ବିଶ୍ୱବିଜେତା ଜର୍ମାନୀକୁ ହରାଇଲା ଭାରତ
ଏଫ୍ଆଇଏଚ୍ ପ୍ରୋ ଲିଗ୍
ରାଉରକେଲା, ୧୦ା୩ (ଆପ୍ର): ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ରେ ଆୟୋଜକ ଭାରତ ବିଶ୍ୱ ବିଜେତା ଜର୍ମାନୀକୁ ୩-୨ରେ ପରାସ୍ତ କରିଛି । ବିଶ୍ୱକପ୍ ବିଫଳତା ପରେ ଭାରତର ଏହା ଦମ୍ଦାର ପ୍ରତ୍ୟାବର୍ତ୍ତନ ଥିଲା । ଭାରତୀୟ ଟିମ୍ ପକ୍ଷରୁ ଦୁଇଟି ଗୋଲ୍ କରିଥିବା ସୁଖଜିତ୍ ସିଂହ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ଶନିବାର ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ ।
ଭାରତ ପକ୍ଷରୁ ସୁଖଜିତ୍ (୩୧ତମ ଓ ୪୨ତମ) ଦୁଇଟି ଓ ହରମନପ୍ରୀତ ସିଂହ (୩୦ତମ) ଗୋଟିଏ ଗୋଲ୍ ସ୍କୋର୍ କରିଥିଲେ । ବିପକ୍ଷ ଜର୍ମାନୀ ପକ୍ଷରୁ ପଲ୍-ଫିଲିପ୍ କୌଫମାନ୍ (୪୪ତମ) ଓ ମିଚେଲ୍ ଷ୍ଟ୍ରଥୋଫ୍ (୫୭ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଜର୍ମାନୀ ଛଅ ପେନାଲ୍ଟି କର୍ଣ୍ଣର ମିଳିଥିବା ବେଳେ ଭାରତ ଚାରି ପିସି ଜିତିଥିଲା । ଭାରତୀୟ ଟିମ୍ ରବିବାର ଅଷ୍ଟ୍ରେଲିଆ ଓ ସୋମବାର ଜର୍ମାନୀକୁ ଭେଟିବ । ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତ ନୁ୍ୟଜିଲାଣ୍ଡ ବିପକ୍ଷ ୪-୩ ଓ ୭-୪ ବିଜୟ ଏବଂ ସ୍ପେନ୍ ଠାରୁ ୨-୩ ପରାଜୟ ଓ ୩-୧ ସୁଟ୍ଆଉଟ୍ ବିଜୟରୁ ପ୍ରୋ ଲିଗ୍ ଅଭିଯାନ ଆରମ୍ଭ କରିଥିଲା । ମ୍ୟାଚ୍ରେ ଆକ୍ରମଣାତ୍ମକ ଆରମ୍ଭ କରିଥିବା ଜର୍ମାନୀ ଟିମ୍ ୧୦ତମ ମିନିଟ୍ରେ ପାଞ୍ଚ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା । କିନ୍ତୁ ଭାରତର ମଜଭୁତ ରକ୍ଷଣପନ୍ଥୀ ଗୋଟିଏ ବି ଗୋଲ୍ ହେବାକୁ ଦେଇ ନ ଥିଲେ । ପ୍ରଥମ କ୍ୱାର୍ଟର ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିଲା । ଶେଷ ମିନିଟ୍ରେ ଭାରତକୁ ପ୍ରଥମ ପିସି ମିଳିଥିଲା । ହରମନପ୍ରୀତ ଏହାକୁ ଗୋଲ୍ରେ ପରିଣତ କରି ଡେଡ୍ଲକ୍ ଭାଙ୍ଗିଥିଲେ ।
ଦ୍ୱିତୀୟାର୍ଦ୍ଧର ଦ୍ୱିତୀୟ ମିନିଟ୍ରେ ସୁଖଜିତ୍ ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଏହାର ଦୁଇ ମିନିଟ୍ ପରେ ଭାରତ ତିନି ପିସି ଜିତିଥିଲା । ୩୪ତମ ମିନିଟ୍ରେ ହରମନପ୍ରୀତ ସିଂହଙ୍କୁ ୟେଲୋ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଏହାର ପର ମିନିଟ୍ରେ ଜର୍ମାନୀର ମାର୍ଟିନ ଜ୍ୱିକରଙ୍କୁ ରେଫରୀ ଗ୍ରୀନ୍ କାର୍ଡ ଦେଖାଇଥିଲେ । ୩୮ତମ ମିନିଟ୍ରେ ଜର୍ମାନୀ ଷଷ୍ଠ ପିସି ହାସଲ କରିଥିଲା, କିନ୍ତୁ ଏହା ବି ନିଷ୍ଫଳ ହୋଇଥିଲା । ଏହାର ଚାରି ମିନିଟ୍ ପରେ ସୁଖଜିତ୍ ଟିମ୍ ପକ୍ଷରୁ ତୃତୀୟ ଗୋଲ୍ କରିଥିଲେ । ୪୪ତମ ମିନିଟ୍ରେ ପ୍ରଥମ ଗୋଲ୍ ଦେଇଥିଲା ଜର୍ମାନୀ । କୌଫମାନ୍ ଏହି ଫିଲ୍ଡ ଗୋଲ୍ କରିଥିଲେ । ଉକ୍ତ ମିନିଟ୍ରେ ଏରିକ୍ କ୍ଲିନ୍ଲିନ୍ଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ୩-୧ ଅଗ୍ରଣୀ ସହ ଭାରତ ଅନ୍ତିମ କ୍ୱାର୍ଟରରେ ପ୍ରବେଶ କରିଥିଲା । ମ୍ୟାଚ୍ ଶେଷ ହେବାକୁ ତିନି ମିନିଟ୍ ବାକି ଥିବା ବେଳେ ଷ୍ଟ୍ରଥୋପ୍ ଜର୍ମାନୀ ପକ୍ଷରୁ ଦ୍ୱିତୀୟ (ଫିଲ୍ଡ) ଗୋଲ୍ କରିଥିଲେ, ହେଲେ ଏହା ମ୍ୟାଚ୍ ବଞ୍ଚାଇବା ପାଇଁ ପର୍ଯ୍ୟାପ୍ତ ନ ଥିଲା । ୫୯ତମ ମିନିଟ୍ରେ ଟମ୍ ଗ୍ରାମବୁସ୍କଙ୍କୁ ୟେଲୋ କାର୍ଡ ଦେଖାଇଥିଲେ ରେଫରୀ । ଏହି ସମୟରେ ଭାରତ ଏକ ପେନାଲ୍ଟି ଷ୍ଟ୍ରୋକ୍ ପାଇଥିଲା, କିନ୍ତୁ ଏହା କାମରେ ଆସି ନ ଥିଲା । ଶେଷରେ ୩-୨ରେ ମ୍ୟାଚ୍ ଜିତିଥିଲା ଭାରତ ।