କଂଗ୍ରେସର ମିଶନ୍ ୯ରୁ ୯ଠ

ଭୁବନେଶ୍ୱର, ୧୨ା୩ (ବୁ୍ୟରୋ): କଂଗ୍ରେସର ଫୋକସ୍ରେ ମିଶନ ୯ଠ । ଏଥିପାଇଁ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ଦଳର ବରିଷ୍ଠ ନେତୃବର୍ଗ । ଶରତ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ନେବାର ବର୍ଷେ ପୂରଣ ହେବାକୁ ଯାଉଛି । ସଭାପତି ଦାୟିତ୍ୱ ନେବା ପରେ ପ୍ରଥମେ ପ୍ରଦେଶ କଂଗ୍ରେସ କମିଟି, ତା’ପରେ ଜିଲ୍ଲା, ବ୍ଲକ୍ ଓ ୱାର୍ଡ କମିଟି କମିଟି ଗଠନ ହେବା କଥା । ଇତି ମଧ୍ୟରେ ଏକ ବର୍ଷ ପୂରଣ ହୋଇଥିଲେ ହେଁ କୌଣସି କମିଟି ଗଠନ ହୋଇପାରିନାହିଁ । ଏହାକୁ ନେଇ ଦଳୀୟ ନେତା ଓ କର୍ମୀ ମହଲ ହତୋତ୍ସାହିତ ହୋଇଥିବା ଦେଖିବାକୁ ମିଳିଛି । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି । କଂଗ୍ରେସ ତାର ମିଶନ୍ ୯ରୁ ୯୦କୁ କାର୍ଯ୍ୟକାରୀ କରିବା ଲାଗି ଏବେ ଦଳର ନେତା ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ରବିବାର ଦଳର ବରିଷ୍ଠ ନେତା ବିଜୟ ପଟ୍ଟନାୟକ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା । ବିଜୟ ପଟ୍ଟନାୟକ କହିଛନ୍ତି, ଆଗକୁ ଦଳର ରଣନୀତି କିଭଳି ରହିବ, ନିର୍ବାଚନରେ ବିରୋଧୀଙ୍କ ସହ ଲଢେଇ କେମିତ ହେବ ସେନେଇ ଚିରଞ୍ଜୀବଙ୍କ ସହ ଆଲୋଚନା ହୋଇଥିଲା । କଂଗ୍ରେସ ସହ ଓତପ୍ରୋତ ଭାବେ ଜଡିତ ବରିଷ୍ଠ ନେତା ଚିରଞ୍ଜୀବ କୌଣସି କାରଣରୁ ଅସନ୍ତୋଷ ପ୍ରକାଶ କରି ନିଜକୁ ଦଳୀୟ କାର୍ଯ୍ୟାଳୟଠାରୁ ଦୂରେଇ ରଖିଆସୁଥିଲେ । ଦଳ ଠାରୁ ଦୂରେଇ ରହିବା କାରଣରୁ ସେ ଦଳ ଛାଡିବା ନେଇ ଅନ୍ଦର ମହଲରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ରବିବାର ବିଜୟ ପଟ୍ଟନାୟକଙ୍କ ସହ ସାକ୍ଷାତ ଆଲୋଚନା ପରେ ସେ କଂଗ୍ରେସ ଛାଡିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି । ସେ କହିଛନ୍ତି, ଦଳ ବଦଳ ଆଲୋଚନା ଦୀର୍ଘ ଦିନରୁ ହେଉଛି । କିନ୍ତୁ ମୁଁ କଂଗ୍ରେସରେ ଅଛି । କଂଗ୍ରେସ ଭବନରେ ବସିଲେ ଭୋଟ୍ ମିଳିବନି । ନିଜ ଏରିଆକୁ ଗଲେ ଭୋଟ୍ ମିଳିବ । ମିଶନ ୯ରୁ ୯୦ ପାଇଁ ତୃଣମୂଳ ସ୍ତରରୁ ସଂଗଠନ ସୁଦୃଢ କରାଯିବା ଦରକାର । ଏହା ହେଉଛ କି ନାହିଁ ତାହା ଚିନ୍ତା କରିବାର ସମୟ ଆସିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *