ତାଳଚେର ଅତି ପ୍ରଦୂଷିତ

ଆଇକୁ୍ୟଏୟାର୍ ରିପୋର୍ଟ
ନୂଆଦିଲ୍ଲୀ, ୧୪ା୩: ଭାରତର ୬୦ ପ୍ରତିଶତ ସହର ବାସଯୋଗ୍ୟ ନୁହେଁ । ପୃଥିବୀର ସର୍ବାଧିକ ୧୦୦ ପ୍ରଦୂଷିତ ସହର ତାଲିକାରେ ରହିଛି ଭାରତର ୬୫ ସହର । ସେଥିରେ ଓଡ଼ିଶାର ତାଳଚେର ଅନ୍ତର୍ଭୁକ୍ତ ।
ଗତବର୍ଷ ୧୩୧ ଦେଶରୁ ସଂଗୃହୀତ ତଥ୍ୟ ଓ ନିଜ ସର୍ଭେ ଆଧାରରେ ସ୍ୱିଜରଲାଣ୍ଡର ‘ଆଇକୁ୍ୟଏୟାର’ ସଂସ୍ଥା ମଙ୍ଗଳବାର ‘ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ’ ପ୍ରକାଶ କରିଛି । ସେଥିରେ ବିଶ୍ୱର ପ୍ରଦୂଷିତ ଦେଶର ତାଲିକା ସ୍ଥାନ ପାଇଛି । ଭାରତର ୬୦ ପ୍ରତିଶତ ସହରର ଅବସ୍ଥା ଭୟଙ୍କର ଏବଂ ଲୋକମାନେ ବିପଜ୍ଜନକ ଅବସ୍ଥାରେ ଜୀବନ ବିତାଉଛନ୍ତି ବୋଲି ଆଇକୁ୍ୟ ଏୟାର ଦର୍ଶାଇଛି ।
ରିପୋର୍ଟରେ କୁହାଯାଇଛି ଯେ, ଦୁନିଆରେ ପ୍ରଦୂଷଣର ସ୍ତର ବିପଜ୍ଜନକ ହେବାରେ ଲାଗିଛି । ଭାରତର ଅବସ୍ଥା ମଧ୍ୟ ଖରାପ । ଭାରତର ୬୦ ପ୍ରତିଶତ ସହର ବାସଯୋଗ୍ୟ ନୁହେଁ । ରିପୋର୍ଟ ଅନୁଯାୟୀ, ଚାଡ୍ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ । ଇରାକ ଦ୍ୱିତୀୟ ପ୍ରଦୂଷିତ ଦେଶ । ପାକିସ୍ତାନ ତୃତୀୟ ଏବଂ ବାହରିନ୍ ଚତୁର୍ଥ ସ୍ଥାନରେ ରହିଛି । ପ୍ରଦୂଷଣ ଦୃଷ୍ଟିରୁ ବାଂଲାଦେଶର ସ୍ଥାନ ପଞ୍ଚମ । ପ୍ରଦୂଷଣ ଦୃଷ୍ଟିରୁ ଭାରତ ଅଷ୍ଟମ ସ୍ଥାନରେ ରହିଛି । ସବୁଠାରୁ ଖରାପ ଖବର ହେଉଛି ଭାରତର ୬୦ ପ୍ରତିଶତ ସହର ଏତେ ଦୂଷିତ ହୋଇଛି ଯେ, ତାହା ରହିବା ଯୋଗ୍ୟ ନୁହେଁ । ସ୍ଥିତିରେ ଉନ୍ନତି ନ ହେଲେ ଲୋକମାନେ ଅନେକ ଗୁରୁତର ରୋଗର ଶିକାର ହେବେ ।
ପାକିସ୍ତାନର ଲାହୋର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି । ଦ୍ୱିତୀୟ ସ୍ଥାନରେ ଚୀନର ହୋଟାନ ଓ ତୃତୀୟ ସ୍ଥାନରେ ରାଜସ୍ଥାନର ଭିୱାଣ୍ଡି ସହର ଅଛି । ତୃତୀୟ ସର୍ବାଧିକ ପ୍ରଦୂଷିତ ସହର ଦିଲ୍ଲୀ । ଅର୍ଥାତ୍ ଭିୱାଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହର । ପଞ୍ଚମ ସ୍ଥାନରେ ପାକିସ୍ତାନର ପେଶୱାର ରହିଥିବା ସ୍ଥଳେ ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛି ଯଥାକ୍ରମେ ବିହାରର ଦରଭଙ୍ଗା ଓ ଆସୋପୁର ।
ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀ ସବୁଠାରୁ ଦୂଷିତ ସହର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମଗ୍ର ବିଶ୍ୱରେ ଦିଲ୍ଲୀ ହେଉଛି ୪ ନମ୍ବର ସବୁଠାରୁ ପ୍ରଦୂଷିତ ମହାନଗର । ଦିଲ୍ଲୀ ତଳକୁ ରହିଛି କୋଲକାତା । ସେହିପରି ତୃତୀୟ ସ୍ଥାନରେ ରହିଛି ମୁମ୍ବାଇ ।
ଭାରତୀୟ ସହରଗୁଡିକର ହାରାହାରି ପଟିକୁଲେଟ୍ ମାଟେର ବା କଣିକା ତତ୍ତ୍ୱ ୨.୫, ୫୩.୩ ମାଇକ୍ରୋଗ୍ରାମ୍ ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷିତ ସୀମା ଠାରୁ ୧୦ଗୁଣ ଅଧିକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *