ଦୁଇ ପିକ୍ଅପ୍ ଧକ୍କାରେ ୬ ମୃତ

ଅନୁଗୁଳ/କେନ୍ଦ୍ରାପଡା, ୧୨ା୩ (ଆପ୍ର): ଶନିବାର ରାତି ଓ ରବିବାର ଅପରାହ୍ଣରେ ଅନୁଗୁଳ ଓ କେନ୍ଦ୍ରାପଡା ଜିଲ୍ଲାରେ ଦୁଇଟି ସଡକ ଦୁର୍ଘଟଣାରେ ୬ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୩ ଜଣ ଗୁରୁତରଭାବେ ଆହତ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲା ଦେଇଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଜରପଡ଼ା ଥାନା ସାନ୍ତରାପୁର ନିକଟରେ ୩ ଜଣ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ସେମାନେ ହେଲେ- କୁଲେଇ ଗ୍ରାମର ସିପୁ ପ୍ରଧାନ (୨୬), ସୁନୀଲ ସାହୁ (୨୫) ଓ ମାନସ ବେହେରା (୨୭) । ରବିବାର ଅପରାହ୍ନ ସାଢ଼େ ତିନିଟାରେ ଏକ ପଲସର୍ରେ ୪ ଯୁବକ ବଡ଼କେରା ପଟୁ ଜରପଡ଼ା ଯାଉଥିବା ସମୟରେ ସମ୍ମୁଖରୁ ଅନୁଗୁଳ ଅଭିମୁଖେ ଯାଉଥିବା ପିକ୍ଅପ୍ (ଓଡ଼ି୧୯କୁ୍ୟ-୫୦୫୨) ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଜରପଡା ଥାନା ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିବା ପରେ ଦୀର୍ଘ ସମୟ ପରେ ରାସ୍ତାରୋକ ହଟିଥିଲା । ସେହିପରି କେନ୍ଦ୍ରାପଡ଼ା ସଦର ଥାନା କଟକ-ଚାନ୍ଦବାଲି ରାସ୍ତାର ଜମଧରରେ ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୋଳ କାନେ୍ଧଇ ଯାଉଥିବା ଲୋକଙ୍କୁ ଧକ୍କା ଦେବାରୁ ୩ ଜଣଙ୍କ ମୃତୁ୍ୟ ଘଟିଛି ଓ ୨ ଜଣ ଆହତ ହୋଇଛନ୍ତି । ବାଲିଆ ବଜାରରେ ଦୋଳ ମେଳଣ ସାରି ଶନିବାର ରାତିରେ ବାଲିଆ ବଣହରା ଅଧିକାରୀ ଘର ଠାକୁର ଦୁହୁରିଆରେ ଆୟୋଜିତ ମେଲଣରୁ ଭୋଗ ଖାଇବାକୁ ଯାଉଥିଲେ । ରାତି ପ୍ରାୟ ଗୋଟାଏରେ ଜମଧର ଠାରେ କଟକରୁ କେନ୍ଦ୍ରାପଡ଼ା ଆସୁଥିବା ଏକ ମାଛ ବୋଝେଇ ପିକ୍ଅପ୍ (ଓଡି୦୫-ଏଆର୍-୯୩୦୯) ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଠାକୁରଙ୍କୁ କାନେ୍ଧଇଥିବା ବଡ଼ଗାଁର ସୋମନାଥ ସାହୁଙ୍କ ମୃତ୍ୟୁ ଘଟିଥିଲା । ଗୁରୁତ୍ୱର ଅବସ୍ଥାରେ ୩ ଜଣଙ୍କୁ କଟକ ବଡ଼ମେଡିକାଲକୁ ପଠାଯାଇଥିଲା । ସେଠାରେ ଠାକୁରଙ୍କ ସ୍ୱତ୍ତ୍ୱାଧିକାରୀ ଦିବ୍ୟଜ୍ୟୋତି ଦାଶ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତୁ୍ୟ ଘଟିଛି । ଦୋଳ ବିମାନ ସମ୍ପୂର୍ଣ ଭାଙ୍ଗିରୁଜି ଯାଇଛି । ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି । ସଦର ଥାନା ପୁଲିସ ପହଞ୍ଚି ପିକ୍ଅପ୍କୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଚଳାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *