୨୬ରେ ଆସିବେ ଶାହା
ଭୁବନେଶ୍ୱର, ୧୧ା୩ (ବୁ୍ୟରୋ): ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସନ୍ତା ୨୬ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହା । ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପାଳସାହି ପଞ୍ଚାୟତ ଅନ୍ତର୍ଗତ ସାଁଆଳପୁରଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।
ଶନିବାର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଲେଖାଶ୍ରୀ କହିଛନ୍ତି, ଶ୍ରୀ ଶାହା ୨୬ ସକାଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚôବା ପରେ ସେଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଏହାପରେ ସେ ଆରଡ଼ି ମନ୍ଦିରକୁ ଯାଇ ପ୍ରଭୁ ଆଖଣ୍ଡଳମଣିଙ୍କୁ ଦର୍ଶନ କରିବେ । ଭଦ୍ରକ ଲୋକସଭା ଅର୍ନ୍ତଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କୁ ଶ୍ରୀ ଶାହା ସାଁଆଳପୁର ସଭାରେ ସମ୍ବୋଧିତ କରିବେ ଏବଂ ଅପରାହ୍ନରେ ଭୁବନେଶ୍ୱର ଫେରିଆସି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ତଥା ପ୍ରମୁଖ ପଦାଧିକାରୀଙ୍କ ସହ ଆଲୋଚନା କରିବେ । ସନ୍ଧ୍ୟାରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମନରେ ଉତ୍ସାହ ବଢିଛି । ଶାହାଙ୍କ ଏହି ଗସ୍ତ ତୃଣମୂଳ ସ୍ତରରେ କର୍ମୀଙ୍କୁ ବଳ ଯୋଗାଇବ ବୋଲି ଲେଖାଶ୍ରୀ କହିଛନ୍ତି । ଏହି ଅବସରରେ ଦଳର ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ସଭାପତି ସିକନ୍ଦର ଅଲୀ, ସାମାଜିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନ୍ଗୋ ପ୍ରମୁଖ ଉପସ୍ଥିତ ଥିଲେ ।