ଆଶା, ମୋଦି ଏହାର ଶ୍ରେୟ ନେବେନି
ଓସ୍କାର ସମ୍ମାନ ନେଇ ରାଜନୀତି: ଖର୍ଗେଙ୍କ ତାଚ୍ଛଲ୍ୟ
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଥମ ଥର ପାଇଁ ୨ଟି ଦୁଇଟି ଓସ୍କାର ସମ୍ମାନ ହାତେଇବା ସଫଳ ହୋଇଛି ଭାରତୀୟ ଚଳଚ୍ଚିତ୍ର । ବେଷ୍ଟ ଓରିଜିନାଲ ସଙ୍ଗ୍ କ୍ୟାଟାଗୋରୀରେ ଆର୍ଆର୍ଆର୍ ଫିଲ୍ମର ନାଟୁ ନାଟୁ ଗୀତ ଏବଂ ବେଷ୍ଟ ଡକୁ୍ୟମେଣ୍ଟାରୀ କ୍ୟାଟାଗୋରୀରେ ‘ଦ ଏଲିଫ୍ୟାଣ୍ଡ ହ୍ୱିସପରର୍ସ’କୁ ଏହି ସମ୍ମାନ ମିଳିଛି । ତେବେ ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବା ବେଳେ ଏବେ ଏହାକୁ ନେଇ ରାଜନୀତିରେ ପ୍ରତିପକ୍ଷଙ୍କୁ ସମାଲୋଚନା ତଥା କଟାକ୍ଷ ଆରମ୍ଭ ହୋଇଯାଇଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ୨ୟ ଦିନରେ ରାଜ୍ୟସଭା ସାଂସଦ ତଥା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାକୁ ଯାଇ କହିଛନ୍ତି, ଆଶା କରୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ତାଙ୍କ ସରକାର ଓସ୍କାର ସମ୍ମାନ ମିଳିବାର ଶ୍ରେୟ ନିଜେ ନେବେନି ।
ଖର୍ଗେ ଗୃହରେ ନିଜ ଅଭିଭାଷଣ ରଖିବା ବେଳେ ଏହି ଦୁଇ ଚଳଚ୍ଚିତ୍ରର ନିର୍ମାତା ଏବଂ ନିଦେ୍ର୍ଦଶକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଖର୍ଗେ କହିଛନ୍ତି, ମୋଦି ସରକାର ସବୁ ଭଲ କାମର ଶ୍ରେୟ ନିଜେ ନେବାକୁ ଚେଷ୍ଟା କରୁଛି । ଏବେ ଯେତେବେଳେ ଭାରତୀୟ ସିନେମା ଓସ୍କାର ସମ୍ମାନ ଜିତିବାରେ ସଫଳ ହୋଇଛି ତାହାର ଶ୍ରେୟ ମଧ୍ୟ ମୋଦି ଏବଂ ତାଙ୍କ ସରକାର ନେବାକୁ ଚେଷ୍ଟା କରୁଛନ୍ତି, ଏହା ଉଚିତ୍ ନୁହେଁ । ବିଜେପି ଏପରି କହି ନବୁଲୁ, ଦଳ ଏହି ଫିଲ୍ମର କାହାଣୀ ଲେଖିଛି, ସଂଗୀତ ନିଦେ୍ର୍ଦଶନା ଦେଇଛୁ ଏବଂ ସର୍ବୋପରି ମୋଦି ଏହାର ନିଦେ୍ର୍ଦଶନା ଦେଇଛନ୍ତି । ପ୍ରକାଶ, ଖର୍ଗେଙ୍କ ଏଭଳି ମନ୍ତବ୍ୟ ଶୁଣି ବିରୋଧୀ ଓ ସରକାରୀ ଦଳର ସଦସ୍ୟମାନେ ନିଜ ହସକୁ ରୋକିପାରିନଥିଲେ । ଏପରିକି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଗୃହର ନେତା ପୀୟୂଷ ଗୋଏଲ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ଶ୍ରମମନ୍ତ୍ରୀ ଭୂପିନ୍ଦର ଯାଦବ ଜୋର ଜୋର ହସିଥିଲେ । ପ୍ରକାଶ, ଖର୍ଗେଙ୍କ ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ରାଜ୍ୟସଭାରେ ଆରଆରଆର ଫିଲ୍ମର କାହାଣୀ ଲେଖକ ବିଜୟେନ୍ଦ୍ର ପ୍ରସାଦଙ୍କୁ ନେଇ କିଛି ତଥ୍ୟ ରଖିଥିଲେ । ପୀୟୂଷ କହିଥିଲେ ଯେ, ବିଜୟେନ୍ଦ୍ର ପ୍ରସାଦଙ୍କୁ ମୋଦି ସରକାର ସଂସଦରେ ମନୋନୀତ କରିଥିଲେ । ଏବେ ତାଙ୍କର ଏହି ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ସଦସ୍ୟ । ଖର୍ଗେଙ୍କ ବ୍ୟତୀତ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଏହା ଏକଜୁଟ୍ ହୋଇ ଖୁସି ମନାଇବାର ସମୟ । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଯେଉଁଭଳି ଗୃହରେ ବୟାନ ଦେଲେ ତାହା ବିଜେପିର ସଙ୍କୁଚିତ ମାନସିକତାକୁ ଦର୍ଶାଉଛି । ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ ମଧ୍ୟ ଗୃହରେ ଅଧ୍ୟକ୍ଷତା କରିବା ଅବକାଶରେ ଦୁଇ ସିନେମାର ସଫଳତାକୁ ନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।