ପିଲାଦିନେ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର
ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କ ସମ୍ବେଦନଶୀଳ ବୟାନ
ନୂଆଦିଲ୍ଲୀ(ଏଜେନ୍ସି): ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ୍ୟ) ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ ଶନିବାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ବୟାନ୍ ଦେଇଛନ୍ତି । ସ୍ୱାତୀ କହିଛନ୍ତି, ପିଲାଦିନେ ସେ ନିଜ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିଲେ । ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ ସ୍ୱାତୀ ନିଜ ବାପାଙ୍କ ସମ୍ପର୍କରେ ଏପ୍ରକାର ସାଂଘାତିକ ତଥ୍ୟକୁ ଉଜାଗର କରିଛନ୍ତି ।
ସ୍ୱାତୀଙ୍କ ଅନୁସାରେ ସେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ିବା ପର୍ଯ୍ୟନ୍ତ ନିଜ ବାପାଙ୍କ ସହ ରହୁଥିଲେ । ଏହି ସମୟରେ ତାଙ୍କ ବାପା ତାଙ୍କୁ ସାମାନ୍ୟ କଥାରେ ମଧ୍ୟ ଅତ୍ୟଧିକ ମାଡ଼ ମାରୁଥିଲେ । ତାଙ୍କ ଚୁଟିକୁ ଧରି ତାଙ୍କ ବାପା କାନ୍ଥରେ ଜୋରରେ ପିଟି ଦେଉଥିଲେ, ଯେଉଁଥିରେ ସେ ଅସହ୍ୟ ଯନ୍ତ୍ରଣା ପାଉଥିଲେ । ଏପରିକି ତାଙ୍କୁ ତାଙ୍କ ବାପା ଯୌନ ନିର୍ଯାତନା ମଧ୍ୟ ଦେଉଥିଲେ । ଏସବୁ ତାଙ୍କ ସହ ବରାବର ଘଟିଚାଲିଥିଲେ ମଧ୍ୟ ସେ ଏସବୁକୁ ପ୍ରତିରୋଧ କରିବାରେ ଅସମର୍ଥ ହେଉଥିଲେ । ଯେତେବେଳେ ରାତିରେ ବାପା ଘରକୁ ଫେରୁଥିଲେ ସେ ଭୟରେ ଖଟ ତଳେ ଲୁଚି ଯାଉଥିଲେ । ଏହି ସମୟରେ ହିଁ ସେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ କିଛି କରିବେ ବୋଲି ଚିନ୍ତା କରିଥିଲେ । ଈଶ୍ୱରଙ୍କ ଆଶିର୍ବାଦରୁ ଆଜି ସେ ନିଜକୁ ସେହି ସ୍ଥାନରେ ପହଞ୍ଚାଇପାରିଛନ୍ତି, ଯେଉଁଠି ସେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ କିଛି କରିପାରୁଛନ୍ତି ।
ସୂଚନାଯୋଗ୍ୟ, ବିଜେପି ନେତ୍ରୀ ତଥା ଅଭିନେତ୍ରୀ ଖୁସବୁ ସୁନ୍ଦର ଜାତୀୟ ମହିଳା କମିଶନ୍ରେ ଯୋଗଦେବା ପରେ ପିଲାଦିନେ ନିଜ ବାପାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ନେଇ ଏକ ବିସ୍ଫୋରକ ସୂଚନା ଦେଇଥିଲେ ।