ବିକାଶର ନୂଆ ଅଧ୍ୟାୟ

ମୁଖ୍ୟମନ୍ତ୍ରୀଙ୍କ ବରଗଡ଼-ନୂଆପଡ଼ା-କଳାହାଣ୍ଡି ଗସ୍ତ
ଭୁବନେଶ୍ୱର, ୫ା୩ (ବୁ୍ୟରୋ): ଆଜି ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ସାରା ରାଜ୍ୟ ଓଡ଼ିଶାର ଏହି ମହାନ୍ ସନ୍ତାନଙ୍କ ଜୟନ୍ତୀଙ୍କୁ ଶ୍ରଦ୍ଧାର ସହ ପାଳନ କରୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ୍ ୱେ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ଅର୍ଥନୈତିକ କରିଡର୍ ଲୋକାର୍ପଣ କରିଛନ୍ତି । ଏଥିସହିତ ୩ଟି ଜିଲ୍ଲାରେ ୩ଠ୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ମହିଳା ସଶକ୍ତୀକରଣର କର୍ଣ୍ଣଧାର ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବରଗଡ଼, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାର ମିଶନଶକ୍ତି ମହିଳାମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି ।
ଏହି ଅବସରରେ ଆୟୋଜିତ ସମାବେଶଗୁଡ଼ିକରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁ ଏକ୍ସପ୍ରେସ୍ ୱେ କେବଳ ଏକ ରାସ୍ତା ନୁହେଁ, ଏହା ହେଉଛି ଏ ଅଞ୍ଚଳର ଜୀବନରେଖା । ଏହି ଏକ୍ସପ୍ରେସ୍ ୱେ କେବଳ ଏ ଅଞ୍ଚଳର ନୁହେଁ, ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ରଚିବ । ବିଜୁ ଏକ୍ସପ୍ରେସ୍ ୱେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀ ପାଇଁ ବଜାର ସୁବିଧା ମିଳିବ । ବ୍ୟବସାୟୀମାନଙ୍କୁ ସୁବିଧା, ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବା ପାଇଁ ସୁଯୋଗ, ସ୍ୱାସ୍ଥ୍ୟସେବାରେ ଆହୁରି ଉନ୍ନତି ଆସିବ । ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟାତ ରୂପାନ୍ତର କାମକୁ ମଜଭୁତ୍ କରିବ । ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍ ୱେ’ର ଦୁଇ ପାଶ୍ୱର୍ରେ ବିଜୁ ଅର୍ଥନୈତିକ କରିଡର୍ ହେବାଦ୍ୱାରା ପୁଞ୍ଜି ବିନିଯୋଗ ବଢ଼ିବ । ନୂଆ ନୂଆ ଶିଳ୍ପ ଗଢ଼ିଉଠିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ବିଜୁ ଅର୍ଥନୈତିକ କରିଡର୍କୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରାଇବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩ଠ ପ୍ରତିଶତ ରିହାତି ନିବେଶକଙ୍କୁ ମିଳିବ । ଶିଳ୍ପ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଛି । ବିଜୁ ଅର୍ଥନୈତିକ କରିଡର୍ ଦ୍ୱାରା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲ୍କାନାଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବେ ଉପକୃତ ହେବେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ । ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ । ଘାଟିପଡ଼ାଠାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍ ୱେ’ର ଚାରିଥାକିଆ କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଓଡ଼ିଶାରେ ଭିତ୍ତିଭୂମିର ବିକାଶ ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ୍ ଜନନାୟକ ବିଜୁବାବୁଙ୍କୁ ସ୍ମରଣକରି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସେ କାମ କରିଚାଲିଛନ୍ତି । ସମ୍ବଲପୁର, ରାଉରକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା । ଏଲ୍ ଆଣ୍ଡ ଟି ରାସ୍ତା ଭାବେ ପରିଚିତ ଏହି ରାସ୍ତା ଆରମ୍ଭ ସ୍ୱର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ । ଓଡ଼ିଶା ମାଟି ଓ ଏ ମାଟିର ମଣିଷର ସ୍ୱପ୍ନ ସହ ବିଜୁବାବୁ ସବୁବେଳେ ଯୋଡ଼ି ହୋଇ ରହିଥିଲେ ବୋଲି ମତ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମସ୍ତ ସମାବେଶରେ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା ବିଧାୟକମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *