ବଢିÿବ ବିଧାୟକଙ୍କ ଦରମା
ଭୁବନେଶ୍ୱର, ୧୫ା୩ (ବୁ୍ୟରୋ): ଦିନକୁ ଦିନ ଦରଦାମ ବୃଦ୍ଧି ଥମିବାର ନାଁ ଧରୁ ନ ଥିବା ବେଳେ ସେହି ଅନୁପାତରେ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇନାହିଁ । ଅନ୍ୟ ରାଜ୍ୟଗୁଡିକରେ ବିଧାୟକଙ୍କ ଦରମା ବଢିଛି । ଓଡିଶାରେ ବିଧାୟକଙ୍କ ଦରମା ଓ ଆନୁସଙ୍ଗିକ ଭତ୍ତା ବୃଦ୍ଧି ପାଇଁ ବିଧାୟକମାନେ ବାରମ୍ବାର ଦାବି କରିଆସିଛନ୍ତି । ହେଲେ ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ବୁଧବାର ଗୃହରେ ଦଳ ମତ ନିର୍ବିଶେଷରେ ସମସ୍ତ ସଦସ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି । ଗୃହର ଉଦ୍ବେଗକୁ ଦୃଷ୍ଟିରେ ରଖି ଗୃହର ନେତାଙ୍କ ସହ ଆଲୋଚନା କରି ଏସମ୍ପର୍କିତ ବିଲ୍ ବିଧାନସଭାରେ ଆଗତ କରିବା ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରାମ କେଶରୀ ଆରୁଖ ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ବିଧାୟକମାନଙ୍କ ଦରମା ବୃଦ୍ଧି କରାଯାଉ । ସେମାନେ ବହୁତ ଅସୁବିଧାରେ ଅଛନ୍ତି । ଚଳିବା କଷ୍ଟକର ହେଉଛି । ଏସମ୍ପର୍କିତ ବିଲ୍ ଗୃହରେ ଆଗତ କରାଯାଇ ଆଲୋଚନା କରାଯାଉ । ଏଦିଗରେ ସେ ବଚସ୍ପତିଙ୍କ ହସ୍ତକ୍ଷେପ ଲୋଡିÿଥିଲେ ।
ସେପଟେ ନରସିଂହ ମିଶ୍ରଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ ଯେ, ପୂର୍ବତନ ବିଧାୟକମାନେ ଦରମା କମ୍ ପାଇ ବଡ଼ ଅସୁବିଧାରେ ଅଛନ୍ତି । ଏ ବିଷୟରେ ରିପୋର୍ଟ ଦିଆସରିଛି । ଦିଲ୍ଲୀର ବିଧାୟକମାନଙ୍କ ଦରମା ବୃଦ୍ଧି ହୋଇଛି ବୋଲି ମଧ୍ୟ ସେ ଦର୍ଶାଇଥିଲେ । ସେହିଭଳି ନରସିଂହ ମିଶ୍ରଙ୍କ ଉଦ୍ବେଗକୁ ସମର୍ଥନ ଜଣାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମା ଅନୁସନ୍ଧାନ କରାଯାଇଛି । ଦରମା ବୃଦ୍ଧି ସମ୍ପର୍କିତ ବିଲ୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଆଣନ୍ତୁ ବୋଲି ସେ ଦାବି କରିଥିଲେ ।