ସିପିନାସୀରେ ଦ୍ୱାରିକାଧୀଶ, ସପ୍ତଋଷି ବିଗ୍ରହ ପ୍ରତିଷ୍ଠା
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ବ୍ରହ୍ମପୁର ପଞ୍ଚାୟତ ଅନ୍ତର୍ଗତ ମଏଁଷା ଗ୍ରାମ ସିପିନାସୀ ଠାରେ ଦ୍ୱାରିକାଧିଶ ଓ ସପ୍ତଋଷି ବିଗ୍ରହ ସ୍ଥାପନା କରାଯାଇଛି । ପ୍ରଥମ ଦିନରେ ଅଙ୍କୁରାରୋପଣ, ନିଧିବାସ ହୋଇଥିବା ବେଳେ ଦ୍ୱିତୀୟ ଦିନ କଳସ ଯାତ୍ରା, ଗୋପୂଜା, ସୂର୍ଯ୍ୟପୂଜା, ତୃତୀୟ ଦିନରେ ସୂର୍ଯ୍ୟପୂଜା, ଗୋପୂଜା ଓ ବିଗ୍ରହ ନଗର ପରିକ୍ରମା ହୋଇଥିଲା । ଶେଷ ଦିନ ଅର୍ଥାତ୍ ରବିବାର ନୂତନ ବିଗ୍ରହଙ୍କ ପ୍ରତିଷ୍ଠା ନୀତି ସମ୍ପନ୍ନ ହୋଇଥିଲା । ତତ୍ସହିତ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମଧ୍ୟ ସମ୍ପନ୍ନ ହୋଇଛି । ଏଥିରେ କର୍ତ୍ତା ଭାବେ ଜଳନ୍ଧର ଜାଲି ଓ କର୍ତ୍ତୀ ଅନିତା ଜାଲି ରହିଥିଲେ । ଅନ୍ୟପକ୍ଷରେ ମୁଖ୍ୟ ବ୍ରାହ୍ମଣ ଆର୍ତ୍ତବନ୍ଧୁ ମିଶ୍ରଙ୍କ ସମେତ ୫ ଜଣ ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚାରଣରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୦ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ସମାଗମ ହୋଇଥିଲା । ଏଥିରେ ଗ୍ରାମର ରମେଶ କରଣ, ନିରଞ୍ଜନ ଜାଲି, ପ୍ରକାଶ ସାହୁ, ଦେବେନ୍ଦ୍ର ଜାଲି, ସୁରଥ କରଣ, ସନାତନ ନାଏକ, ପବିତ୍ର ଦାସ, ଶ୍ରୀବତ୍ସ ନାଏକଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା ।
ସୂଚନାଥାଉକି, ମାଳିକା ବର୍ଣ୍ଣିତ ଦେବଭୂମି ଦ୍ୱାରିକାରେ ପ୍ରାୟ ଶତାଧିକ ମହାଋଷି ନିଷିଦ୍ଧ ରାତ୍ରିରେ ମହାପ୍ରଭୁ ଜଗନ୍ନାଥ, ଦ୍ୱାରିକା ଅଧିପତି ଶ୍ରୀକୃଷ୍ଣ ଚନ୍ଦ୍ରଙ୍କ ଦର୍ଶନରେ ଆସିଥିବା ଉଲ୍ଲେଖ ରହିଛି । ମଏଁଷା ଗ୍ରାମର ସର୍ବେଶ୍ୱର ମନ୍ଦିରରେ ୯ ଦିନ ଯାତ୍ରାରେ ରହିଥିଲେ ବୋଲି ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ବର୍ଗ ସୂଚନା ଦେଇଛନ୍ତି । ଶେଷଦିନରେ ସ୍ଥାନୀୟ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ପୂର୍ଣ୍ଣାହୁତିରେ ସାମିଲ ହେବା ସହ ନବ ବିଗ୍ରହଙ୍କ ଆଶିଷ ଗ୍ରହଣ କରିଥିଲେ ।