ଆର୍ସିବିକୁ ୬୦ ରନ୍ରେ ହରାଇଲା ଡିସି
ବ୍ରାବର୍ଣ୍ଣ, ୫ା୩ (ଏଜେନ୍ସି): ମହିଳା ପ୍ରିମିଅର୍ ଲିଗ୍ରେ ରବିବାର ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୬୦ ରନ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ମ୍ୟାଚ୍ରେ ପାଞ୍ଚ ୱିକେଟ୍ ଅକ୍ତିଆର କରିଥିବା ଦିଲ୍ଲୀର ତାରା ନୋରିସ୍ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଦିଲ୍ଲୀର ଶେଫାଲୀ ବର୍ମା ସର୍ବାଧିକ ୮୪ ରନ୍ କରିଥିବା ବେଳେ ଅଧିନାୟିକା ମେଗ୍ ଲାନିଙ୍ଗ୍ ୭୨ ରନ୍ର ଇନିଂସ୍ ଖେଳିଥିଲେ । ବେଙ୍ଗାଲୁରୁ ପକ୍ଷରୁ କୌଣସି ବ୍ୟାଟର୍ ୩୫ରୁ ଅଧିକ ରନ୍ କରିପାରି ନ ଥିଲେ ।
୨୨୪ ରନ୍ର ବଡ଼ ବିଜୟ ଲକ୍ଷ୍ୟର ପିଛା କରିଥିବା ବାଙ୍ଗାଲୋର ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୬୩ ରନ୍ କରିବାକୁ ସମର୍ଥ ହୋଇଥିଲା । ଟିମ୍ ପକ୍ଷରୁ ଅଧିନାୟିକା ସ୍ମୃତି ମାନ୍ଧାନା (୩୫), ହିଥର୍ ନାଇଟ୍ (୩୪), ଏଲିସ୍ ପେରୀ (୩୧), ମେଗାନ୍ ଶଟ୍ (ଅପରାଜିତ ୩୦), ସୋଫି ଡିଭାଇନ୍ (୧୪)ଙ୍କ ଭଳି ପ୍ରମୁଖ ଖେଳାଳି ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ ।
ବିପକ୍ଷ ବୋଲର୍ ତାରା ୨୯ ରନ୍ ଦେଇ ସର୍ବାଧିକ ୫ ୱିକେଟ୍ ଅକ୍ତିଆର କରିଥିଲେ । ବିଶେଷକରି ମଧ୍ୟକ୍ରମ ବ୍ୟାଟର୍ ତାରାଙ୍କ ଜାଲରେ ପଡ଼ିଥିଲେ । ଆଲିସ୍ କାପ୍ସୀଙ୍କୁ ୨ ଓ ଶିଖା ପାଣ୍ଡେଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲା । କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ କୌଣସି ଟିମ୍ ୨୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲା ।
ମେଗ୍ ଓ ଶେଫାଲୀଙ୍କ ଓପନିଂ ଯୋଡ଼ି ପ୍ରଥମରୁ ଦମ୍ଦାର ପ୍ରଦର୍ଶନ କରି ୫୮ ବଲ୍ରେ ଇନିଂସ୍କୁ ୧୦୦ରେ ପହଞ୍ଚାଇଥିଲେ । ଶେଫାଲୀ ୩୧ ଓ ମେଗ୍ ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ୮୨ ବଲ୍ରେ ଇନିଂସ୍ ୧୫୦ ଛୁଇଁଥିଲା ।
ଓପନିଂ ୱିକେଟ୍ ପାଇଁ ୧୬୨ (୮୭ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ୧୫ତମ ଓଭର୍ରେ ହିଥର ନାଇଟ୍ ପ୍ରଥମେ ମେଗ୍ (୪୩ ବଲ୍ରୁ ୭୨ ରନ୍) ଓ ଶେଫାଲୀ (୪୫ ବଲ୍ରେ ୮୪)ଙ୍କୁ ଆଉଟ୍ କରିଥିଲେ । ମେଗ୍ଙ୍କ ଇନିଂସ୍ରେ ୧୪ ଚୌକା ଏବଂ ଶେଫାଲୀଙ୍କ ଇନିଂସ୍ରେ ୧୦ ଚୌକା ଓ ୪ ଛକା ରହିଥିଲା । ଏହାପରେ ମାରିଜନେ କାପ୍ ଓ ଜେମିମା ରୋଡ୍ରିଗ୍ସଙ୍କ ପ୍ରୟାସ ଯୋଗୁଁ ସ୍କୋର୍ ୨୦୦ ଅତିକ୍ରମ କରିଥିଲା । ମାରିଜନେ ୩୯ ଓ ଜେମିମା ୨୨ ରନ୍ କରି ଅପରାଜିତ ଥିଲେ ।