ସିଗ୍ନେଚର ବ୍ୟାଙ୍କରେ ତାଲା
ସିଲିକନ୍ ଭ୍ୟାଲି ପରେ ଆଉ ଏକ ୟୁୂଏସ୍ ବ୍ୟାଙ୍କ୍ ବନ୍ଦ
ୱାଶିଂଟନ୍ (ଏଜେନ୍ସି): ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି) ପରେ ଏବେ ଆମେରିକାର ଆଉ ଏକ ବ୍ୟାଙ୍କ୍ରେ ତାଲା ଝୁଲିଛି । ପ୍ରାପ୍ତ ସୂଚନାନୁସାରେ ଆମେରିକୀୟ ବ୍ୟାଙ୍କ୍ ସିଗ୍ନେଚର ବ୍ୟାଙ୍କ୍କୁ ଅସ୍ଥାୟୀ କାଳ ପାଇଁ ବନ୍ଦ କରିଦିଆଯାଇଛି । ସିଗ୍ନେଚର ବ୍ୟାଙ୍କ ନିକଟରେ ପ୍ରଚୁର ପରିମାଣରେ କ୍ରିପ୍ଟୋକରେନ୍ସି ମହଜୁଦ୍ ଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ବ୍ୟାଙ୍କକୁ କିଛି ଦିନ ପାଇଁ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ପ୍ରକାଶ, ସିଗ୍ନେଚର ବ୍ୟାଙ୍କ୍ ନୁ୍ୟୟର୍କର ଅନ୍ୟତମ ବଡ଼ ବିତ୍ତୀୟ ପ୍ରତିଷ୍ଠାନ । ଏହି ବ୍ୟାଙ୍କ ବିଶେଷ ଭାବେ ରିଅଲ ଇଷ୍ଟେଟ୍ କମ୍ପାନିଗୁଡ଼ିକୁ ଋଣ ପ୍ରଦାନ କରିଥାଏ । ତେବେ ବେଶ୍ କିଛି ସମୟ ଧରି ବ୍ୟାଙ୍କ୍ ପକ୍ଷରୁ କ୍ରିପ୍ଟୋ କରେନ୍ସିକୁ ପ୍ରୋତ୍ସାହନ ଦିଆଯିବା ପରିପ୍ରେକ୍ଷୀରେ ବ୍ୟାଙ୍କ୍ ନିକଟରେ ପର୍ଯ୍ୟାପ୍ତ ପରିମାଣର କ୍ରିପ୍ଟୋ କରେନ୍ସି ଜମା ହୋଇଯାଇଥିଲା । ତେବେ, ଆମେରିକୀୟ ବ୍ୟାକିଂ ରେଗୁଲେଟୋରୀ ଅର୍ଥାତ୍ ନିୟାମକ ଏସମ୍ପର୍କରେ ନିଦେ୍ର୍ଦଶ ପରେ ବ୍ୟାଙ୍କ ପକ୍ଷରୁ ଏହାର ସେବା ବନ୍ଦ ରଖାଯାଇଛି ।
ନିୟାମକ ସଂସ୍ଥା ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସ୍ପଷ୍ଟୀକରଣ ଅନୁସାରେ ନିର୍ଦ୍ଦିଷ୍ଟ ଲିମିଟ୍ ଠାରୁ ଅଧିକ ପରିମାଣର କ୍ରିପ୍ଟୋକରେନ୍ସି ଠୁଳ ହେବା ଦେଶର ବିତ୍ତୀୟ ବ୍ୟବସ୍ଥା ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିପାରେ । ବ୍ୟାଙ୍କ ଖୋଲା ରହିଲେ ଏହି ଆଶଙ୍କା ଅଧିକ ବଢ଼ିବାର କାରଣ ସାଜିପାରେ । ସୁତରାଂ ବ୍ୟାଙ୍କ୍ସେବାକୁ ଏବେ ବର୍ତ୍ତମାନ ସମୟ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷେ ନୁ୍ୟୟର୍କ ଷ୍ଟେଟ୍ର ଆର୍ଥିକ ସେବା ବିଭାଗ ଅନୁସାରେ, ଫେଡେରାଲ ଡିପୋଜିଟ୍ ଇନ୍ସୁ୍ୟରାନ୍ସ କର୍ପୋରେଶନ ସିଗ୍ନେଚର ବ୍ୟାଙ୍କ୍କୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ପ୍ରକାଶ, ବ୍ୟାଙ୍କ ନିକଟରେ ଗତବର୍ଷ ଶେଷ ସୁଦ୍ଧା ୧୧,ଠ୩୬ କୋଟି ଡଲାରର ସମ୍ପତ୍ତି ଥିଲା । ସୂଚନାଯୋଗ୍ୟ, ସିଲିକନ୍ ଭ୍ୟାଲି ବ୍ୟାଙ୍କ୍ ନିକଟରେ ୨ଠ୨୧ରେ ୧୮,୯ଠଠ କୋଟି ଡଲାରର ଜମା ପୁଞ୍ଜି ରହିଥିଲା । ବ୍ୟାଙ୍କ ଗତ ଦୁଇ ବର୍ଷରେ ଗ୍ରାହକଙ୍କ ଟଙ୍କାରେ ବହୁ କୋଟି ଡଲାରର ବଣ୍ଡ୍ କିଣିଥିଲା । ହେଲେ ଏହି ନିବେଶରେ ବ୍ୟାଙ୍କକୁ ଆଶାନୁରୂପକ ରିଟର୍ଣ୍ଣ ମିଳି ନଥିଲା । ପରେ ଫେଡେରାଲ ରିଜର୍ଭ ଟେକ୍ କମ୍ପାନିଗୁଡ଼ିକ ପାଇଁ ସୁଧ ହାରରେ ବୃଦ୍ଧି କରିବା ଫଳରେ ସ୍ଥିତି ଅଧିକ ବିଗିଡ଼ିଥିଲା । ଶେଷରେ ବ୍ୟାଙ୍କ୍ ଏବେ ଦେବାଳିଆ ଘୋଷିତ ହୋଇଯାଇଛି ।