ସ୍ଥାୟୀ ବେଞ୍ଚ୍ ପାଇଁ କେନ୍ଦ୍ର ପ୍ରସ୍ତୁତ
ଭୁବନେଶ୍ୱର, ୪ା୩ (ବୁ୍ୟରୋ): ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ସରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି । ପୂର୍ବଭାରତର ରାଜ୍ୟଗୁଡ଼ିକୁ ନେଇ କେନ୍ଦ୍ର ସରକାରଙ୍କ ପରାମର୍ଶଦାତାମାନଙ୍କ ପ୍ରଥମ ସମ୍ମିଳନୀରେ ଏଭଳି ପ୍ରତିକି୍ରୟା ପ୍ରକାଶ କରିଛନ୍ତି କେନ୍ଦ୍ର ଆଇନ୍ମନ୍ତ୍ରୀ କିରଣ ରିଜିଜୁ । ସେହିପରି କୋର୍ଟଗୁଡ଼ିକୁ ପେପର୍ଲେସ୍ କରିବା ପାଇଁ ସମଗ୍ର ଦେଶରେ ଇ-କୋର୍ଟ କାର୍ଯ୍ୟକାରୀ କରାଯିବ । ନ୍ୟାୟପାଳିକାର ଅପବ୍ୟବହାର ପାଇଁ ବିଦେଶୀ ଲିଙ୍କ୍ ରହିଥିବା କେନ୍ଦ୍ର ଆଇନ୍ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି ।
ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୁପି୍ରମ୍କୋର୍ଟ ବିଚାରପତି ବି ଭି ନାଗରତ୍ନା, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର, ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆଇନ୍ମନ୍ତ୍ରୀ ଶ୍ରୀ ରିଜିଜୁ କହିଥିଲେ ଯେ, ପଶ୍ଚିମ ଓଡ଼ିଶା ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଓ ହାଇକୋର୍ଟକୁ ଶେଷ ନିଷ୍ପତ୍ତି ନେବାକୁ ପଡ଼ିବ । ଆମେ ସବୁବେଳେ ସାହାଯ୍ୟ ପାଇଁ ପ୍ରସ୍ତୁତ ରହିଛୁ । ଆମକୁ କେବଳ ଅନୁମୋଦନ କରିବାର ଅଛି । ଏହାର ଭିତ୍ତିଭୂମି ତିଆରି ଓ ସୁଦୃଢ଼ କରିବା ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କର । ଏନେଇ କେନ୍ଦ୍ର ସରକାର ପୂର୍ବରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ସାରିଛନ୍ତି । ସଂସଦରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସାଂସଦମାନେ ପଚାରିଥିଲେ । କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ସଂସଦରେ ଉତ୍ତର ଦେଇସାରିଛନ୍ତି ବୋଲି ଆଇନ୍ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି । ସେହିଭଳି ଦେଶର ବିଭିନ୍ନ ବିଚାରାଳୟରେ ୪ କୋଟି ୯ଠ ଲକ୍ଷ ମାମଲା ପଡ଼ିରହିଛି । ତୁରନ୍ତ ଏହାର ସମାଧାନ କରାନଗଲେ ଏହା ୫ ଲକ୍ଷକୁ ଅତିକ୍ରମ କରିବ । ତ୍ୱରିତ ସମାଧାନ ପାଇଁ ଟେକ୍ନୋଲୋଜି ନିହାତି ଜରୁରୀ । ଯେଉଁଥିପାଇଁ ଚଳିତବର୍ଷ ଇ-କୋର୍ଟ ଫେଜ୍-୩ କାର୍ଯ୍ୟକାରୀ କରିବା ପାଇଁ ୭ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହାଦ୍ୱାରା ନ୍ୟାୟପାଳିକାଗୁଡ଼ିକ ଡିଜିଟାଲ୍ ଓ ପେପର୍ଲେସ୍ ହେବ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ଦ୍ୱାରା ଗରିବ ଲୋକଙ୍କୁ ଆଉ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିବ ନାହିଁ । ଦେଶରେ କିଛି ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ ଦେଶ ବିରୋଧରେ ଓ ନ୍ୟାୟପାଳିକାର ଅପବ୍ୟବହାର ଭଳି କାର୍ଯ୍ୟ କରିଥାନ୍ତି । ବେଶୀ ନୁୁହେଁ, ଏମାନେ ଗୋଷ୍ଠୀ ରହିଛନ୍ତି; ଯେଉଁମାନଙ୍କର ବିଦେଶୀ ଲିଙ୍କ୍ ରହିଥିବା ଶ୍ରୀ ରିଜିଜୁ କହିଛନ୍ତି ।