ଜଙ୍ଗଲ ନିଆଁ ବେକାବୁ, ଗୃହରେ ଉଦ୍ବେଗ

ଭୁବନେଶ୍ୱର, ୧୪ା୩ (ବୁ୍ୟରୋ): ଜଙ୍ଗଲ ନିଆଁକୁ ନେଇ ମଙ୍ଗଳବାର ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନେ ଘୋର୍ ଉଦ୍ବେଗ ପ୍ରକାଶ କରିଛନ୍ତି । ପ୍ରଶ୍ନ କାଳରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ କହିଲେ, ସାରା ରାଜ୍ୟରେ ଜଙ୍ଗଲ ଜଳୁଥିବାବେଳେ ମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି । ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବି ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ସମାନ ପ୍ରଶ୍ନ କରିଥିଲେ ।
ବିରୋଧୀଙ୍କ ଏହି ପ୍ରସଙ୍ଗରେ ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଲେ, ରାଜ୍ୟରେ କେତେକ ସ୍ଥାନରେ ନିଆଁ ଲାଗିଛି । ସାଟେଲାଇଟ୍ରୁ ଯାହା ରିପୋର୍ଟ ଆସୁଛି, ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି । ଧାନ କାଟିବା ପରେ ବିଲରେ ଯାହା ବଳକା ରହିଯାଉଛି ସେଥିରେ ଚାଷୀମାନେ ନିଆଁ ଲଗେଇ ଦେଉଛନ୍ତି । ଏହି କାରଣରୁ ସାଟେଲାଇଟ୍ରେ ଅଧିକ ନିଆଁ ଲାଗିଥିବାର ଚିତ୍ର ଆସୁଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତା’ର ୯୮ ପ୍ରତିଶତକୁ ଅନୁଧ୍ୟାନ କରାଯାଉଛି । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି । ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ୍ତ କରାଯାଉଛି । ସୋମବାର ମୁଖ୍ୟ ଶାସନ ସଚିବ ବୈଠକ ଡାକିଥିଲେ । ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଯେଉଁମାନେ ଜଙ୍ଗଲରେ ବୁଲାବୁଲି କରୁଥିବା ଲୋକଙ୍କ ମଧ୍ୟରୁ ସନେ୍ଦହାପନ୍ନ ଲୋକଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *