ପୁଣି ନବ ଝଡ଼: ଗୃହ ଅଚଳ

ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ
ଭୁବନେଶ୍ୱର, ୧ଠା୩ (ବୁ୍ୟରୋ): ଷୋଡ଼ଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱାଦଶ ଅଧିବେଶର ପ୍ରଥମ ଦିନ (ଶୁକ୍ରବାର)ରୁ ହିଁ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ନବ ଦାସ ହତ୍ୟା ପ୍ରସଙ୍ଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହୋହଲ୍ଲା କରିବା ସହିତ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଫଳରେ ଗୃହ କାର୍ଯ୍ୟ ଚାଲିବା ସମ୍ଭବପର ହୋଇପାରି ନ ଥିଲା ଯେଉଁଥିପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ପ୍ରଥମେ ଶୂନ୍ୟ କାଳ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଅପରାହ୍ନ ଅଧିବେଶନରେ ବିଭିନ୍ନ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା । ପ୍ରଥମ ଦିନରେ ଗୃହ କାର୍ଯ୍ୟ ମାତ୍ର ୨୮ ମିନିଟ୍ ଚାଲିପାରିଥିଲା ।
ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଡାକିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଥିଲା ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ, ବିଜ୍ଞାନ ଓ କାରିଗରୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ସରକାରୀ ଉଦ୍ୟୋଗ ଭଳି ୭ଟି ବିଭାଗର ପ୍ରଶ୍ନ ଉତ୍ତର । ବାଚସ୍ପତି ଆସନ ଗ୍ରହଣ କରିବା ପରେ ବିଧାୟକ ପ୍ରଦୀପ ଦିଶାରୀ ପଚାରି ଥିବା କଳାହାଣ୍ଡି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ସମ୍ପର୍କିତ ଉତ୍ତର ରଖିବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବଙ୍କୁ କହିଥିଲେ । ଏହି ସମୟରେ ନବ ଦାସ ହତ୍ୟାକୁ ପ୍ରସଙ୍ଗ କରି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଆସନରୁ ଉଠି ଆସି ବାଚସ୍ପତିଙ୍କ ପୋଡିୟମ ଆଗରେ ବିକ୍ଷୋଭ ସହ ନାରାବାଜି କରିଥିଲେ । ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୦ ଟା ୩୨ ମିନିଟ୍ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ଶୂନ୍ୟ କାଳରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଗୃହ ମଧ୍ୟରେ ପୂର୍ବସ୍ଥିତି ଦେଖିବାକୁ ମିଳିଥିଲା । ବିଜେପି ସଦସ୍ୟମାନେ ନବ ଦାସ ହତ୍ୟା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ ହାଇକୋର୍ଟର ସିଟିଂ ଜଜ୍ଙ୍କ ଦ୍ୱାରା ଏସ୍ଆଇଟି ତଦନ୍ତ ଦାବି କରିଥିଲେ । ଗୃହ ପରିଚାଳନାରେ ବାଧା ଉପୁଜିବାରୁ ବାଚସ୍ପତି ଗୃହ କାର୍ଯ୍ୟକୁ ପୁଣିଥରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନ ଆରମ୍ଭ ହେବା ମାତ୍ରେ ପୁଣି ସମାନ ଦାବି ନେଇ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ଗୃହରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୃହର ସୁପରିଚାଳନା ନିମନ୍ତେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇ ଗୃହକୁ ପର୍ଯ୍ୟାୟକ୍ରମେ ୪ଟା ୦୧ ମନିଟ୍ରୁ ୪ଟା ୨୧, ୪ଟା ୨୧ରୁ ୪ଟା ୩୬ , ୪ଟା ୩୬ ରୁ ୪ଟା ୪୧, ପୁଣି ୪.୪୧ରୁ ୪ଟା ୫୧ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ସର୍ବଦଳୀୟ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରି ନ ଥିଲା । ତେବେ ୪ଟା ୫୧ ମିନିଟ୍ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନିଜ ନିଜ ଆସନରେ ବସିଥିବା ବେଳେ ବିଜେପି ସଦସ୍ୟମାନେ ସମାନ ଢଙ୍ଗରେ ଗୃହର ମଧ୍ୟ ଭାଗରେ ପ୍ରତିବାଦ ଜଣାଇଥିଲେ । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିଭିନ୍ନ ବିଭାଗର ରିପୋର୍ଟ ସହିତ ବିଧାନସଭା ସ୍ଥାୟୀ କମିଟିର ରିପୋର୍ଟଗୁଡିକ ଉପସ୍ଥାପିତ ହୋଇଥିଲା । ଏହାପରେ ବାଚସ୍ପତି ଗୃହକୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *