ଭାରତକୁ ଟ୍ୱିନ୍ ଅସ୍କାର

ଲସ୍ ଏଞ୍ଜଲିସ୍, ୧୩ା୩: ପ୍ରଥମ ଥର ପାଇଁ ଭାରତକୁ ମିଳିଛି ଦୁଇଟି ଅସ୍କାର ପୁରସ୍କାର । ୯୫ତମ ଅସ୍କାର ଉତ୍ସବରେ ଫିଲ୍ମ ଆର୍ଆର୍ଆର୍ର ନାଟୁ-ନାଟୁ ଗୀତକୁ ଶ୍ରେଷ୍ଠ ଅରିଜିନାଲ୍ ସଙ୍ଗ୍ ଓ ଦ ଏଲିଫାଣ୍ଟ ହୁଇସ୍ପରର୍ସକୁ ଶ୍ରେଷ୍ଠ ଡକୁ୍ୟମେଣ୍ଟାରୀ ଶର୍ଟ ଫିଲ୍ମ ବର୍ଗରେ ପୁରସ୍କାର ଦିଆଯାଇଛି । ଭାରତକୁ ୩ଟି ବର୍ଗରେ ନମିନେସନ୍ ମିଳିଥିଲା । ଡକୁ୍ୟମେଣ୍ଟାରୀ ଫିଚର ଫିଲ୍ମ ବର୍ଗରେ ନମିନେସନ୍ ପାଇଥିବା ‘ଅଲ୍ ଦାଟ୍ ବ୍ରିଥ୍ସ’କୁ ଅସ୍କାର ପୁରସ୍କାର ମିଳିନାହିଁ ।
ଅସ୍କାର ଜିତିବାରେ ନାଟୁ-ନାଟୁ ପ୍ରଥମ ଭାରତୀୟ ଫିଲ୍ମ ସଙ୍ଗୀତ । ୨୦୦୮ରେ ସ୍ମଲ୍ଡଗ୍ ମିଲେନିୟର୍ ଫିଲ୍ମର ‘ଜୟ ହୋ’ ଗୀତ ପାଇଁ ଏ ଆର୍ ରହମାନ୍ଙ୍କୁ ବେଷ୍ଟ ଅରିଜିନାଲ୍ ସଙ୍ଗ୍ ଭାବେ ଅସ୍କାର ମିଳିଥିଲା । ତେବେ ତାହା ଥିଲା ଏକ ବ୍ରିଟିଶ୍ ଫିଲ୍ମର ଗୀତ । ନାଟୁ-ନାଟୁ ମୂଳତଃ ଏକ ତେଲୁଗୁ ଗୀତ ଯାହାର ଅର୍ଥ ନାଚ-ନାଚ । ଅସ୍କାର ଉତ୍ସବରେ ଏହି ଗୀତର ରଚୟିତା ଚନ୍ଦ୍ରବୋସ ଓ କମ୍ପୋଜର ଏମ୍ ଏମ୍ କିରୱାନି ଟ୍ରଫି ଗ୍ରହଣ କରିଥିଲେ । ଉତ୍ସବରେ ଫିଲ୍ମର ନିଦେ୍ର୍ଦଶକ ରାଜମୌଳିି ଉପସ୍ଥିତ ଥିଲେ ।
ଜୁନିୟର ଏନ୍ଟିଆର୍ ଓ ରାମଚରଣ ଅଭିନିତ ଆର୍ଆର୍ଆର୍ ଫିିଲ୍ମର ନାଟୁ-ନାଟୁ ଗୀତ ପାଇଁ ହୁକ୍ ଷ୍ଟେପ୍ ପ୍ରସ୍ତୁତି ଲାଗି କୋରିଓଗ୍ରାଫର ପ୍ରେମ ରକ୍ଷିତ ୧୧୦ ମୁଭ୍ ତିଆରି କରିଥିଲେ । ଏହି ଗୀତକୁ କିଛି ଦିନ ପୂର୍ବେ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ପାଇଥିଲା । ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ପାଇବାରେ ଏହା ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ଫିଲ୍ମ ଗୀତ । ନାଟୁ-ନାଟୁର ସୁଟିଂ ୨୦୨୧ ଅଗଷ୍ଟରେ ୟୁକ୍ରେନ୍ ରାଜଧାନୀ କିବ୍ ସ୍ଥିତ ରାଷ୍ଟ୍ରପତିଙ୍କ ବାସଭବନ ମାରିନ୍ସ୍କି ପ୍ୟାଲେସ୍ରେ ହୋଇଥିଲା । ୪ ମିନିଟ୍ ୩୫ ସେକେଣ୍ଡର ଏହି ଗୀତର କୋରିଓଗ୍ରାଫି ପାଇଁ ୨ ମାସ ଓ ସୁଟିଂ ପାଇଁ ୨୦ ଦିନ ଲାଗିଥିଲା । ଏଥିରେ ୫୦ ବ୍ୟାକ୍ଗ୍ରାଉଣ୍ଡ ଡାନ୍ସର ଓ ପ୍ରାୟ ୪୦୦ ଜୁନିୟର ଆଟିଷ୍ଟ୍ ଭାଗ ନେଇଥିଲେ ।
ଶ୍ରେଷ୍ଠ ସଟ୍ ଡକୁ୍ୟମେଣ୍ଟାରୀ ଭାବେ ପୁରସ୍କୃତ ଦ ଏଲିଫାଣ୍ଟ ହ୍ୱିସ୍ପରର୍ସର ନିଦେ୍ର୍ଦଶକ କାର୍ତ୍ତିକୀ ଗାଞ୍ଜାଲୁଇସ୍ ଓ ପ୍ରଯୋଜକ ଗୁନିତ ମୋଙ୍ଗା ଟ୍ରଫି ଗ୍ରହଣ କରିଥିଲେ । ୩୯ ମିନିଟ୍ର ଏହି ତାମିଲ ଫିଲ୍ମ ନିର୍ମାଣ କରିବାକୁ ଲାଗିଥିଲା ୫ ବର୍ଷ । ଏଥିରେ ମଣିଷ ଓ ପଶୁ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଯାଇଛି । ଦକ୍ଷିଣ ଭାରତୀୟ ଦମ୍ପତି ବୋମନ ଓ ବେଲୀ ରଘୁ ନାମକ ଏକ ଛୋଟ ଅନାଥ ହାତୀର କିପରି ଲାଳନପାଳନ କରିଛନ୍ତି, ତାହା ଏହାର ବିଷୟବସ୍ତୁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଆର୍ଆର୍ଆର୍ ଓ ଦ ଏଲିଫାଣ୍ଟ ହ୍ୱିସ୍ପରର୍ସର ସମଗ୍ର ଟିମ୍କୁ ବଧେଇ ଜଣାଇ ଟ୍ୱିଟ୍ ମାଧ୍ୟମରେ ଲେଖିଛନ୍ତି ଭାରତ ଆଜି ପ୍ରଫୁଲ୍ଲିତ ଓ ଗୌରବାନ୍ୱିତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *