ପୁଣି ବିପର୍ଯ୍ୟୟ ଘଟାଇଲା ଭାରତ

ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ ୨୦୨୨-୨୩
ରାଉରକେଲା, ୧୨ା୩ (ଆପ୍ର): ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ପ୍ରୋ ଲିଗ୍ରେ ରବିବାର ଅଷ୍ଟ୍ରେଲିଆକୁ ୫-୪ ଗୋଲ୍ରେ ହରାଇ ଆଉ ଏକ ବିପର୍ଯ୍ୟୟ ଘଟାଇଛି ଭାରତ । ବିଶ୍ୱକପ୍ ସମୟରେ ନିଜ ଡ୍ରାଗ୍-ଫ୍ଲିକିଂକୁ ନେଇ ସମାଲୋଚନାର ଶରବ୍ୟ ହୋଇଥିବା ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ତିନି ଗୋଲ୍ ସ୍କୋର୍ କରି ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ସୋମବାର ଆୟୋଜକ ଟିମ୍ ଜର୍ମାନୀ ବିପକ୍ଷରେ ଦ୍ୱିତୀୟ ମ୍ୟାଚ୍ ଖେଳିବ ।
ଭାରତ ଟେବୁଲ୍ରେ ଛଅଟି ମ୍ୟାଚ୍ରୁ ଚତୁର୍ଥ ବିଜୟ ସହ ମୋଟ୍ ୧୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ସ୍ପେନ୍ ଆଠଟି ମ୍ୟାଚ୍ରୁ ୧୭ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି ।
ଶୁକ୍ରବାର ଭାରତୀୟ ଟିମ୍ ବିଶ୍ୱ ବିଜେତା ଜର୍ମାନୀକୁ ୩-୨ରେ ମାତ୍ ଦେଇଥିଲା । ବିଶ୍ୱ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ଭାରତର ଏହା ରାଉରକେଲା ଠାରେ କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ଏହା କ୍ରମାଗତ ଦ୍ୱିତୀୟ ପରାଜୟ । କଙ୍ଗାରୁ ଟିମ୍ ରବିବାର ଜର୍ମାନୀ ଠାରୁ ୦-୧ରେ ହାରି ଯାଇଥିଲା ।
ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂହ (୧୪ତମ, ୧୫ତମ, ୫୬ତମ ମିନିଟ୍) ତିନିଟି ଏବଂ ଯୁଗରାଜ ସିଂହ (୧୮ତମ) ଓ କାର୍ତ୍ତୀ ସେଲ୍ଭମ୍ (୨୬ତମ) ଗୋଟିଏ ଲେଖାଏଁ ଗୋଲ୍ ସ୍କୋର୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜୋଶୁଆ ବେଲ୍ଜ (୩ୟ), କୀ ୱିଲଟ୍ (୪୩ତମ), ବେନ୍ ଷ୍ଟେନ୍ସ (୫୩ତମ) ଓ ଅରାନ୍ ଜାଲେସ୍କି (୫୭ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।
ମ୍ୟାଚ୍ରେ ଭାରତ ଓ ଅଷ୍ଟ୍ରେଲିଆ ଉଭୟ ୧୦ ଲେଖାଏଁ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲେ । ସେଥିମଧ୍ୟରେ ଭାରତ ତିନିଟି ଓ ଅଷ୍ଟ୍ରେଲିଆ ଦୁଇଟିର ସଦୁପଯୋଗ କରିପାରିଥିଲା ।
ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରିଥିଲେ । ମ୍ୟାଚ୍ର ତୃତୀୟ ମିନିଟ୍ରେ ବେଲ୍ଜଙ୍କ ଗୋଲ୍ ବଳରେ ଅଷ୍ଟ୍ରେଲିଆ ଅଗ୍ରଣୀ ହାସଲ କରିଥିଲା । ଏହା ପର ମିନିଟ୍ରେ ଭାରତ କ୍ରମାଗତ ଚାରି ପେନାଲ୍ଟି କର୍ଣ୍ଣର ଜିତିଥିଲା, କିନ୍ତୁ ଗୋଟିଏ ବି କାମରେ ଆସି ନ ଥିଲା । ନବମ ମିନିଟ୍ରେ ଅଷ୍ଟ୍ରେଲିଆ ପ୍ରଥମ ପିସି ପାଇଥିଲା, ହେଲେ ଏହା ନିଷ୍ଫଳ ହୋଇଥିଲା ।
୧୪ତମ ମିନିଟ୍ରେ ଭାରତକୁ ପଞ୍ଚମ ପିସି ମିଳିଥିଲା । ଏଥର ପିସି କାମରେ ଆସିଥିଲା । ହରମନପ୍ରୀତ ଏହାକୁ ଗୋଲ୍ରେ ପରିଣତ କରି ସ୍କୋର୍ଲାଇନ୍କୁ ୧-୧ ବରାବର ସ୍ଥିତିକୁ ଆଣିଥିଲେ । ପରବର୍ତ୍ତୀ ମିନିଟ୍ରେ ଆଉ ଏକ ପିସି ଜିତିଥିଲା ଭାରତ । ଏଥିରୁ ବି ଗୋଲ୍ କରିଥିଲେ ହରମନପ୍ରୀତ । ଇତ୍ୟବସରେ ଅଷ୍ଟ୍ରେଲିଆର ଏଡି ଓକେନ୍ଡେନ୍ଙ୍କୁ ରେଫରୀ ୟେଲୋ କାର୍ଡ ପ୍ରଦର୍ଶନ କରିଥିଲେ । ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୨-୧ରେ ଆଗରେ ଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ବି ଆକ୍ରମଣାତ୍ମକ ଖେଳ ଜାରି ରହିଥିଲା । ପ୍ରଥମ ମିନିଟ୍ରେ ଅଷ୍ଟ୍ରେଲିଆ ପାଇଥିବା ପିସି ବିଫଳ ହୋଇଥିଲା । ୧୮ତମ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା । ଯୁଗରାଜ ଏଥିରୁ ଗୋଲ୍ କରି ଟିମ୍କୁ ୩-୧ରେ ଅଗ୍ରଣୀ କରିଥିଲେ ।
ଏହାପରେ ଚାରି ମିନିଟ୍ ମଧ୍ୟରେ ଭାରତର ଦୁଇ ଖେଳାଳି – ରବିଚନ୍ଦ୍ର ମୋଇରାଙ୍ଗଥେମ୍ (୨୦ତମ) ଓ ବିଷ୍ଣୁକାନ୍ତ ସିଂହ (୨୪ତମ)ଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଏହା ସତ୍ତ୍ୱେ ଟିମ୍ର ପ୍ରଦର୍ଶନ ପ୍ରଭାବିତ ହୋଇ ନ ଥିଲା । ୨୬ତମ ମିନିଟ୍ରେ କାର୍ତ୍ତି ଏକ ଫିଲ୍ଡ ଗୋଲ୍ ଦେଇଥିଲେ, ଯାହା ଟିମ୍ର ଚତୁର୍ଥ ଗୋଲ୍ ଥିଲା । ଏହି କ୍ୱାର୍ଟର ଶେଷ ହେବାକୁ ଦୁଇ ମିନିଟ୍ ଥିଲା ଅଷ୍ଟ୍ରେଲିଆରେ କୀ ୱିଲଟ୍ଙ୍କୁ ବି ଗ୍ରୀନ୍କାର୍ଡ ଦେଖାଇଥିଲେ ରେଫରୀ । ମଧ୍ୟାନ୍ତର ସୁଦ୍ଧା ସ୍କୋର୍ଲାଇନ୍ ଭାରତ (୪-୧) ସପକ୍ଷରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ ପାଇଁ ଜୋର୍ଦାର ପ୍ରୟାସ କରିଥିଲା । ଫଳସ୍ୱରୂପ, ଟିମ୍କୁ ୪୧ତମ ମିନିଟ୍ରେ ଦୁଇଟି ପିସି ମିଳିଥିଲା । କିନ୍ତୁ ଭାରତୀୟ ରକ୍ଷଣପନ୍ଥୀ କୌଣସିଟିକୁ ଗୋଲ୍ ହେବାକୁ ଦେଇ ନ ଥିଲେ । ତେବେ ଏହାର ଦୁଇ ମିନିଟ୍ ପରେ ୱିଲଟ୍ ଏକ ଫିଲ୍ଡ ଗୋଲ୍ ଦେଇ ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲେ । ୪୫ତମ ମିନିଟ୍ରେ ଟିମ୍କୁ ଆଉ ଏକ ପିସି ବି ମିଳିଥିଲା ।
୪-୨ରେ ଅଗ୍ରଣୀ ସହ ଭାରତ ଅନ୍ତିମ କ୍ୱାର୍ଟରରେ ପ୍ରବେଶ କରିଥିଲା । ୪୯ତମ ମିନିଟ୍ରେ ଅଷ୍ଟ୍ରେଲିଆ ଷଷ୍ଠ ପିସି ହାସଲ କରିଥିଲା । ଭାରତ ମଧ୍ୟ ଏହାର ଏକ ମିନିଟ୍ ପରେ ସପ୍ତମ ପିସି ପାଇଥିଲା । କିନ୍ତୁ କେହି ଏହାର ସଦୁପଯୋଗ କରିପାରି ନ ଥିଲେ ।
୫୧ତମ ମିନିଟ୍ରେ ଅଷ୍ଟ୍ରେଲିଆର ଏଡି ଓ ୫୩ତମ ମିନିଟ୍ରେ ଭାରତର ମନପ୍ରୀତ ସିଂହଙ୍କୁ ୟେଲୋ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଇତ୍ୟବସରେ ଅଷ୍ଟ୍ରେଲିଆକୁ ଏକ ପିସି ମିଳିଥିଲା । ବେନ୍ ଷ୍ଟେନ୍ସ ଏହାକୁ ଗୋଲ୍ରେ ପରିଣତ କରି ସ୍କୋର୍କୁ ୩-୪ରେ ପହଞ୍ଚାଇଥିଲେ ।
ଏହାପରେ ଲଢ଼େଇର ତୀବ୍ରତା ଆହୁରି ବଢ଼ିଯାଇଥିଲା । ୫୬ତମ ମିନିଟ୍ରେ ଆୟୋଜକ ଟିମ୍ ତିନି ପିସି ପାଇଥିଲା । ତୃତୀୟ ପିସିକୁ ଗୋଲ୍ରେ ପରିଣତ କରି ଟିମ୍କୁ ୫-୩ରେ ଅଗ୍ରଣୀ କରିଥିଲେ ହରମନପ୍ରୀତ, ଯାହାକି ତାଙ୍କର ବ୍ୟକ୍ତିଗତ ତୃତୀୟ ଗୋଲ୍ ଥିଲା । ଏହା ପର ମିନିଟ୍ରେ ଅଷ୍ଟ୍ରେଲିଆର ଜାଲେସ୍କି ଏକ ପିସିରୁ ଗୋଲ୍ ଦେବା ସ୍କୋର୍ ବ୍ୟବଧାନ ପୁଣି ଥରେ ହ୍ରାସ ପାଇଥିଲା । ଉକ୍ତ ମିନିଟ୍ ଏବଂ ଶେଷ ମିନିଟ୍ରେ ଅଷ୍ଟ୍ରେଲିଆ ଆଉ ଦୁଇଟି ପିସି ହାସଲ କରିଥିଲା । କିନ୍ତୁ ସେଥିରୁ ଗୋଲ୍ ହୋଇ ନ ଥିଲା । ଶେଷରେ ଭାରତୀୟ ଟିମ୍ ୫-୪ରେ ମ୍ୟାଚ୍ ଜିତିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *