ମେଣ୍ଢାପୋଡ଼ି ନୀତି ସମ୍ପନ୍ନ
ପୁରୀ (ବୁ୍ୟରୋ): ଫାଲଗୁନ୍ ଶୁକ୍ଳ ଚତୁର୍ଦ୍ଦଶୀ ସୋମବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ନୀତି ସମ୍ପନ୍ନ ହୋଇଛି । ଏହି ନୀତିକୁ ମଧ୍ୟ ମେଣ୍ଢପୋଡ଼ା ନୀତି କୁହାଯାଏ । ଦୋଳବେଦୀରେ ଠାକୁରଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ସମାଗମ ହୋଇଥିଲା । ମଙ୍ଗଳବାର ଦୋଳପୂର୍ଣ୍ଣିମା ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ମହାପ୍ରଭୁଙ୍କ ତିନି ବାଡ଼ରେ ମଇଲମ ହୋଇଥିଲା । ପାଳିଆ ମେକାପ ଭଣ୍ଡାର ଘର ଠାରୁ ଚନ୍ଦନବିଜେ କରାଇବା ପରେ ପୁଷ୍ପାଳକ ସେବକ ସର୍ବାଙ୍ଗ ଲାଗି କରାଇଥିଲେ । ମହାପ୍ରଭୁଙ୍କର ଚାଚେରୀ ବେଶ ନିମନ୍ତେ ଶ୍ରୀଦେବୀ, ଭୂଦେବୀ ଦକ୍ଷିଣ ଘରେ ପଡ଼ିଥିବା ଖଟ ଶେଜ ଉପରକୁ ମହାଜନ ହାତରେ ବିଜେ କରିଥିଲେ । ତିନିବାଡ଼ରେ ମହାପ୍ରଭୁଙ୍କ ଚାଚେରୀ ବେଶ ବଢ଼ି ମାଳଫୁଲ ଓ କର୍ପୁର ଲାଗି ହୋଇଥିଲା । ଧୋ-ପଖାଳ ହେବା ପରେ ପାଳିଆ ପଢ଼ିଆରୀ ଚାଚେରୀ ଭୋଗ ଡାକି ଯାଇଥିଲେ । ଚାଚେରୀ ଭୋଗ ଉଠିଲା ପରେ ଦକ୍ଷିଣ ଘର ଭୋଗ ସରି ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଭିତରକୁ ବିଜେ କରିଥିଲେ । ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ପଣ୍ଡା ପଞ୍ଚୋପଚାରରେ ଭୋଗ କରିଥିଲେ । ଧୋ-ପଖାଳ ହେଲା ପରେ ପଣ୍ଡା, ପତି, ମୁଦିରସ୍ତ, ଘଣ୍ଟୁଆରୀ ଘର ଠାରୁ ଘଣ୍ଟ, ଛତା, କାହାଳି ସହ ଚନ୍ଦନ ଫଗୁ ବିଜେ କରାଇ ଆଣି ଶ୍ରୀଅଙ୍ଗ ଲାଗି କରାଇଥିଲେ । ତିନି ବାଡ଼ରେ ବନ୍ଦାପନ ନୀତି ସମ୍ପନ୍ନ ହୋଇଥିଲା । ସିଂହାସନ ତଳେ ମୁଦିରସ୍ତ ତିନବାଡ଼ରେ ଝିମିରି ଫଗୁ ଅଞ୍ଜଳି କରିଥିଲେ । ମୁଦିରସ୍ତ ଶ୍ରୀଅଙ୍ଗରେ ଚନ୍ଦନ ଫଗୁ ମଣି ଲାଗି କରିଥିଲେ । ଏହାପରେ ଚାମର ଆଲର୍ଟ କରିଥିଲେ । ପଣ୍ଡା ଆଜ୍ଞାମାଳ ଦେଲା ପରେ ମହାଜନ ଠାକୁରଙ୍କୁ ହାତରେ ବିଜେ କରାଇ ଜୟବିଜୟ, ମୁକ୍ତିମଣ୍ଡପ ଦେଇ ଲକ୍ଷ୍ମୀମନ୍ଦିରରେ ତିନିମୂର୍ତ୍ତିଙ୍କୁ ପଲଙ୍କରେ ବିଜେ କରାଇଥିଲେ । ଲକ୍ଷ୍ମୀନାରାୟଣଙ୍କ ହୋରି ଫଗୁ ଖେଳ ହୋଇଥିଲା । ପ୍ରସାଦ ଲାଗି ହୋଇ ବନ୍ଦାପନା ହୋଇଥିଲା । ମହାଜନେ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କୁ ପାଲିଙ୍କିରୁ ଆଣି ବିମାନରେ ବିଜେ କରାଇଥିଲେ । ଠାକୁର ସିଂହଦ୍ୱାର, ଲଙ୍ଗୁଳିମଠ ଦେଇ ଦୋଳବେଦୀ ସ୍ଥିତ ଅଗ୍ନି ଉତ୍ସବକୁ ବିଜେ କରିଥିଲେ । ସେଠାରେ ପୂଜାପଣ୍ଡା ସାମନ୍ତ ହୋମ କରିଥଲେ । ହୋମ ବଢ଼ିବା ପରେ ପ୍ରସାଦ ଲାଗି ହୋଇଥିଲା । ଶୀତଳଭୋଗ ମୋଣହି ହୋଇ ଚାମର ଆଲର୍ଟ ହୋଇଥିଲା । ଏହାପରେ ଅଗ୍ନିଘରେ ନିଆଁ ଲଗା ଯାଇଥିଲା । ଅଗ୍ନିଘର ଚତୁଃପାଶ୍ୱର୍ରେ ଠାକୁର ବିମାନରେ ସାତଥର ପ୍ରଦକ୍ଷିଣ କରି ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ ।