ସୁନ୍ଦରଗଡ଼କୁ ୯୬୪ କୋଟିର ଭେଟି

ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ
ରାଉରକେଲା, ୧୦ା୩ (ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଉରକେଲା ଗସ୍ତରେ ଆସି ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକଠାରେ ନିର୍ମିତ ନୂତନ ବିର୍ସାମୁଣ୍ଡା ଷ୍ଟାଡିୟମ ସହିତ ବିର୍ସା ମୁଣ୍ଡା ସୁଇମିଂ କମ୍ପ୍ଲେକ୍ସ ଏବଂ ବହୁ ତଳ କାର୍ ପାର୍କିଂ ସୁବିଧାର ଉଦ୍ଘାଟନ କରିଥିଲେ । ୧୫୭.୨୧ କୋଟି ଟଙ୍କା ମୂଲ୍ୟରେ ୧୦ ଏକର ଜମିରେ ଏହି ଷ୍ଟାଡିୟମ୍ ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନିର୍ମିତ ହୋଇଛି । ପ୍ରାୟ ୧୦ ହଜାର ଦର୍ଶକ ଏକକାଳୀନ ଏଠାରେ ବସି ଖେଳ ଉପଭୋଗ କରିପାରିବେ । ଏଠାରେ ଫୁଟ୍ବଲ୍ ସମେତ ଡ୍ରାଗ୍ ଆଣ୍ଡ୍ ଫିଲ୍୍ଡ ବିଭାଗର ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇପାରିବ । ଏହା ସହିତ ଏଠାରେ ନିର୍ମିତ ସୁଇମ୍ ପୁଲ୍ରେ ସନ୍ତରଣ ନେଇ ପ୍ରଶିକ୍ଷଣ ଦିଆଯିବା ସହ ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତା ଆୟୋଜନ ହେବ । ୨ ମହଲା ବିଶିଷ୍ଟ ମଲ୍ଟିଂ ଲେବୁଲ୍ କାର୍ ପାର୍କିଂର ବ୍ୟବସ୍ଥା ମଧ୍ୟ ରହିଛି ।
ଷ୍ଟାଡିୟମ୍ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କ ପାଇଁ ଷ୍ଟାଡିୟମ ଉର୍ତ୍ସଗୀକୃତ କରି ହଜାର ହଜାର ଦର୍ଶକଙ୍କୁ ‘ଆପଣମାନେ ଖୁସି ତ’ ବୋଲି ପଚାରିଥିଲେ । ଉତ୍ତରରେ ଲୋକମାନେ ବହୁ ଖୁସି ଥିବା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ଖୁସିରେ ସେ ଖୁସି ଥିବା କହିଥିଲେ ।
ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ, ପରିମଳ, କୃଷି ଏବଂ ପର୍ଯ୍ୟଟନ ଇତ୍ୟାଦିର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ପାନପୋଷଠାରେ ୫୩.୫୩ କୋଟି ଟଙ୍କାର ବଜାର ଗୃହ ନିର୍ମାଣ, ମାନସିକ ରୋଗଗ୍ରସ୍ତ ମହିଳାଙ୍କ ପାଇଁ ୧୧.୭୭ କୋଟି ଟଙ୍କାର ଆସ୍ଥା ଗୃହ, ୨୩୨ କୋଟି ଟଙ୍କାର ୫ଟି ଉଚ୍ଚ କ୍ଷମତା ସମ୍ପନ୍ନ ଉଠା ଜଳ ସେଚନ ପ୍ରକଳ୍ପ, ଟାଙ୍ଗରପାଲ୍ଲୀ ବ୍ଲକ୍ର ଉଜ୍ଜଳପୁର ଠାରେ ୨.୫୫ କୋଟି ଟଙ୍କାର ମାର୍କେଟ୍ ୟାର୍ଡ ଓ ଗୋଦାମ ଗୃହ, ଅନୁସୂଚିତ ଜାତି ଓ ଜନଜାତି / ପଛୁଆ ବର୍ଗଙ୍କ ନିମନ୍ତେ ୩୩.୯୦ କୋଟି ଟଙ୍କାର ୧୪ଟି ଛାତ୍ରାବାସ, ୨୩୭.୨୦ କୋଟି ଟଙ୍କାର ୬୬ ରାସ୍ତା ପ୍ରକଳ୍ପ, ୧୧.୫୦ କୋଟି ଟଙ୍କାର ୨୭୩ ପଞ୍ଚାୟତସ୍ତରୀୟ ବର୍ଜ୍ୟବସ୍ତୁ ପୃଥକୀକରଣ ଓ ଗୋଟିଏ କଠିନ ବର୍ଜ୍ୟବସ୍ତୁ ପରି·ଳନା କେନ୍ଦ୍ର, ସରଫଗଡ଼ଠାରେ ୭୫ ଲକ୍ଷ ଟଙ୍କାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ଉନ୍ନତିକରଣ, ୬.୪୭ କୋଟି ଟଙ୍କାରେ ନିର୍ମିତ ୨୩ ଅଙ୍ଗନୱାଡି କେନ୍ଦ୍ର, ୬୩.୨୯ କୋଟି ଟଙ୍କାରେ ନିର୍ମିତ ୪୭ ଗୋଷ୍ଠୀ ସଭା ଗୃହ, ୨୫.୩୭ କୋଟି ଟଙ୍କାରେ ନିର୍ମିତ ୮୫ ବିଦ୍ୟାଳୟ ଗୃହ, ୧.୩୪ କୋଟି ଟଙ୍କାରେ ନିର୍ମିତ ୩ଟି ଗୋଷ୍ଠୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ୬୬.୯୩ କୋଟି ଟଙ୍କାର ବ୍ୟାୟରେ ନିର୍ମିତ ହେବାକୁ ଥିବା ୨୩ ଗୋଟି ରାସ୍ତା, କଲଭର୍ଟ ଏବଂ ଗୃହ ନିର୍ମାଣ କାର୍ଯ୍ୟ, ୮.୭୯ କୋଟି ଟଙ୍କାରେ ହେବାକୁ ଥିବା ୨୯ ଗୋଟି ଗୋଷ୍ଠୀ ସଭା ଗୃହ, ୩୫.୨୬ କୋଟି ଟଙ୍କା ମୂଲ୍ୟରେ ହେବାକୁ ଥିବା ୭୩ ଗୋଟି ସ୍ୱାସ୍ଥ୍ୟ ସମ୍ପର୍କିତ ପ୍ରକଳ୍ପ, ୧୬.୧୦ କୋଟି ଟଙ୍କାରେ ଲାଇଙ୍ଗ ଠାରେ ହେବାକୁ ଥିବା ପ୍ରାକୃତିକ ପର୍ଯ୍ୟଟନସ୍ଥଳର ଉନ୍ନତୀକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ଏବଂ ଯୁବ ସେବା ସଚିବ ଆର. ଭିନିଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *