ସଂସଦରେ ହଙ୍ଗାମା
ନୂଆଦିଲ୍ଲୀ, ୧୩ା୩: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାର ଆରମ୍ଭ ହେବାକ୍ଷଣି ଲୋକସଭା ଓ ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି । ଲଣ୍ଡନରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ବିରୋଧୀ ମନ୍ତବ୍ୟ ନେଇ ବିଜେପି ପକ୍ଷରୁ ଆପତ୍ତି ଉଠାଯାଇଥିଲା । କଂଗ୍ରେସ ସାଂସଦମାନେ ବିରୋଧ କରିବା ସହ ଅଡାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବିରେ ଗୃହର ମଧ୍ୟଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ଏହି କାରଣରୁ ଉଭୟ ସଦନକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
ଅଡାନୀ, କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ଘନ ଘନ ଚଢଉ ଓ ଚୀନ୍ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀମାନେ ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇଥିଲେ । ସୋମବାର ସକାଳେ କଂଗ୍ରେସ ଅଧ୍ୟକ୍ଷକଙ୍କ ବାସଭବନରେ ବୈଠକରେ ଚକ୍ରବୂ୍ୟହ ରଚନା କରାଯାଇଥିଲା । ଠିକ୍ ୧୧ଟା ବେଳେ ସଂସଦ କାର୍ଯ୍ୟକ୍ରମ ଆରମ୍ଭ ହେଲା । ଲୋକସଭାରେ ବାଚସ୍ପତି ଓମ୍ ବିରଳା ଦିବଂଗତ ନେତାଙ୍କ ପାଇଁ ଶୋକବାର୍ତ୍ତା ପଢିଲେ । ମାହୋଲ ବେଶ୍ ଶାନ୍ତ ଥିଲା । ସବୁ ସଦସ୍ୟ ଛିଡା ହୋଇ ମୌନ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ମନେ ହେଉଥିଲା ବିରୋଧୀମାନେ ଏହାପରେ ହଙ୍ଗମା କରିବେ । କିନ୍ତୁ ତା ପୂର୍ବରୁ ଅଚାନକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୃଶ୍ୟ ବଦଳାଇ ଦେଲେ । ସଦସ୍ୟମାନେ ନିଜ ନିଜ ଆସନରେ ବସିବା ପୂର୍ବରୁହିଁ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ନାରା ଉଠିଲା । ବିରୋଧୀ ସଦସ୍ୟମାନେ କିଛି କହିବା ପୂର୍ବରୁ ରାଜନାଥ ସିଂହ କହିଲେ, ‘ଅଧ୍ୟକ୍ଷ ମହୋଦୟ, ଶ୍ରୀ ରାହୁଲ ଗାନ୍ଧୀ ବ୍ୟବହାରକୁ ସମଗ୍ର ସଦନ ନିନ୍ଦା କରିବା ଉଚିତ । ସେ ସଂସଦ ଫୋରମ୍କୁ ଆସି କ୍ଷମା ମାଗିବା ପାଇଁ ରାହୁଲଙ୍କୁ ଆପଣ ନିଦେ୍ର୍ଦଶ ଦେବା ଆବଶ୍ୟକ ।’ ହଟ୍ଟଗୋଳ ଚାଲିଥିବା ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଲେ, ଯଦି ସାମାନ୍ୟ ସରମ ଥାଏ, ରାହୁଲ ଗାନ୍ଧୀ ସଦନକୁ ଆସି କ୍ଷମା ମାଗନ୍ତୁ । ଲଣ୍ଡନରେ ରାହୁଲ ଭାରତର ଗଣତନ୍ତ୍ର ଉପରେ ନକାରାତ୍ମକ ଟିପ୍ପଣୀ ଦେଇଥିବାରୁ ସେ କ୍ଷମା ମାଗିବା ଆବଶ୍ୟକ ବୋଲି ଉଭୟ ସଦନରେ ବିଜେପି ସାଂସଦମାନେ ଦୃଢ଼ ଦାବି ଉପସ୍ଥାପନ କରିଥିଲେ । ଜବାବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ସରକାର ଅଡାନୀ ପ୍ରସଙ୍ଗର ତଦନ୍ତ ଦାବିକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଆମ କଥା ଶୁଣୁନାହାନ୍ତି । ଆମେ ବିକ୍ରମ ବେତାଳ ଭଳି ପିଛା ଛାଡ଼ିବୁନି । ଉଭୟ ସଦନର କାର୍ଯ୍ୟକ୍ରମକୁ ପ୍ରଥମେ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ୨ଟା ପରେ ହଙ୍ଗମା ଜାରି ରହିବାରୁ ଉଭୟ ସଦନକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଦିଆଗଲା । ଚଳିତ ମାସ ପ୍ରାରମ୍ଭରେ ରାହୁଲ ଲଣ୍ଡନ ଗସ୍ତରେ ଯାଇ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ କହିଥିଲେ ଯେ, ସଂସଦରେ ବିରୋଧୀ ନେତା ଓ ସାଂସଦମାନଙ୍କ ମାଇକ୍ ବନ୍ଦ କରି ଦିଆଯାଉଛି । ବିରୋଧୀମାନେ ସ୍ୱର ଉଠାଇ ପାରୁନାହାନ୍ତି । ଭାରତରେ ଗଣତନ୍ତ୍ର ଉପରେ ସିଧା ପ୍ରହାର କରାଯାଉଛି ।
ସୋମବାର ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ରାହୁଲ ଦେଶକୁ ଅପମାନିତ କରିବା ସହ ଭାରତର ଗରିମା କ୍ଷୁଣ୍ଣ କରିଛନ୍ତି । ସେ ସଦନକୁ ଆସି କ୍ଷମା ମାଗନ୍ତୁ । ମନ୍ତ୍ରୀ ଗିରିରାଜ ସିଂହ ରାହୁଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ଦାବି କରିଥିଲେ ।
ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ସୋମବାର ସକାଳେ କଂଗ୍ରେସ ଅଧ୍ୟକ୍ଷ ବିରୋଧୀଦଳମାନଙ୍କ ବୈଠକ ଡାକିଥିଲେ । ସେଥିରେ ୧୬ ବିରୋଧୀ ଦଳର ପ୍ରତିନିଧି ଏବଂ ସୋନିଆ ଗାନ୍ଧି ଯୋଗ ଦେଇଥିଲେ ।