ଗିଲ୍ଙ୍କ ଶତକ, ଭାରତର ଦୃଢ଼ ଜବାବ

ଚତୁର୍ଥ ଟେଷ୍ଟ, ତୃତୀୟ ଦିବସ
ଅହମଦାବାଦ, ୧୧ା୩ (ଏଜେନ୍ସି): ଓପନର୍ ଶୁଭମନ ଗିଲ୍ଙ୍କ ଶତକ ଓ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଟିମ୍ ଇଣ୍ଡିଆ ଚତୁର୍ଥ ଟେଷ୍ଟରେ ଶନିବାର ନିଜ ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆକୁ ଦୃଢ଼ ଜବାବ ଦେଇଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଆୟୋଜକ ଟିମ୍ ୩ ୱିକେଟ୍ ହରାଇ ୨୮୯ ରନ୍ ସଂଗ୍ରହ କରିଛି । କୋହଲି ୫୯ ଓ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ଅଛନ୍ତି । ଟିମ୍ ଏବେ ବି ୧୯୧ ରନ୍ ପଛରେ ରହିଛି ।
ଗିଲ୍ ଚଳିତ ବର୍ଷ କ୍ୟାରିଅରର ପଞ୍ଚମ ଆନ୍ତର୍ଜାତିକ ଶତକ ହାସଲ କରିଥିଲେ । ପ୍ରାୟ ଛଅ ଘଣ୍ଟା କ୍ରିଜ୍ରେ ଥିବା ଗିଲ୍ ୨୩୫ ବଲ୍ରୁ ୧୨ ଚୌକା ଓ ଗୋଟିଏ ଛକା ସହ ୧୨୮ ରନ୍ର ଇନିଂସ୍ ଖେଳିଥିଲେ । ଅନ୍ୟପଟେ, କୋହଲି ଟେଷ୍ଟ କ୍ରିକେଟ୍ରେ ୧୪ ମାସ ଓ ୧୫ ଇନିଂସ୍ ପରେ ଅର୍ଦ୍ଧଶତକ ଲଗାଇଥିଲେ, ଯାହା ତାଙ୍କର ୨୯ତମ ଟେଷ୍ଟ ଅର୍ଦ୍ଧଶତକ ଥିଲା । ଏହି ମ୍ୟାଚ୍ ଭାରତ ପାଇଁ ଖୁବ୍ ଗୁରୁତ୍ୱ ରଖେ । ଶୃଙ୍ଖଳାରେ ୨-୧ରେ ଆଗରେ ଥିବା ଭାରତ ଏହି ମ୍ୟାଚ୍ ଜିତିଲେ ବିଶ୍ୱ ଚାମ୍ପିଅନ୍ସିପ୍ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିବ । ଯଦି ରୋହିତ ସେନା ଏହି ମ୍ୟାଚ୍ ହାରେ ଏବଂ ଶ୍ରୀଲଙ୍କା ଟିମ୍ ନୁ୍ୟଜିଲାଣ୍ଡ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ଜିତେ, ତା’ହେଲେ ଦ୍ୱୀପ ରାଷ୍ଟ୍ର ଡବ୍ଲୁ୍ୟଟିସି ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭେଟିବ । ଯଦି ଭାରତ ମ୍ୟାଚ୍ ଡ୍ର’ ରଖେ ଏବଂ ଶ୍ରୀଲଙ୍କା ୨-୦ରେ ଜିତିବାରେ ବିଫଳ ହୁଏ, ଡବ୍ଲୁ୍ୟଟିସି ଫାଇନାଲ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ।
ଭାରତୀୟ ଟିମ୍ ୩୬/୦ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବ ଦିନ କ୍ରିଜ୍ରେ ଥିବା ଅଧିନାୟକ ରୋହିତ ଶର୍ମା ଓ ଗିଲ୍ଙ୍କ ଯୋଡ଼ି ଇନିଂସ୍କୁ ୭୪ ରନ୍ରେ ପହଞ୍ଚାଇଥିଲେ । ରୋହିତ ୩୫ ରନ୍ କରି ମାଥୁ୍ୟ କୁନେମାନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ଚେତେଶ୍ୱର ପୂଜାରା । ଭୋଜନକାଳ ବିରତି ବେଳକୁ ସ୍କୋର୍ ହୋଇଥିଲା ୧୨୯/୧ । ଦ୍ୱିତୀୟ ସତ୍ରରେ ବି ଉଭୟ ଇନିଂସ୍କୁ ଦୃଢ଼ତାର ସହ ଆଗେଇ ନେଇଥିଲେ । ଇତ୍ୟବସରେ ଗିଲ୍ ୧୯୪ ବଲ୍ରୁ ଶତକ ପୂରଣ କରିଥିଲେ । ଏହା ତାଙ୍କର ଦ୍ୱିତୀୟ ଟେଷ୍ଟ ଶତକ ଥିଲା । ଟିମ୍ର ସ୍କୋର୍ ୧୮୭ ହୋଇଥିବା ବେଳେ ଏହି ଯୋଡ଼ି ଭାଙ୍ଗିଥିଲେ ଟଡ୍ ମର୍ଫି । ପୂଜାରା ୪୨ ରନ୍ କରି ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ଦ୍ୱିତୀୟ ୱିକେଟ୍ ପାଇଁ ୧୧୩ ରନ୍ର ଭାଗୀଦାରୀ ହୋଇଥିଲା ।
ଗିଲ୍ଙ୍କ ଉଜ୍ଜ୍ୱଳ ପ୍ରଦର୍ଶନ ଜାରି ରହିଥିଲା । ଏହାପରେ ସେ କୋହଲିଙ୍କ ସହ ମିଶି ତୃତୀୟ ୱିକେଟ୍ ପାଇଁ ୫୮ ରନ୍ ଯୋଗ କରିଥିଲେ । ଗିଲ୍ଙ୍କ ୱିକେଟ୍ ନାଥନ୍ ଲାୟନ୍ଙ୍କ ଖାତାକୁ ଯାଇଥିଲା । ଏହାପରେ କୋହଲି ଓ ନୂଆ ବ୍ୟାଟର୍ ଜାଡ଼େଜା ଦିନର ଖେଳ ଶେଷ ସୁଦ୍ଧା ଆଉ ୱିକେଟ୍ ପଡ଼ିବାକୁ ଦେଇ ନ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *