକ୍ରି
ବଦଳି ଇ-ଫାର୍ମାସୀ ନିୟମ: ସରକାର ଆଣିବେ ନୂଆ ଆଇନ
ନୂଆଦିଲ୍ଲୀ (ଏଜେନ୍ସି): ଅନ୍ଲାଇନ୍ ଅର୍ଡର କରି ଘରେ ବସି ଔଷଧ କିଣିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ସହ ଅନ୍ଲାଇନ୍ ମାଧ୍ୟମରେ ଔଷଧ ବିକ୍ରି କରୁଥିବା ମେଡିସିନ୍ କମ୍ପାନୀଙ୍କୁ ଜୋରଦାର ଝଟ୍କା ଲାଗିଛି । କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଏଣିକି ଅନ୍ଲାଇନ୍ ଅର୍ଡର ମାଧ୍ୟମରେ ଔଷଧ କିଣା ବିକା କରାଯାଇପାରିବନି । ଖୁବ୍ଶୀଘ୍ର ଭାରତ ସରକାର ଇ-ଫାର୍ମାସୀ ବ୍ୟବସ୍ଥାକୁ ରଦ୍ଦ କରିବାକୁ ଯାଉଛନ୍ତି ।
ପ୍ରକାଶ, ଇ-ଫାର୍ମାସୀ ବ୍ୟବସ୍ଥା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ୟୁ-ଟର୍ଣ୍ଣ ନେଇଛନ୍ତି । ସିଧାଅର୍ଥରେ କହିଲେ ଇ-ଫାର୍ମାସୀ ବା ଅନ୍ଲାଇନ୍ ଔଷଧ ବିକ୍ରି ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି । ଗତ ମାସରେ ଅନଲାଇନ୍ ଜରିଆରେ ଔଷଧ ବିକ୍ରି ନିୟମକୁ ଉଲ୍ଲଂଘନ କରିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରାୟ ୨ଠ ଟି କମ୍ପାନୀକୁ ନୋଟିସ ଜାରି କରାଯାଇଥିଲା । ତେବେ ଏବେ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଆବଶ୍ୟକ ସ୍ଥଳେ ସଂସଦରେ ନୂଆ ବିଲ୍ ((ନୁ୍ୟ ଡ୍ରଗ୍ସ ମେଡିକାଲ ଡିଭାଇସ ଏବଂ କସ୍ମେଟିକ୍ସ ବିଲ୍ ୨ଠ୨୩) ଆଗତ କିମ୍ବା ପ୍ରଚଳିତ ଆଇନ୍ରେ ସଂଶୋଧନ କରାଯିବା ନେଇ ବିଚାର କରାଯାଉଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଇ-ଫାର୍ମାସୀ ପରିପ୍ରେକ୍ଷୀରେ ରୋଗୀଙ୍କ ତଥ୍ୟର ଗୋପନୀୟତା ପଦାରେ ପଡ଼ିବା ଆଶଙ୍କା ସହ, ବିନା ପ୍ରେସକ୍ରିପସନ୍ରେ ଔଷଧ ବିକ୍ରି ଏବଂ ମନଇଚ୍ଛା ମୂଲ୍ୟ ନିର୍ଦ୍ଧାରଣ ଭଳି ସମସ୍ୟା ସାମ୍ନାକୁ ଆସୁଛି । ତେବେ ଏସବୁ ଅତ୍ୟନ୍ତ ବିପଦ୍ଜନକ । ଅନ୍ୟପକ୍ଷେ ଅନ୍ଲାଇନ୍ ମେଡିସିନ୍ ବିକ୍ରି ଓ କିଣା ପ୍ରକି୍ରୟା ଯୋଗୁ ଖୁଚୁରା ବଜାର ଦୁର୍ବଳ ହେବାରେ ଲାଗିଛି । ପ୍ରକାଶ, ବର୍ତ୍ତମାନ ସୁଦ୍ଧା ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ଗତ ମାସରେ ବଜେଟ୍ ଅଧିବେଶନରେ ଔଷଧର ଅନ୍ଲାଇନ୍ ବିକ୍ରିକୁ ପ୍ରଭାବୀ ଢ଼ଙ୍ଗରେ ନିୟନ୍ତ୍ରଣ କରିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ସରକାର ସୂଚନା ଦେଇଥିଲେ । ଏଥିରୁ ଖୁବ୍ ଶୀଘ୍ର ଏସମ୍ପର୍କିତ ସରକାରୀ ସର୍କୁଲାର ଜାରି କରାଯିବା ନେଇ ଆଶା କରାଯାଉଛି ।