କଣ୍ଟକିତ ହାତ ହତିଆର କିଣୁଛି ଚୀନ୍

ଗଲୱାନ୍ ସଂଘର୍ଷର ପୁନରାବୃତ୍ତି ଆଶଙ୍କା: ଗୁଇନ୍ଦା ରିପୋର୍ଟ
ନୂଆଦିଲ୍ଲୀ/ ବେଜିଂ (ଏଜେନ୍ସି): ଚୀନ୍ ଏବେ ପୁଣିଥରେ ଗଲୱାନ୍ ସଂଘର୍ଷ ଭଳି ଆଉ ଏକ ସଂଘର୍ଷ ପାଇଁ ବୋଧହୁଏ ପ୍ରସ୍ତୁତି ଚଳାଇଛି । ୨ଠ୨ଠ ଅର୍ଥାତ୍ ୩ ବର୍ଷ ପୂର୍ବେ ଗଲୱାନ ଘାଟିରେ ଭାରତୀୟ ସେନା ସହ ମୁହାଁମୁହିଁ ପରିସ୍ଥିତି ସମୟରେ ଚୀନ୍ ସେନା ଯେଉଁସବୁ ଉପକରଣର ବ୍ୟବହାର କରିଥିଲା ଏବେ ପୁଣିଥରେ ସେହି ପ୍ରକାର ହାତ ହତିଆର ବିପୁଳ ପରିମାଣରେ କିଣୁଥିବା ଗୁଇନ୍ଦା ସୂଚନା ମିଳିଛି । ପ୍ରକାଶ, ଏହା ଅତ୍ୟନ୍ତ ଶାଣିତ ତଥା କଣ୍ଟାଯୁକ୍ତ ହତିଆର ହୋଇଥିବା ବେଳେ ଏହାକୁ ଚୀନ୍ ସେନା ଗଲୱାନ୍ ସଂଘର୍ଷରେ ଭାରତୀୟ ସେନାଙ୍କ ବିରୋଧରେ ଏହାକୁ ବ୍ୟବହାର କରିଥିଲେ । ବେସବଲ୍ ବ୍ୟାଟ୍ରେ ଲୁହାର କଣ୍ଟା ଲଗାଯାଇଥିବା ଏହି ହତିଆରକୁ ଏବେ ପୁଣିଥରେ ଚୀନ୍ ସେନା ବ୍ୟାପକ ପରିମାଣରେ କିଣିବା ସହ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳ ଅର୍ଥାତ୍ ଲଦାଖ ନିୟନ୍ତ୍ରଣ ରେଖା ଠାରେ ମୁତୟନ ସେନାଙ୍କୁ ଦେବା ପାଇଁ ଯୋଜନା ଚଳାଇଛନ୍ତି ।
ଗୁଇନ୍ଦା ଏଜେନ୍ସି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ରିପୋର୍ଟ ଅନୁଯାୟୀ, ନିକଟରେ ଚୀନ୍ ନିଜ ସେନା ପାଇଁ ୨୬,ଠଠଠ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଗାଇଛି, ଯେଉଁଥିରେ ଲୁହାନିର୍ମିତ କଣ୍ଟା ଲାଗିଛି । ଚୀନ୍ ବେସବଲ୍ ବ୍ୟାଟ୍ ଆକାରର ଏହି ନୂଆ ଅସ୍ତ୍ରଶସ୍ତ୍ରକୁ ତିଆରି କରିଛି । ଗଲୱାନ ସଂଘର୍ଷରେ ମଧ୍ୟ ଚୀନ୍ର ଡ୍ରାଗନ୍ ସେନା ଭାରତୀୟ ଯବାନ୍ଙ୍କ ବିରୋଧରେ ସମାନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା । ଅପରପକ୍ଷେ ଭାରତୀୟ ସେନା କେବଳ ପଥରର ବ୍ୟବହାର କରି ଚୀନ୍ ସେନାଙ୍କୁ ମୁକାବିଲା କରିଥିଲେ । ତେବେ ଚୀନ୍ ଖୁବଶୀଘ୍ର ଏହି ଅସ୍ତ୍ରଶସ୍ତ୍ରକୁ ନିଜ ସେନାକୁ ଯୋଗାଇ ଦେବ ବୋଲି ଅନୁମାନ କରାଯାଉଛି । ସୂଚନାଯୋଗ୍ୟ, ଗଲୱାନ ସଂଘର୍ଷକୁ ଇତି ମଧ୍ୟରେ ତିନିବର୍ଷ ହୋଇଥିଲେ ବି ଦୁଇ ଦେଶର ସେନା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଏବେ ବି ମହଜୁଦ୍ ରହିଛନ୍ତି । ଇତିମଧ୍ୟରେ ଭାରତ-ଚୀନ୍ ମଧ୍ୟରେ ପ୍ରାୟ ୧୭ ରାଉଣ୍ଡ ଆଲୋଚନା ହୋଇଛି ଏବଂ କେତେକ ଅଞ୍ଚଳରୁ ଉଭୟ ରାଷ୍ଟ୍ର ନିଜ ସେନାକୁ ପ୍ରତ୍ୟାହାର ମଧ୍ୟ କରାଇଛନ୍ତି । ଏହା ସତ୍ତ୍ୱେ ଚୀନ୍ ପୁଣି ଥରେ ଆଉ ଏକ ସଂଘର୍ଷ ପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଦେଇଛି ।
ଅନ୍ୟପକ୍ଷେ ଚୀନ୍ ସୋସିଆଲ ମିଡିଆରେ ମଧ୍ୟ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ଚୀନ୍ ସେନାର ଜଣେ ଯବାନ ଏହି ଧରଣର ଏକ କଣ୍ଟକିତ ହତିଆରକୁ ଧରି ଯାଉଥିବା ଦେଖିବାକୁ ମିଳିଛି । ଚୀନ୍ ସେନା ଏହି କୋଲ୍ଡ ୱିପନ୍ ବା ମାରଣାସ୍ତ୍ରକୁ କମ୍ବାଇନ୍ଡ ମେସ୍ ଭାବେ ଅଭିହିତ କରୁଛନ୍ତି । ଇଣ୍ଡିଆ ଟୁ-ଡେ ରିପୋର୍ଟ ଅନୁସାରେ ଚୀନ୍ ହୁଏତ ଭାରତ-ଚୀନ୍ ବର୍ଡରରେ ଶାନ୍ତି ସ୍ଥାପନା କରିବା ପାଇଁ ପ୍ରୟାସ କରୁଥିବା ଦେଖେଇ ହେଉଛି କିମ୍ବା ଜ-୨ଠ ଜରିଆରେ ଭାରତ ସହ କୂଟନୈତିକ ସମ୍ପର୍କକୁ ସୁଧାରିବାର ଛଳନା କରୁଥାଇପାରେ କିନ୍ତୁ ଚୀନ୍ ଯେ, ଗଲୱାନ୍ ଘାଟିରେ ମୁତୟନ ନିଜ ସେନା ପାଇଁ ପର୍ଯ୍ୟାପ୍ତ ପରିମାଣର ହ୍ୟାଣ୍ଡ କମ୍ବାଟ୍ ୱିପନ୍ କ୍ରୟ କରୁଛି ତାହାକୁ ଅଣଦେଖା କରାଯାଇପାରିବନି । ସାମରିକ ବିଶେଷଜ୍ଞମାନେ ମଧ୍ୟ ଚୀନ୍ର ଏହି ନୀତିକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି । ଗଲୱାନ୍ କିମ୍ବା ଆଖପାଖ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚୀନ୍ ସେନା ପୁନର୍ବାର ଗଲୱାନ୍ ଭଳି ସାମରିକ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ତେବେ ଏପ୍ରକାର ଏକ ଗୁଇନ୍ଦା ରିପୋର୍ଟ ଆସିବା ପରେ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଚୀନ୍ ସେନାକୁ ତା’ ଭାଷାରେ ଜବାବ ଦେବାକୁ ଭାରତୀୟ ସେନା ଯୋଜନା କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *