ଦେଶର ଅଧେ ଲୋକ ଦୃଷ୍ଟିଶକ୍ତି ହରାଇବେ
ଦିଲ୍ଲୀ ଏମ୍ସ ରିସର୍ଚ୍ଚ ରିପୋର୍ଟ
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ଏମ୍ସ ପକ୍ଷରୁ କରାଯାଇଥିବା ଗବେଷଣା ଉପରେ ଆଧାରିତ ଏକ ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଚିନ୍ତିତ ହେବା ଭଳି ତଥ୍ୟକୁ ଉପସ୍ଥାପନା କରାଯାଇଛି । ରିପୋର୍ଟ ଅନୁସାରେ କରୋନା ପର ଠାରୁ ଦେଶର ସ୍କୁଲପଢ଼ା ପିଲାଙ୍କ ଠାରେ ଦୃଷ୍ଟିଶକ୍ତି ଅଧିକ ମାତ୍ରାରେ ବାଧିତ ହେଉଥିବା ଜଣାପଡିଛି । ପିଲମାନଙ୍କୁ ପାଖରେ ଥିବା ବସ୍ତୁକୁ ଦେଖିବାରେ ଅର୍ଥାତ୍ ସମୀପ ଦୃଷ୍ଟି ଦୋଷ ମାୟୋପିଆ ମାମଲା ଅନେକାଂଶରେ ବଢ଼ିବାରେ ଲାଗିଛି, ଯାହାକି ନିଶ୍ଚିତ ଭାବେ ଚିନ୍ତାଜନକ ।
ରିପୋର୍ଟରେ ଡିଜିଟାଲ ସ୍କ୍ରିନ୍କୁ ଅଧିକ ସମୟ ଚାହିଁ ରହିବା ଦ୍ୱାରା ଆଖି ସମସ୍ୟା ଭଳି ଚିନ୍ତାଜନକ ସ୍ଥିତି ସବୁଠୁ ଅଧିକ ପିଲାଙ୍କ ଠାରେ ହିଁ ଦେଖାଦେଉଛି ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଏମ୍ସର ଏହି ଗବେଷଣାରୁ କରୋନା ମହାମାରୀ ସମୟରେ ଅନଲାଇନ୍ କ୍ଲାସ୍, ସ୍ମାର୍ଟ ଫୋନ୍ର ଅଧିକ ବ୍ୟବହାର ଏବଂ କମ୍ପୁ୍ୟଟର ଗେମ୍ସ ଖେଳିବା କାରଣରୁ ପିଲାଙ୍କ ଆଖି ଉପରେ ଖରାପ ପ୍ରଭାବ ପଡ଼ଥିବା ସ୍ପଷ୍ଟ ପ୍ରମାଣ ମିଳିଛି । ଗବେଷଣା ଅନୁଯାୟୀ, କରୋନା ପୂର୍ବରୁ ପିଲାଙ୍କ ଠାରେ ମାୟୋପିଆ ୫ରୁ ୭% ରହିଥିବା ବେଳେ କରୋନା ପରବର୍ତ୍ତୀ ସମୟରେ ଏହା ୧୧ରୁ ୧୫%କୁ ବୃଦ୍ଧି ପାଇଛି । ଏମ୍ସ ରାଜେନ୍ଦ୍ର ପ୍ରସାଦ ଆଖି ହସ୍ପିଟାଲର ମୁଖ୍ୟ ପ୍ରଫେସର ଜୀବନ ଏସ୍ ଟିଟିୟାଲ କହିଛନ୍ତି, ଯଦି ପିଲାମାନେ ସ୍ମାର୍ଟଫୋନ୍, କମ୍ପୁ୍ୟଟର, ଅନ୍ଲାଇନ ଗେମ୍, ଡିଜିଟାଲ ସ୍କିନ୍ର ଅତ୍ୟଧିକ ବ୍ୟବହାର କରିଚାଲିବେ, ତେବେ ୨ଠ୫ଠ ସୁଦ୍ଧା ଦେଶର ୫ଠ% ଜନସଂଖ୍ୟା ନିକଟ ଦୃଷ୍ଟି ରୋଗରେ ଶିକାର ହୋଇଯିବେ । ଅର୍ଥାତ୍ ଏମାନେ ଦେଶର ସୁରକ୍ଷାବାହିନୀରେ ଯୋଗଦେବା ପାଇଁ ଅନଫିଟ୍ ଘୋଷିତ ହେବେ । ସୁତରାଂ ଆଜିର ସ୍କୁଲ ପଢ଼ା ପିଲାମାନଙ୍କୁ ଡିଜିଟାଲ ସ୍କ୍ରିନ୍ ଠାରୁ ଦୂରେଇ ରଖିବା ସହ ସେମାନଙ୍କୁ ଆଖି ପ୍ରତି ଯତ୍ନବାନ ହେବାକୁ ମାତା ପିତା ତଥା ଅଭିଭାବକ ଏବଂ ପରିବାର ବର୍ଗ ସଚେତନ କରିବା ଅତ୍ୟନ୍ତ ଜରୁରି ହୋଇପଡିଛି ବୋଲି ରିପୋର୍ଟ ଉଲ୍ଲେଖ କରିଛି । ଅନ୍ୟପକ୍ଷେ ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେବାରୁ ବଞ୍ଚାଇବା ପାଇଁ ବିଦ୍ୟାଳୟରେ ଏନେଇ ପ୍ରଶିକ୍ଷଣ ଏବଂ ନିଦେ୍ର୍ଦଶନାମା କାର୍ଯ୍ୟକାରୀ କରିବାକୁ ହେବ । ପିଲାମାନଙ୍କୁ ଦିନକୁ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଡିଜିଟାଲ ସ୍କ୍ରିନ୍ର ବ୍ୟବହାର କରିବାକୁ ଦିଆନଯିବା ସହ ମୋବାଇଲ ବ୍ୟବହାର ସମୟରେ ମଝିରେ ମଝିରେ ବିରତି ଦେବା ଅତ୍ୟାବଶ୍ୟକ ହୋଇପଡିଛି । ଯଦି ପିଲାଙ୍କ ଦୃଷ୍ଟି ଶକ୍ତି ଦୁର୍ବଳ ହେଉଥିବା ଅନୁଭୂତ ହୁଏ ତେବେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଇବା ସହ ଚଷମାର ବ୍ୟବହାର କରିବା ଦରକାର ବୋଲି ଟିଟିୟାଲ୍ କହିଛନ୍ତି ।
ରିପୋର୍ଟ କରୋନା ପରଠାରୁ ଏବେ ସବୁ ବର୍ଗର ଲୋକଙ୍କ ଠାରେ ଆଖି ସମସ୍ୟା ଅଧିକରୁ ଅଧିକ ଦେଖିବାକୁ ମିଳୁଛି ବୋଲି ଉଲ୍ଲେଖ କରାଯାଇଛି । ତେବେ ପିଲାମାନେ ହୁଅନ୍ତୁ କିମ୍ବା ଯୁବଗୋଷ୍ଠୀ କିମ୍ବା ଯେକୌଣସି ବୟର ବ୍ୟକ୍ତିବିଶେଷ, ଅତ୍ୟଧିକ ଡିଜିଟାଲ ସ୍କ୍ରିନ୍ ବ୍ୟବହାର ଦ୍ୱାରା ସେମାନଙ୍କ ଠାରେ ଆଖି ସମସ୍ୟା ବୃଦ୍ଧି ପାଇବା ମୁଖ୍ୟ କାରଣ ବୋଲି ରିସର୍ଚ୍ଚ ରିପୋର୍ଟ ଦର୍ଶାଇଛି ।