ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
ସିବିଆଇ-ଇଡି ଚଢ଼ଉ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା ଆଶଙ୍କା
ନୂଆଦିଲ୍ଲୀ, ୧୨ା୩: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେବ । ଏହି ଅଧିବେଶନରେ ଅର୍ଥ ବିଲ୍କୁ ପାସ୍ କରାଇବା ଉପରେ ସରକାର ପ୍ରାଥମିକତା ଦେବେ । ଅପରପକ୍ଷେ, ବିରୋଧୀ ଦଳମାନେ ବିଭିନ୍ନ ଅଣବିଜେପି ଶାସିତ ରାଜ୍ୟ ସରକାରଙ୍କ ବିରୋଧରେ ସିବିଆଇ-ଇଡିର ଦୁରୁପଯୋଗ ଏବଂ ଅଡାନି ଗ୍ରୁପ୍ ସମ୍ବନ୍ଧୀୟ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବେ । ରାଜ୍ୟସଭା ଓ ଲୋକସଭାରେ ସରକାରଙ୍କ ବିରୋଧରେ ସ୍ୱର ଉଠାଇବା ସମ୍ବନ୍ଧୀୟ ରଣନୀତି ପ୍ରସ୍ତୁତି ପାଇଁ ବିରୋଧୀ ଦଳମାନଙ୍କ ବୈଠକ ସୋମବାର ସକାଳେ ହେବ ବୋଲି ଜଣାପଡିଛି । କଂଗ୍ରେସ ନେତା କେ.ସୁରେଶ କହିଛନ୍ତି ତାଙ୍କ ଦଳ ଅଡାନି-ହିଣ୍ଡନ୍ବର୍ଗ ପ୍ରସଙ୍ଗ ଉଠାଇବା ଜାରି ରଖିବ । କାରଣ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଏପ୍ରସଙ୍ଗରେ ସରକାର କୌଣସି ଉତ୍ତର ଦେଇନଥିଲେ ।
ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କହିଛନ୍ତି, ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ରେଲୱେ, ପଞ୍ଚାୟତିରାଜ, ପର୍ଯ୍ୟଟନ, ସଂସ୍କୃତି, ସ୍ୱାସ୍ଥ୍ୟ ଆଦି ମନ୍ତ୍ରାଳୟର ଅନୁଦାନ ଦାବି ଉପରେ ଚର୍ଚ୍ଚା ହେବ । ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପାଇଁ ପ୍ରସ୍ତାବିତ ଅନୁଦାନ ଦାବି ଓ ତତ୍ସମ୍ବନ୍ଧୀୟ ବିନିଯୋଗ ବିଧେୟକଙ୍କୁ ଗିଲୋଟିନ୍ଦ୍ୱାରା (ବିନା ଆଲୋଚନାରେ) ମଞ୍ଜୁରି ଦିଆଯିବ । ଏହାପରେ ଅର୍ଥ ବିଲ୍ ପାସ୍ କରାଇବାକୁ ହେବ । ତା’ପରେ ଯାଇ ବିରୋଧୀ ଦଳମାନେ ଉଠାଇଥିବା ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ ।
ଲୋକସଭା କାର୍ଯ୍ୟସୂଚୀ ଅନୁଯାୟୀ, ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥôକ ବର୍ଷ ପାଇଁ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀର ବଜେଟ୍ ପେସ୍ କରିବେ ।