ଜର୍ମାନୀ ସହ ହିସାବ ବରାବର କଲା ଅଷ୍ଟ୍ରେଲିଆ

ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ୨୦୨୨-୨୩
ରାଉରକେଲା, ୧୪ା୩ (ଆପ୍ର): ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ରେ ମଙ୍ଗଳବାର ଜର୍ମାନୀକୁ ୨-୧ ଗୋଲ୍ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହି ବିଜୟ ସହ କଙ୍ଗାରୁ ଟିମ୍ ବିଶ୍ୱ ବିଜେତା ଠାରୁ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେଇଛି । ଅଷ୍ଟ୍ରେଲିଆର ଜାକେ ହ୍ୱିଟନ୍ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଟେବୁଲ୍ରେ ଅଷ୍ଟ୍ରେଲିଆ ସାତ ମ୍ୟାଚ୍ରୁ ଦ୍ୱିତୀୟ ବିଜୟ ସହ ମୋଟ୍ ୭ ପଏଣ୍ଟ ପାଇ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି । ଅନ୍ୟପଟେ, ଜର୍ମାନୀ ଆଠ ମ୍ୟାଚ୍ରୁ ଚତୁର୍ଥ ପରାଜୟ ସହ ୧୧ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଛି । ବୁଧବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଶେଷ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।
ଅଷ୍ଟ୍ରେଲିଆ ପକ୍ଷରୁ ହ୍ୱିଟନ୍ (୧୨ତମ ମିନିଟ୍) ଓ ଜ୍ୟାକ୍ ୱେଲ୍ଚ (୧୫ତମ) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଜର୍ମାନୀ ପକ୍ଷରୁ ଗୋଞ୍ଜାଲୋ ପିଲାଟ୍ (୨୩ତମ) ମିନିଟ୍ରେ ଏକମାତ୍ର ଗୋଲ୍ କରିଥିଲେ । ମ୍ୟାଚ୍ରେ ମୋଟ୍ ନଅ ପେନାଲ୍ଟି କର୍ଣ୍ଣର ହୋଇଥିଲା । ଅଷ୍ଟ୍ରେଲିଆ ପାଞ୍ଚ ଓ ଜର୍ମାନୀ ଚାରି ପିସି ପାଇଥିଲା ଏବଂ ଉଭୟ ଗୋଟିଏ ଲେଖାଏଁ ପିସିର ସଦୁପଯୋଗ କରିଥିଲେ ।
ଆକ୍ରମଣାତ୍ମକ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ମ୍ୟାଚ୍ର ପ୍ରଥମ ମିନିଟ୍ରେହିଁ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, ହେଲେ ଏହା ନିଷ୍ଫଳ ହୋଇଥିଲା । ତେବେ ୧୨ତମ ମିନିଟ୍ରେ ହ୍ୱିଟନ୍ ଏକ ଫିଲ୍ଡ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ଅଗ୍ରଣୀ କରିଥିଲେ । ଇତ୍ୟବସରେ ଜର୍ମାନୀର ଟମ୍ ଗ୍ରାମ୍ବୁସ୍କଙ୍କୁ ରେଫରୀ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରିଥିଲେ । ୧୪ତମ ମିନିଟ୍ରେ ଅଷ୍ଟ୍ରେଲିଆକୁ କ୍ରମାଗତ ଦୁଇଟି ପିସି ମିଳିଥିଲା । ଦ୍ୱିତୀୟ ପିସିରୁ ଗୋଲ୍ କରିଥିଲେ ୱେଲ୍ଚ । ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା କଙ୍ଗାରୁ ଟିମ୍ ୨-୦ରେ ଆଗରେ ରହିଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ପ୍ରତ୍ୟାବର୍ତ୍ତନ କରିବାକୁ ଜୋର୍ଦାର ପ୍ରୟାସ କରିଥିଲା ଜର୍ମାନୀ । ଫଳସ୍ୱରୂପ, ଟିମ୍ ୨୩ତମ ମିନିଟ୍ରେ କ୍ରମାଗତ ଦୁଇଟି ପିସି ହାସଲ କରିଥିଲା । ଦ୍ୱିତୀୟ ପିସିକୁ ଗୋଲ୍ରେ ପରିଣତ କରି ପିଲାଟ୍ ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲେ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ଲାଇନ୍ ଅଷ୍ଟ୍ରେଲିଆ (୨-୧) ସପକ୍ଷରେ ରହିଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଲଢ଼େଇର ତୀବ୍ରତା ବଢ଼ିଥିଲା । ୪୧ତମ ମିନିଟ୍ରେ ଜର୍ମାନୀ ଓ ୪୫ତମ ମିନିଟ୍ରେ ଅଷ୍ଟ୍ରେଲିଆ ପିସି ଜିତିଥିଲା, କିନ୍ତୁ କୌଣସିଟି କାହାର କାମରେ ଆସି ନ ଥିଲା ।
୨-୧ ଅଗ୍ରଣୀ ସହ ଅଷ୍ଟ୍ରେଲିଆ ଅନ୍ତିମ କ୍ୱାର୍ଟରରେ ପହଞ୍ଚିଥିଲା । ୪୭ତମ ମିନିଟ୍ରେ ଅଷ୍ଟ୍ରେଲିଆ ପଞ୍ଚମ ପିସି ହାସଲ କରିଥିଲା, କିନ୍ତୁ ଏଥିରୁ ଗୋଲ୍ ହୋଇ ନ ଥିଲା । ଏହାର ତିନି ମିନିଟ୍ ପରେ ଟିମ୍ର ଜାକେ ହାର୍ଭିଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା ।
ଏହାପରେ ପ୍ରତ୍ୟାବର୍ତ୍ତନ ପ୍ରୟାସରେ ଜର୍ମାନୀ ୫୩ତମ ମିନିଟ୍ରେ ଗୋଟିଏ ପିସି ପାଇଥିଲେହେଁ ଏହାକୁ କାମରେ ଲଗାଇପାରି ନ ଥିଲା । ଏହାର କିଛି ସମୟ ପରେ ଟିମ୍କୁ ଡବଲ୍ ଝଟ୍କା ଲାଗିଥିଲା । ୫୬ତମ ମିନିଟ୍ରେ ନିକଲାସ୍ ବୋସେର୍ହୋଫ୍ଙ୍କୁ ଗ୍ରୀନ୍ କାର୍ଡ ଓ ୫୭ତମ ମିନିଟ୍ରେ ଟିଓ ହିନରିଚ୍ସଙ୍କୁ ୟେଲୋ କାର୍ଡ ଦେଖାଇଥିଲେ ରେଫରୀ । ଶେଷ ଯାଏଁ ଜର୍ମାନ୍ ଟିମ୍ ଦ୍ୱିତୀୟ ଗୋଲ୍ ପରିଶୋଧ କରିପାରି ନ ଥିଲେ ଏବଂ ଅଷ୍ଟ୍ରେଲୀୟ ଟିମ୍ ୨-୧ରେ ବିଜୟୀ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *