ଏସ୍ଏଚ୍ଜି ମହିଳାଙ୍କୁ ଆଉ ୨ ବିଭାଗ
ଭୁବନେଶ୍ୱର, ୬ା୩ (ବୁ୍ୟରୋ): ମିଶନ୍ ଶକ୍ତି ବିଭାଗ ସୋମବାର ରାଜ୍ୟର ୭ଠ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥିନିମନ୍ତେ ମହିଳାଙ୍କୁ ୬ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସମ୍ପୃକ୍ତ କରି ସଶକ୍ତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏସ୍ଏଚ୍ଜି ମହିଳାମାନଙ୍କୁ ୧୫ଟି ବିଭାଗରେ ସାମିଲ୍ କରାଯାଇଥିବାବେଳେ ଖୁବ୍ଶୀଘ୍ର ବିଦ୍ୟାଳୟ ଓ ଗଣଶିକ୍ଷା, ଜଙ୍ଗଲ ବିଭାଗରେ ସାମିଲ୍ କରାଯିବ । ୫-ଟି ଅଧୀନରେ ଥିବା ସମସ୍ତ ସ୍କୁଲ୍ର ରକ୍ଷଣାବେକ୍ଷଣ ଦାୟିତ୍ୱ ଏସ୍ଏଚ୍ଜି ମହିଳାମାନଙ୍କୁ ଦିଆଯିବ । ସେହିପରି ଜଙ୍ଗଲ ବିଭାଗ ଅଧୀନରେ ବୃକ୍ଷରୋପଣ, ଜଙ୍ଗଲ ନିଆଁ ନିୟନ୍ତ୍ରଣ ଓ ସଚେତନତା ଭଳି କାର୍ଯ୍ୟକ୍ରମଗୁଡ଼ିକ ଏଚ୍ଏଚ୍ଜି ମାଧ୍ୟମରେ କରାଯିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍ ସୂଚନା ଦେଇଛନ୍ତି । ଗୀତଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗର ୨ଠ୨୩-୨୪ ଆର୍ଥିକ ବର୍ଷର ବଜେଟ୍ ସମ୍ପର୍କରେ ସୂଚନା ଶ୍ରୀମତୀ କାର୍ତ୍ତିକେୟନ୍ କହିଥିଲେ ଯେ, ଗତିଶୀଳତା ହେଉଛି ସଶକ୍ତିକରଣ । ଚଳିତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ମିଶନ୍ ଶକ୍ତି ସ୍କୁଟର୍ ଯୋଜନା ଭଳି ଏକ ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଯୋଜନା ମାଧ୍ୟମରେ କମୁ୍ୟନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟଙ୍କ ପାଇଁ ବୈଦୁ୍ୟତିକ ସ୍କୁଟର୍ ନିମନ୍ତେ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧୀନରେ ଇଲେକ୍ଟି୍ରକ୍ ସ୍କୁଟର୍ ପ୍ରୟୋଗ କରିବା ପାଇଁ ଦିଆଯାଉଥିବା ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି କରାଯିବ । ପ୍ରଥମ ପର୍ଯ୍ୟାୟରେ ୨ଲକ୍ଷ ଏସ୍ଏଚ୍ଜି ମହିଳାଙ୍କୁ ଏହି ଯୋଜନାରେ ସାମିଲ୍ କରାଯିବ । ଏଥିନିମନ୍ତେ ୫ଠ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ମହିଳାମାନଙ୍କୁ ଏସ୍ଏଚ୍ଜିରୁ ଏସ୍ଏମ୍ଇରେ ପରିଣତ କରିବା ପାଇଁ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି । ସ୍ୱୟଂସହାୟକ ଗୋଷ୍ଠୀରୁ ଉଦ୍ୟୋଗରେ ପରିଣତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା କରାଯିବ । ଏଥିନିମନ୍ତେ ୧୫ଠ କୋଟି ଟଙ୍କା ବ୍ୟୟବରାଦ କରାଯିବ । ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ୍, ଜୀବନଜୀବିକା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ବ୍ଲକ୍ସ୍ତରରେ କୃଷି ପ୍ରକି୍ରୟାକରଣ, ବିୟୁଟି, ଡିଜିଟାଲ୍ ଓ ବିଜିନେସ୍ ମ୍ୟାନେଜମେଣ୍ଟ, ଫେସନ୍ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲିମ୍ ପାଇଁ ୭ଠ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଆସନ୍ତା ୫ ବର୍ଷ ମଧ୍ୟ ରାଜ୍ୟରେ ୫ଠଠଟି ମିଶନ୍ ଶକ୍ତି ବଜାର ପ୍ରତିଷ୍ଠା କରାଯିବ । ପ୍ରାୟ ୧ଠ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୩୭ଠ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ନିୟମିତ ବୈଠକ ଓ ତାଲିମ୍ ସହିତ ଏସ୍ଏଚ୍ଜି ସାମଗ୍ରୀର ବିକି୍ର ବ୍ୟବସ୍ଥା ନିମନ୍ତେ ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏବଂ ୱାର୍ଡରେ ମିଶନ୍ ଶକ୍ତି ଗୃହ ପ୍ରତିଷ୍ଠା ହେବ । ସେହିପରି ବ୍ଲକ୍ ଓ ଜିଲ୍ଲା ସ୍ତରରେ ମିଶନ୍ ଶକ୍ତି ଭବନ ନିର୍ମାଣ କରାଯାଉଛି । ପ୍ରତ୍ୟେକ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ପାଇଁ କାର୍ଯ୍ୟାଳୟ ସହିତ ମାର୍କେଟ୍ କମ୍ପ୍ଲେକ୍ସର ବ୍ୟବସ୍ଥା କରାଯାଉଛି । ଏଥିନିମନ୍ତେ ୩୨ଠ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍ ସୂଚନା ଦେଇଥିଲେ ।
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ କହିଥିଲେ ଯେ, ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ୍ ଶକ୍ତି ଋଣକୁ ୩ରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ମିଶନ୍ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ୧ଠହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବାପାଇଁ ୨୨ଠ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି । ଏଥିନିମନ୍ତେ ୨ଠ୨୩-୨୪ ଆର୍ଥିକ ବର୍ଷରେ ୨୫୫୪ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି । ଯାହାକି ଗତବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ।