ମୁଣ୍ଡପିଛା ଋଣଭାର ୨୨,ଠ୪୨ ଟଙ୍କା

ଭୁବନେଶ୍ୱର, ୧୩ା୩ (ବୁ୍ୟରୋ): ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଋଣ ଭାର ୨୨ ହଜାର ୪୨ ଟଙ୍କା ଥିବାବେଳେ ମୁଣ୍ଡପିଛା ଆୟ ପରିମାଣ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି । ୧୯୯୯ ମସିହାରେ କଂଗ୍ରେସ ସରକାର ଥିବା ସମୟରେ ରାଜ୍ୟର ମୁଣ୍ଡପିଛା ଋଣ ଭାର ଥିଲା ୪ ହଜାର ୯୧୮ ଟଙ୍କା, ମୁଣ୍ଡପିଛା ଆୟ ଥିଲା ୧୩ ହଜାର ୧୨ ଟଙ୍କା । ଏବେ ରାଜ୍ୟର ଋଣଭାର ଭଲ ସ୍ଥିତିରେ ଅଛି । ଋଣଭାର ତୁଳନାରେ ମୁଣ୍ଡପିଛା ଆୟ ଅଧିକ ରହିଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ସୋମବାର ପ୍ରଶ୍ନୋତ୍ତର କାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି, ରାଜ୍ୟ ଋଣ ଭାରରେ ବୁଡ଼ିନାହିଁ । ଓଡ଼ିଶା ସରକାର ଯେଉଁ ପରିମାଣର ଋଣ ଗ୍ରହଣ କରିଛନ୍ତି ତାହା ଏଫ୍ଆର୍ବିଏମ୍ ଆକ୍ଟ ଅନୁଯାୟୀ ପୋଷଣୀୟ ସ୍ଥିତିରେ ରହିଛି । ଏଫ୍ଆର୍ବିଏମ୍ ଆକ୍ଟ ଅନୁଯାୟୀ, ରାଜ୍ୟ ସରକାର ଜିଡିପିର ୨୫ ପ୍ରତିଶତ ଅର୍ଥ ଋଣ କରିପାରିବେ । ସେହିପରି ଆଇପିଆର୍ଆର୍ ଅନୁଯାୟୀ ଋଣ ଭାର ଜିଡିପିର ୧୫ ପ୍ରତିଶତରୁ ଅଧିକ ହେବ ନାହିଁ । ଏସବୁକୁ ଦେଖିଲେ ଓଡ଼ିଶାର ଋଣଭାର ମାତ୍ର ୪.୧ ପ୍ରତିଶତ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଋଣଭାର ବହୁ ତଳେ ରହିଛି । ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହକୁ ଅବଗତ କରାଇଛନ୍ତି ଯେ, ମାର୍ଚ୍ଚ ୨୦୨୨ ସୁଦ୍ଧା ରାଜ୍ୟ ସରକାର ୯୭,୨୦୪ କୋଟି ଟଙ୍କା ଋଣ କରିଛନ୍ତି । ଖୋଲା ବଜାରରୁ ୨୮,୫୦୭ କୋଟି ଟଙ୍କା ଋଣ କରିଛନ୍ତି । ତେବେ ମୁଖମନ୍ତ୍ରୀଙ୍କ ବଳିଷ୍ଠ ପଦକ୍ଷେପ ଓ ସୁଚିନ୍ତିତ ଯୋଜନା ଯୋଗୁ ବିତ୍ତୀୟ ପରିଚାଳନାରେ ଦେଶରେ ଏକ ନମ୍ବର ହୋଇଛି ଓଡ଼ିଶା । ୧୯୯୯ ମସିହା ତୁଳନାରେ ୨୦୨୨ ସୁଦ୍ଧା ରାଜ୍ୟର ମୁଣ୍ଡପିଛା ଆୟ ୫.୮ ଗୁଣ ବୃଦ୍ଧି ପାଇଛି । ସରକାରୀ କର୍ମଚାରୀଙ୍କ ଜିପିଏଫ୍ ଉଠାଣରେ କୌଣସି ଅସୁବିଧା ନାହିଁ । ଏଥିପାଇଁ ଇ-ଟ୍ରେଜେରୀ ଓ ଇ-ଭାଉଚର୍ ବ୍ୟବସ୍ଥା ହୋଇଛି । ଅଧିକ ସୁଧ ଥିବା ଋଣକୁ ପ୍ରାଥମିକତା ଭିତ୍ତିରେ ରାଜ୍ୟ ସରକାର ପରିଶୋଧ କରୁଛନ୍ତି । ଓମ୍ବାର୍ଡସି ଭଳି କମ୍ ସୁଧ ନେଉଥିବା ଅନୁଷ୍ଠାନରୁ ଅଧିକ ଋଣ ଅଣାଯାଉଛି । ସେହିପରି ସରକାରୀ କର୍ମଚାରୀଙ୍କ ଜିପିଏଫ୍ ଜମା ଉପରେ ସୁଧ ଦେଉଛନ୍ତି ସରକାର । ରାଜ୍ୟ ସରକାର ଋଣ ଭାର ପୋଷଣୀୟ ସ୍ଥିତି ରଖିଥିବାବେଳେ, କେନ୍ଦ୍ରର ଋଣ ଭାର ଲକ୍ଷ ଲକ୍ଷ କୋଟିରେ ରହିଛି । କେନ୍ଦ୍ର ବଜେଟ୍ର ୨୫ ପ୍ରତିଶତ ଏବେ ଋଣ ପରିଶୋଧରେ ଖର୍ଚ୍ଚ କରାଯାଉଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଗୃହରେ ତଥ୍ୟ ରଖିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *