ଟିକେଟ୍ ପାଇଁ ଖଚାଖଚ ଭିଡ଼

ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍
ରାଉରକେଲା, ୬ା୩ (ଆପ୍ର): ଜାନୁଆରୀରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍ ପରେ ସ୍ଥାନୀୟ ବୀର୍ସା ମୁଣ୍ଡା ଷ୍ଟାଡିୟମ୍ରେ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ । ଏଥିପାଇଁ ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ଅପ୍ ଲାଇନ୍ରେ ସୋମବାରଠାରୁ ଟିକେଟ ବିକ୍ରି କରାଯାଉଛି । ଟିକେଟ୍ ପାଇବା ଲାଗି କାଉଣ୍ଟର୍ଗୁଡ଼ିକରେ ଲୋକଙ୍କର ଲମ୍ବାଧାଡ଼ି ଦେଖିବାକୁ ମିଳିଛି । ଷ୍ଟାଡିୟମର ଗେଟ୍ ନଂ ୨ ଓ ଗେଟ୍ ନଂ ୬ରେ ଦୁଇଟି ପୃଥକ୍ କାଉଣ୍ଟର୍ରେ ଟିକେଟ ବିକ୍ରି ଚାଲିଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୭ଟା ଯାଏ ଟିକେଟ୍ ବିକ୍ରି ହେଉଛି । ମାର୍ଚ୍ଚ ୮ ତାରିଖରେ ହୋଲି ଉତ୍ସବ ଥିବାରୁ ସେଦିନ ଅପରାହ୍ଣ ୪ଟାରୁ ୭ଟା ଯାଏ ଟିକେଟ୍ ବିକ୍ରି କରାଯିବ ।
ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ ପ୍ରତିଯୋଗିତା ପାଇଁ ଗତ ୨୭ ତାରିଖରେ ଅନ୍ଲାଇନ ଟିକେଟ ବିକ୍ରି କରାଯାଇଥିଲା । ମାତ୍ର କେଇ ମିନିଟପରେ ଅନଲାଇନ୍ ବିକ୍ରି ପ୍ରକ୍ରିୟାରେ ଯାବତୀୟ ତ୍ରୁଟି ଦେଖିବାକୁ ମିଳିବାରୁ ବହୁ ହକିପ୍ରେମୀ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ । ସୋମବାରଠାରୁ ଅଫ୍ଲାଇନ ଟିକେଟ ବିକ୍ରି ଆରମ୍ଭ ହେବ ବୋଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯିବାପରେ ହକିପ୍ରେମୀ ମହଲରେ ଖୁସି ଖେଳିଯାଇଛି । ବୀର୍ସା ମୁଣ୍ଡାରେ ଭାରତ ସମେତ ବିଶ୍ୱବିଜୟୀ ଜର୍ମାନୀ ଓ ବିଶ୍ୱ ରାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ୬ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ ।
ମାର୍ଚ୍ଚ ୧୦ ତାରିଖରେ ଭାରତ ତା’ର ପ୍ରଥମ ମ୍ୟାଚରେ ଜର୍ମାନୀକୁ ଭେଟିବ । ମାର୍ଚ୍ଚ ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୧୨ରେ ଭାରତ ଓ ଅଷ୍ଟ୍ରେଲିଆ, ୧୩ରେ ଭାରତ ଓ ଜର୍ମାନୀ, ୧୪ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ମାର୍ଚ୍ଚ ୧୫ରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ । ପ୍ରତ୍ୟେକ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *