ମୁଖ୍ୟମନ୍ତ୍ରୀଙ୍କ କାମ କଥା କୁହେ, ବ୍ରାଣ୍ଡିଂ ଲୋଡ଼ା ନାହିଁ
ଅପରାଜିତାଙ୍କୁ କଡ଼ା ଜବାବ
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ । ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କହନ୍ତି ବୋଲି କଡ଼ା ପ୍ରତିକି୍ରୟା ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ।
ଏକ ପ୍ରେସ୍ ବିବୃତିରେ ଶ୍ରୀମତୀ ଦେଓ କହିଛନ୍ତି, ଅପରାଜିତା ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଓଡ଼ିଶାରେ ଦୀର୍ଘବର୍ଷ କାମ କରିଛନ୍ତି । ତେଣୁ ସେ ନିଶ୍ଚିତ ଭଲ ଭାବେ ଅନୁଭବ କରୁଥିବେ ଯେ ୨୩ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଆଜି କେଉଁଠି ପହଞ୍ଚôଛି । ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟ ବାଧକତାରେ ସେ ଏପରି କହୁଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ତେଣୁ ସେ କଥା କମ୍, କାମ ବେଶୀ କରନ୍ତି । ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି । ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ ବ୍ରାଣ୍ଡିଂ ଲୋଡ଼ା ନାହିଁ । ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହ ଚାଉଳରେ ବଳକା ରାଜ୍ୟରେ ପରିଣତ ହୋଇଛି । ସରକାର କୃଷି ଓ ଜଳସେଚନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେବା ସହ କୃଷକଙ୍କ ଆୟ ଦ୍ୱିଗୁଣିତ କରିଛନ୍ତି । ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଜରିଆରେ ଓଡ଼ିଶାରେ ୧ଠ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶବିଦେଶର ସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାରର ୩ କୋଟି ୩ଠ ଲୋକ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ମିଶନ୍ଶକ୍ତି ଜରିଆରେ ମହିଳାମାନଙ୍କ ସଶକ୍ତୀକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି ବୋଲି ଶ୍ରୀ ଦେଓ କହିଛନ୍ତି ।