ଏଚ୍୩ଏନ୍୨ ନେଇଛି ୧ଠ ଲକ୍ଷ ଜୀବନ

ହାଲୁକା ଭାବେ ଗ୍ରହଣ ନକରନ୍ତୁ ଦେଶବାସୀ
ନୂଆଦିଲ୍ଲୀ (ଏଜେନ୍ସି): ପ୍ରତ୍ୟେକ ବର୍ଷ ଜାନୁଆରୀରୁ ମାର୍ଚ୍ଚ/ ଏପ୍ରିଲ ପର୍ଯ୍ୟନ୍ତ ଭାରତରେ ସାଧାରଣତଃ ଫ୍ଲୁ’ ସିଜନ୍ ରହିଥାଏ । ଏହି ସମୟ ସୁଦ୍ଧା ଲୋକେ ଥଣ୍ଡା, କାଶ, ଜ୍ୱର ଭଳି ଲକ୍ଷଣରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଚଳିତ ବର୍ଷ ଫ୍ଲୁ’ ସିଜନ୍ କିନ୍ତୁ କିଛି ମାତ୍ରାରେ ଅଲଗା ରହିଛି । ବର୍ତ୍ତମାନ ସମୟରେ ଲୋକେ କେବଳ ଫ୍ଲ’ରେ ପୀଡ଼ିତ ହେଉଛନ୍ତି ତାହା ନୁହେଁ ସେମାନଙ୍କ ଠାରେ ଦେଖାଦେଉଥିବା ଫ୍ଲୁ’ଜନିତ ଲକ୍ଷଣ ମଧ୍ୟ ଦୀର୍ଘ ସମୟ ଧରି ଭଲ ହେଉନାହିଁ । ଫ୍ଲୁ’ ସଂକ୍ରମିତଙ୍କୁ ହସ୍ପିଟାଲରେ, ଏପରିକି ଆଇସିୟୁରେ ମଧ୍ୟ ଭର୍ତ୍ତି ହେବାକୁ ପଡୁଛି ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମ୍ଆର୍) ପକ୍ଷରୁ ମଧ୍ୟ ସମ୍ପ୍ରତି ଭାରତରେ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଏଚ୍୩ଏନ୍୨ ଭୂତାଣୁଜନିତ ଭୟାବହତାକୁ ସ୍ୱୀକାର କରାଯାଇଛି । ଏହା ଇନ୍ଫ୍ଲୁଏଞ୍ଜା ଏ’ର ସବ୍ଟାଇପ୍ ଭୂତାଣୁ ଭାବେ ଚିହ୍ନଟ କରାଯାଇଛି । ଏହି ଭୂତାଣୁ ଜନିତ ଭୟାବହତା ସାମ୍ନାକୁ ଆସିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ଭୂତାଣୁର ଶିକାର ହୋଇ ୨ଜଣଙ୍କ ମୃତୁ୍ୟ ହୋଇସାରିଥିବା ବେଳେ ୭୫ରୁ ଅଧିକ ସଂକ୍ରମିତ ଚିକିତ୍ସାଧୀନ ହେଉଛନ୍ତି । କେନ୍ଦ୍ର ସରକାର ମଧ୍ୟ ଭୂତାଣୁ ଏଚ୍୩ଏନ୍୨ ପରିପ୍ରେକ୍ଷୀରେ ଦେଶବାସୀଙ୍କ ଉଦେ୍ଦଶ୍ୟରେ ଗାଇଡଲାଇନ୍ ଜାରି କରିଛନ୍ତି । ଅନ୍ୟ ଏକ ରିପୋର୍ଟ ଅନୁସାରେ ପୂର୍ବରୁ ଏହି ଭୂତାଣୁ ଏଚ୍୩ଏନ୍୨ ପ୍ରାୟ ୧ଠ ଲକ୍ଷ ଲୋକଙ୍କ ମୃତୁ୍ୟର କାରଣ ସାଜିସାରିଛି । ସୁତରାଂ ଏହି ଭୂତାଣୁକୁ ନେଇ ଦେଶବାସୀ ଆଦୌ ସହଜ ହେବା ଉଚିତ୍ ନୁହେଁ । କରୋନା ଭଳି ଏହି ଭୂତାଶୁ ମଧ୍ୟ କୌଣସି ସମୟରେ ଅତ୍ୟଧିକ ମାରାତ୍ମକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି । ପ୍ରକାଶ, ୧୯୫୭ରେ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବା ଏସିଆନ୍ ଫ୍ଲୁ’ର ପ୍ରାୟ ୧୧ ବର୍ଷ ପରେ ଅର୍ଥାତ୍ ୧୯୬୮ ବେଳକୁ ବିଶ୍ୱସ୍ତରରେ ବିଶେଷକରି ୟୁରୋପରେ ଏହି ଏଚ୍୩ଏନ୨ ଭୂତାଣୁର ଭୟାବହତା ଆରମ୍ଭ ହୋଇଥିଲା । ସେତେବେଳେ ବିଶ୍ୱବ୍ୟାପୀ ପ୍ରାୟ ୧ଠଲକ୍ଷ ଲୋକ ଏହି ଭୂତାଣୁ ଯୋଗୁ ପ୍ରାଣ ହରାଇଥିଲେ । କେବଳ ଆମେରିକାରେ ୧ଲକ୍ଷ ମୃତୁ୍ୟବରଣ କରିଥିଲେ । ତେବେ ପୂର୍ବତନ କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ ତଥା ପଦ୍ମଶ୍ରୀ ଡ.ରଣଦୀପ ଗୁଲେରିଆ ମଧ୍ୟ ଏଚ୍୩ଏନ୍୨କୁ ନେଇ ବଡ଼ ବୟାନ ଦେଇଛନ୍ତି । ଡ.ଗୁଲେରିଆଙ୍କ ଅନୁସାରେ ଯଦି ଦେଶବାସୀ ଏବେ ଠାରୁ ସତର୍କ ନ ରହିବେ, ତା’ହେଲେ ଇନଫ୍ଲୁଏଞ୍ଜା ଏ’ର ସବ୍ଟାଇପ୍ ଏଚ୍୩ଏନ୍୨ ଭୂତାଣୁ ଦେଶରେ କରୋନା ଭଳି ସ୍ଥିତି ସୃଷ୍ଟି କରିବା ଆଶଙ୍କା ରହିଛି । ତାଙ୍କ ମତରେ ଏହି ଭୂତାଣୁ ଦ୍ରୁତଗତିରେ ସମଗ୍ର ବିଶ୍ୱରେ ସଂପ୍ରସାରିତ ହେବାରେ ଲାଗିଛି । ଏହି ଭୂତାଣୁ ପାଇଁ ମଧ୍ୟ କୋଭିଡ୍ ଭଳି ଏବେ ଠାରୁ ମୁକାବିଲା କରାଯିବା ଦରକାର ବୋଲି ସେ କହିଛନ୍ତି । ନାଗପୁରରେ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଡ. ଗୁଲେିରିଆ ଏପରି କହିଛନ୍ତି । ତାଙ୍କ ମତରେ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା ଦ୍ୱାରା କୋଭିଡ୍ ଭଳି ଏହି ଭୂତାଣୁକୁ ମଧ୍ୟ ନିୟନ୍ତ୍ରଣ କରାଯିବା ସମ୍ଭବ ।
ଇନ୍ଫ୍ଲୁଏଞ୍ଜା ବା ଫ୍ଲୁ’ ବାସ୍ତବରେ କ’ଣ?
କୌଣସି ଭୂତାଣୁ କାରଣରୁ ନାକ, ଗଳା ଏବଂ ହୃଦ୍ପିଣ୍ଡ ସଂକ୍ରମିତ ହେଲେ ଏହାକୁ ଇନ୍ଫ୍ଲୁଏଞ୍ଜା ବା ଫ୍ଲୁ’ ଭାବେ ବିବେଚନା କରାଯାଇଥାଏ । ଏହାଦ୍ୱାରା ବ୍ୟକ୍ତିବିଶେଷର ଶ୍ୱସନ ତନ୍ତ୍ର ମୁଖ୍ୟତଃ ପ୍ରଭାବିତ ହୋଇଥାଏ । ୧୮୯୨ରେ ଜର୍ମାନୀର ରିଚାର୍ଡ ଫିଫର ନାମକ ଜଣେ ବ୍ୟାକ୍ଟେରିୟୋଲଜିଷ୍ଟ ଏହି ଭୂତାଣୁକୁ ଠାବ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *