ଏଚ୍୩ଏନ୍୨ରେ ପ୍ରଥମ ମୃତୁ୍ୟ
ନୂଆଦିଲ୍ଲୀ, ୧ଠା୩: କରୋନା ମହାମାରୀ ଭଳି ଏବେ ଏଚ୍୩ଏନ୍୨ ଇନ୍ଫ୍ଲୁଏଞ୍ଜା ଭାଇରସ୍ ବ୍ୟାପିବା ଆରମ୍ଭ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂତ୍ର ଅନୁଯାୟୀ, ହରିଆଣା ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଏହି ଭୂତାଣୁରେ ୯୦ ଜଣ ସଂକ୍ରମିତ ହୋଇଛନ୍ତି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଭାଇରସ୍ର ପ୍ରକୋପ କମିଯିବ । ଛୋଟ ପିଲା, ପୂର୍ବରୁ ଅନ୍ୟ ରୋଗରେ ପୀଡିତ ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଏଚ୍୩ଏନ୍୨ ଏନ୍ଫ୍ଲୁଏଞ୍ଜା ଅଧିକ ମାରାତ୍ମକ ।
ହରିଆଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସବିଶେଷ ରିପୋର୍ଟ ମିଳିନାହିଁ । ତେବେ କର୍ଣ୍ଣାଟକର ହାସନ ଜିଲ୍ଲାରେ ଜନୈକ ହୀରା ଗୌଡା ଏହି ସଂକ୍ରାମକ ରୋଗରେ ପ୍ରାଣ ହରାଇଛନ୍ତି । ଗୌଡାଙ୍କ ବୟସ ଥିଲା ୮୨ ବର୍ଷ । ମାର୍ଚ୍ଚ ୧ ତାରିଖ ଦିନ ତାଙ୍କର ମୃତୁ୍ୟ ହୋଇଥିଲା । ଏଚ୍୩ଏନ୍୨ରେ ସେ ସଂକ୍ରମିତ ଥିବା ୬ ତାରିଖ ଦିନ ଜଣାପଡିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଶୁକ୍ରବାର ଏନ୍ଫ୍ଲୁଏଞ୍ଜା ଭାଇରସ୍ ସଂକ୍ରମଣ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଡାକିଥିଲେ । ଏହି ଅବସରରେ ସେ ରାଜ୍ୟମାନଙ୍କୁ ସତର୍କ ରହିବା ସହ ସ୍ଥିତି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି ଆଡ୍ଭାଇଜରୀ ଜାରି କରିଛନ୍ତି । ଶନିବାର ଏଚ୍୩ଏନ୍୨ ଓ ସିଜିନାଲ୍ ଏନ୍ଫ୍ଲୁଏଞ୍ଜା ସମ୍ବନ୍ଧରେ ନୀତି ଆୟୋଗ ବୈଠକ ବସିବ । ଏମ୍ସ୍ର ପୂର୍ବତନ ନିଦେ୍ର୍ଦଶକ ଡାକ୍ତର ରଣଦୀପ ଗୁଲେରିଆ ନିକଟରେ ଏଚ୍୩ଏନ୍୨ ଏନ୍ଫ୍ଲୁଏଞ୍ଜା ପ୍ରତି ସତର୍କ ରହିବା ପାଇଁ କହିଥିଲେ । ତାଙ୍କ ମତରେ ଏହି ନୂଆ ଭାଇରସ୍ କରୋନା ଭଳି ବ୍ୟାପିଥାଏ । ଭାଇରସ୍ କବଳରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବା ଏବଂ ବାରମ୍ବାର ହାତ ଧୋଇବା ଦରକାର ।