ଦୁଇ ଦିନ ପରେ ବଢ଼ିବ ପଶ୍ଚିମା ଝଡ଼ ପ୍ରଭାବ
ଅସ୍ତବ୍ୟସ୍ତ କରିବ କାଳବୈଶାଖୀ
ଭୁବନେଶ୍ୱର, ୧୨ା୩ (ବୁ୍ୟରୋ): ଅସ୍ତବ୍ୟସ୍ତ କରିବ କାଳବୈଶାଖୀ । ଦୁଇଦିନ ପରେ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ବଢ଼ିବ । ଉପକୂଳ ସମେତ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୧୫ ତାରିଖରେ ୧୬ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୬ ତାରିଖରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳକୁ ସତର୍କତା ଜାରି କରାଯାଇଛି । ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । କାଳବୈଶାଖୀ ଯୋଗୁ ରବି ଫସଲ ବ୍ୟାପକ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି । ବିଶେଷ କରି ଡାଲିଜାତୀୟ ଫସଲ ଅମଳ ସମୟ ହୋଇଥିବାରୁ ସେଗୁଡିକ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି କୃଷି ପାଣିପାଗ ବିଜ୍ଞାନୀ ।
ପନିପରିବା ଚାଷରେ ମଧ୍ୟ କୀଟନାଶକ ପ୍ରୟୋଗ ବନ୍ଦ କରିବାକୁ କୁହାଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ରାଜ୍ୟରେ ପୁଣି ଉପରମୁହାଁ ହୋଇପାରେ ପାରଦ । କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି ।