ସମଲିଙ୍ଗୀ ବିବାହକୁ ନା
ଏହା ଭାରତୀୟ ପରମ୍ପରାର ପରିପନ୍ଥୀ: କେନ୍ଦ୍ର
ନୂଆଦିଲ୍ଲୀ, ୧୨ା୩: ସମଲିଙ୍ଗୀ ଆଇନଗତ ମାନ୍ୟତା ଦାବିକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି । ସୋମବାର ଶୁଣାଣି ପୂର୍ବରୁ ରବିବାର କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିବା ୫୬ ପୃଷ୍ଠାର ସତ୍ୟପାଠରେ କୁହାଯାଇଛି ଯେ, ଏଭଳି ବିବାହ ଭାରତୀୟ ସମାଜ ଓ ବିବାହ ବ୍ୟବସ୍ଥାର ବିରୋଧୀ ହେବ । ସମଲିଙ୍ଗୀ ବିବାହ ସ୍ୱାମୀ-ସ୍ତ୍ରୀ (ପୁରୁଷ-ମହିଳା) ଓ ସେମାନଙ୍କ ଠାରୁ ଜାତ ସନ୍ତାନ କନ୍ସେପ୍ଟ ସହ ମେଳ ଖାଉନାହିଁ । ବିବାହର ପରିଭାଷା ହେଉଛି ବିପରୀତ ଲିଙ୍ଗର ଦୁଇ ବ୍ୟକ୍ତିଙ୍କ ମିଳନ । ତା’ଛଡ଼ା ଅନେକ ପ୍ରକାର ଆଇନଗତ ଜଟିଳତା ସୃଷ୍ଟି ହେବ । ସଂସଦରେ ପାସ୍ ହୋଇଥିବା ଆଇନ ଓ ଭିନ୍ନ ଭିନ୍ନ ଧର୍ମର ପରମ୍ପରା ମଧ୍ୟ ସମଲିଙ୍ଗୀ ବିବାହକୁ ସ୍ୱୀକାର କରୁ ନାହିଁ । ଏଥିରେ ଶୁଣାଣି କରିବା ଭଳି କିଛି ତଥ୍ୟ ନାହିଁ । ତେଣୁ ମେରିଟ୍ ଆଧାରରେ ଏହାକୁ ଖାରଜ କରି ଦିଆଯିବା ଠିକ୍ ହେବ ।
ଜାନୁଆରୀ ୬ରେ ସୁପ୍ରିମ୍କୋର୍ଟ ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ରକୁ ନୋଟିସ୍ ଜାରି କରିବା ସହ ବିଭିନ୍ନ ହାଇକୋର୍ଟରେ ଥିବା ଏ ସମ୍ବନ୍ଧୀୟ ପିଟିସନ୍ ଗୁଡ଼ିକୁ ସୁପ୍ରିମ୍କୋର୍ଟକୁ ଟ୍ରାନ୍ସଫର କରିଥିଲେ । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପି ଏସ୍ ନରସିଂହା ଓ ଜଷ୍ଟିସ୍ ଜେ ବି ପାରଦିୱାଲାଙ୍କ ବେଞ୍ଚ ସୋମବାର ମାମଲାର ଶୁଣାଣି କରିବେ । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ୧୫ ପିଟିସନ୍ ଉପରେ ଜବାବ ଦାଖଲ କରାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ସବୁ ବିବାହ ଆଇନ ପୁରୁଷ-ମହିଳାଙ୍କୁ ନେଇ ହୋଇଛି । ସେଥିରେ ପୁରୁଷକୁ ସ୍ୱାମୀ, ନାରୀକୁ ସ୍ତ୍ରୀ ଭାବେ ଗ୍ରହଣ କରାଯାଇଛି । ସମଲିଙ୍ଗୀ ବିବାହ ପରେ ବିବାଦ ଉପୁଜିଲେ ପତି ଓ ପତ୍ନୀଙ୍କୁ ଭିନ୍ନ ଭିନ୍ନ ବ୍ୟକ୍ତି ଭାବେ ଚିହ୍ନଟ କରାଯାଇପାରିବ ନାହିଁ । ଯୌତୁକ, ଘରୋଇ ହିଂସା, ତଲାକ, ଗୁଜୁରାଣ ଭତ୍ତା, ଯୌତୁକ ହତ୍ୟା ଆଦି ଆଇନ ଉପଯୋଗରେ ବିଭ୍ରାଟ ଉପୁଜିବ ।
କେତେକ ପିଟିସନରେ ସମଲିଙ୍ଗୀ ବିବାହ ପାଇଁ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଆଣିବା ଲାଗି ଦାବି କରାଯାଇଛି । କେତେକ ଆବେଦନକାରୀ ତର୍କ ଦେଇଛନ୍ତି ଯେ, ୨୦୧୮ରେ ସୁପ୍ରିମ୍କୋର୍ଟର ସମ୍ବିଧାନ ବେଞ୍ଚ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଦର୍ଶାଉଥିବା ଆଇପିସିର ଧାରା ୩୭୭କୁ ରଦ୍ଦ କରି ଦେଇଥିଲେ । ଫଳତଃ ଦୁଇ ପ୍ରାପ୍ତ ବୟସ୍କ ମଧ୍ୟରେ ସହମତିକ୍ରମେ ହେଉଥିବା ସମଲିଙ୍ଗୀ ସମ୍ବନ୍ଧକୁ ଆଉ ଅପରାଧ ଭାବେ ଗ୍ରହଣ କରାଯାଉନାହିଁ । ତେଣୁ ଯୁଗ୍ମ ଜୀବନ ଯାପନ କରିବାକୁ ଚାହୁଁଥିବା ସମଲିଙ୍ଗୀ ଯୋଡ଼ିଙ୍କୁ ବିବାହ ପାଇଁ ଆଇନଗତ ଅନୁମତି ଦିଆଯିବା ଉଚିତ୍ ।
ଏହାର ଜବାବରେ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ସମଲିଙ୍ଗୀ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଶାରିରୀକ ସମ୍ବନ୍ଧକୁ ଅପରାଧ କୁହା ନ ଯିବା ଏବଂ ଦୁହିଁଙ୍କ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ଅଲଗା-ଅଲଗା ବିଷୟ । ଆବେଦନକାରୀ ଏ ପ୍ରକାର ବିବାହକୁ ନିଜ ମୌଳିକ ଅଧିକାର ବୋଲି କହିବା ଠିକ୍ ନୁହେଁ ।
ସୁପ୍ରିମ୍କୋର୍ଟରେ ପିଟିସନ ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଗେ କପଲ ସୁପ୍ରିୟା ଚକ୍ରବର୍ତ୍ତୀ ଓ ଅଭୟ ଡାଙ୍ଗ, ପାର୍ଥ ଫିରୋଜ ମେହରୋତ୍ରା ଓ ଉଦୟରାଜ ଆନନ୍ଦ ଅନ୍ତର୍ଭୁକ୍ତ । ଏମାନେ ଦର୍ଶାଇଛନ୍ତି ଯେ, ସ୍ୱତନ୍ତ୍ର ବିବାହ ଅଧିନିୟମରେ ବିଭିନ୍ନ ଜାତି ଓ ଧର୍ମର ପୁରୁଷ-ମହିଳାଙ୍କ ବିବାହକୁ ସ୍ୱୀକୃତି ଦିଆଯାଇଥିବା ସ୍ଥଳେ ସମଲିଙ୍ଗୀ ଯୋଡ଼ିଙ୍କ ସହ ଭେଦଭାବ କରାଯାଇଛି ।