୪୨ କେଜି ଗଞ୍ଜେଇ ଜବତ

ଅବକାରୀ କନେଷ୍ଟବଳଙ୍କ ଘରୁ
ରାୟଗଡ଼ା, ୧୪ା୩ (ଆପ୍ର): ଅବକାରୀ ବିଭାଗର କାର୍ଯ୍ୟ କାହାକୁ ଅଛପା ନୁହେଁ । ବିଭାଗ ରହିଛି ନିଶା କାରବାର ରୋକିବା ପାଇଁ । କିନ୍ତୁ ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଖୋଦ୍ ରକ୍ଷକ ସାଜିଛି ଭକ୍ଷକ । ଅବକାରୀ ବିଭାଗରେ କନେଷ୍ଟବଳ ଚାକିରୀକୁ ଢାଲ କରି ଚାଲିଛି ଗଞ୍ଜେଇ ବେପାର । ଯାହାର ଖୁଲାସା କରିଛି ରାୟଗଡ଼ ପୁଲିସ । ସମ୍ପୃକ୍ତ କନେଷ୍ଟବଳ ଜଣକ ହେଲେ ଦୀପକ ପାଣିଗ୍ରାହୀ । ଏଥିସହ କନେଷ୍ଟବଳ ଦୀପକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ ସୁପାରିଶ କରିଛି ଅବକାରୀ ବିଭାଗ ।
ଘଟଣାରୁ ପ୍ରକାଶ ଯେ, ଅବକାରୀ କନେଷ୍ଟବଳ ଦୀପକ ନିଜର କସ୍ତୁରୀନଗର ସ୍ଥିତ ଘରେ ଗଞ୍ଜେଇ ରଖିଥିବା ନେଇ ପୁଲିସ ଖବର ପାଇଥିଲା । ରାୟଗଡ଼ା ଥାନା ପୁଲିସ ଖବର ପାଇ ସ୍ୱତନ୍ତ୍ର ସ୍କ୍ୱାର୍ଡ ସହାୟତାରେ ତାଙ୍କ ଘରେ ଚଢ଼ାଉ କରିବା ବେଳେ ଘରେ ଗଚ୍ଛିତ ଥିବା ଗଞ୍ଜେଇ ଜବତ କରି ଦୀପକଙ୍କୁ ପୁଲିସ ଥାନାକୁ ଆଣି ତଦନ୍ତ ବେଳେ ସେ ନିଜେ ଗଞ୍ଜେଇ ରଖିଥିବା ସ୍ୱୀକାର କରିଥିଲେ । ମାଜିଷ୍ଟ୍ରେଟ ତଥା ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବା ବେଳେ ତାହା ୪୨.୨୪୦ କେଜି ରହିଥିବା ଜଣାପଡ଼ିବା ପରେ କନେଷ୍ଟବଳ ଦୀପକକୁ ଗିରଫ କରି କେସ୍ ନମ୍ବର ୮୪ରେ କୋର୍ଟ ଚାଲାଣ ହୋଇଥିବା ଆଇଆଇସି କେ. କେ. ବି. କେ. କହଁର ସୂଚନା ଦେଇଛନ୍ତି । ଅପରପକ୍ଷେ ପୁଲିସ ଠାରୁ ସୂଚନା ପାଇ କନେଷ୍ଟବଳ ଦୀପକ ପାଣିଗ୍ରାହୀଙ୍କୁ ଚାକିରୀରୁ ନିଲମ୍ବନ କରିବାକୁ ଜିଲ୍ଲାପାଳଙ୍କ ଜରିଆରେ ସୁପାରିଶ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପୁଲିସ ଠାରୁ ଲିଖିତ ଭାବେ ସୂଚନା ମିଳିବା ପରେ ଅବକାରୀ କମିଶନର ଆଶିଷ ସିଂଙ୍କ ନିଦେ୍ର୍ଦଶ କ୍ରମେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *