୬୭% ବଢ଼ିଲା ଦିଲ୍ଲୀ ବିଧାୟକଙ୍କ ଦରମା
ନୂଆଦିଲ୍ଲୀ (ଏଜେନ୍ସି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରି କ୍ରମେ ଦୀର୍ଘ ୧୨ ବର୍ଷ ପରେ ଦିଲ୍ଲୀ ବିଧାନସଭା, କ୍ୟାବିନେଟ୍ ମନ୍ତ୍ରୀ ତଥା ବିଧାୟକଙ୍କ ମାସିକ ଦରମା ତଥା ଭତ୍ତାକୁ ବୃଦ୍ଧି କରିଛି । ଏସମ୍ପର୍କୀତ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବିଧାୟକ, ମନ୍ତ୍ରୀ, ବିଧାନସଭା ବାଚସ୍ପତି, ବିରୋଧୀ ଦଳ ନେତାଙ୍କ ଦରମା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ପରିମାଣ ୬୭% ବୃଦ୍ଧି କରାଯାଇଛି ।
ସୁତରାଂ ବର୍ତ୍ତମାନ ସମୟରେ ବିଧାୟକଙ୍କୁ ୬୭% ବର୍ଦ୍ଧିତ ଦରମା ଭାବେ ମାସକୁ ୯ଠ ହଜାର ଟଙ୍କା ମିଳିବ । ପୂର୍ବରୁ ଦିଲ୍ଲୀ ବିଧାୟକଙ୍କୁ ମାସିକ ଦରମା ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫୪ ହଜାର ଟଙ୍କା ମିଳୁଥିଲା । ସେହିପରି ଦିଲ୍ଲୀ କ୍ୟାବିନେଟ୍ରେ ସାମିଲ ଥିବା ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ମୁଖ୍ୟ ସଚେତକ, ବାଚସ୍ପତି, ଉପବାଚସ୍ପତି ତଥା ଅନ୍ୟ ମନ୍ତ୍ରୀମାନଙ୍କ ଦରମା ମଧ୍ୟ ବୃଦ୍ଧି ପାଇ ୧.୭ଠ ଲକ୍ଷ ଛୁଇଁଛି । ପୂର୍ବରୁ ମନ୍ତ୍ରୀମାନେ ବେତନ ବାବଦକୁ ୭୨ ହଜାର ଟଙ୍କା ହିଁ ପାଉଥିଲେ ।
ବିଜ୍ଞପ୍ତି ଅନୁସାରେ ବିଧାୟକଙ୍କ ମୂଳ ଦରମା ୧୨ ହଜାରରୁ ବୃଦ୍ଧି କରାଯାଇ ୩ଠହଜାର କରିଦିଆଯାଇଛି । ସେହିପରି ଯାତାୟତ ଖର୍ଚ୍ଚକୁ ୬ ହଜାରରୁ ୧ଠ ହଜାର, ନିର୍ବାଚନ ମଣ୍ଡଳୀ ଗସ୍ତ ବାବଦ ଖର୍ଚ୍ଚ ଅର୍ଥକୁ ୧୮ ହଜାରରୁ ୨୫ ହଜାର, ଟେଲିଫୋନ୍ ଖର୍ଚ୍ଚ ବାବଦ ଅର୍ଥକୁ ୮ ହଜାରରୁ ୧ଠ ହଜାର, ସେକ୍ରେଟାରୀଏଟ୍ ଭତ୍ତା ବାବଦ ଅର୍ଥକୁ ୧ଠ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିଦିଆଯାଇଛି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍ ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି, ଦଳୀୟ ସଚେତକ, ବିରୋଧୀ ଦଳ ନେତାଙ୍କ ମୂଳ ଦରମା ପୂର୍ବରୁ ୨ଠ ହଜାର ରହିଥିବା ବେଳେ ଏବେ ଏହାକୁ ୬ଠ ହଜାର କରିଦିଆଯାଇଛି । ଏତଦ୍ବ୍ୟତୀତ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ବାବଦ ଖର୍ଚ୍ଚ ଅର୍ଥକୁ ୧୮ ହଜାରରୁ ସିଧାସଳଖ ୩ଠ ହଜାର, ଦୈନିକ ଖର୍ଚ୍ଚ ପରିମାଣ ୧ହଜାରରୁ ୧୫ଠଠ ଟଙ୍କା, ସେକ୍ରେଟାରୀଏଟ୍ ସହାୟତା ବାବଦ ୨୫ହଜାର ଟଙ୍କା, ସମ୍ପଟୁଆରୀ ଭତ୍ତା ବାବଦ ଅର୍ଥକୁ ୪ ହଜାରରୁ ୧ଠ ହଜାର କରାଯାଇଛି । ଏତଦ୍ବ୍ୟତୀତ ଏମାନଙ୍କୁ ପରିବାର ସହ ଛୁଟି କଟାଇବା ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା, ବିନା ଭଡାଯୁକ୍ତ ସିମ୍ପଲେକ୍ସ (ଘର), ମାଗଣା ଗାଡି, ଡ୍ରାଇଭର ଏବଂ ମାଗଣା ହସ୍ପିଟାଲ ସୁବିଧା ଯୋଗାଇ ଦିଆଯିବ ।
ପ୍ରକାଶ, ୨ଠ୨୨ ଜୁଲାଇ ୪ ତାରିଖରେ ଦିଲ୍ଲୀ ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ ୫ଟି ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ପ୍ରସ୍ତାବରେ ରାଷ୍ଟ୍ରପତି ମଞ୍ଜୁରୀ ଦେଇଥିଲେ । ମଞ୍ଜୁରୀ ପାଇବାପରେ ଦିଲ୍ଲୀ ସରକାରଙ୍କ ଆଇନ ବିଭାଗ ଦରମା ବୃଦ୍ଧି ସମ୍ପର୍କୀତ ବିଜ୍ଞପ୍ତି ଜାରି କରିଛନ୍ତି । ଗତ ଫେବ୍ରୁଆରୀ ମାସରୁ ପିଛିଲା ଭାବେ ଏହାକୁ ଲାଗୁ କରାଯିବା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ, ତେଲେଙ୍ଗାନା ଦେଶର ଏପରି ଏକ ରାଜ୍ୟ ଯେଉଁଠି, ବିଧାୟକ ତଥା ମନ୍ତ୍ରୀମାନଙ୍କ ଦରମା ସବୁଠୁ ଅଧିକ ରହିଥାଏ । ଏଠାରେ ମୂଳ ବେତନ ସହ ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତାସବୁକୁ ମିଶାଇ ଜଣେ ବିଧାୟକ ମାସିକ ୨.୫ ଲକ୍ଷ ଟଙ୍କା ପାଇଥାନ୍ତି । ସେହିପରି ମନ୍ତ୍ରୀମାନଙ୍କ ଦରମା ମଧ୍ୟ ୨.୫ଲକ୍ଷରୁ ଅଧିକ ରହିଥାଏ ।