ପୁରୀରୁ ଚୋରି, ମିଳିଲା ଛଇତନାରୁ
ବସ୍ଷ୍ଟାଣ୍ଡ୍ ଇତିହାସରେ ପ୍ରଥମ ଘଟଣା
ପୁରୀ (ବୁ୍ୟରୋ): ପୁରୀ ପୌରପାଳିକା ବସ୍ଷ୍ଟାଣ୍ଡର ଇତିହାସରେ ପ୍ରଥମ ଘଟଣା । ଯାହା କେବେ ହୋଇ ନ ଥିଲା ତାହା ଘଟିଛି । ବସ୍ଷ୍ଟାଣ୍ଡ ପରିସରରୁ ବସ୍ ଚୋରି ହେବା ଏବଂ ଛଇତନାରୁ ମିଳିବା ଘଟଣାକୁ ନେଇ ଘରୋଇ ବସ୍ ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଶରଧାବାଲି ଏବଂ ବସ୍ଷ୍ଟାଣ୍ଡ ପରିସରରେ ୨୪ଘଣ୍ଟା ଲୋକ ଓ ପର୍ଯ୍ୟଟକଙ୍କ ଗହଳିଚହଳି ଲାଗି ରହିଥିବା ବେଳେ କିଭଳି ‘ଖଣ୍ଡାଇ’ ନାମକ ଏକ ବସ୍ ଚୋରି ହେବା ସମସ୍ତଙ୍କୁ ଚକିତ କରିଛି । ତେବେ ଉକ୍ତ ଘଟଣାକୁ ନେଇ ସକାଳୁ ସକାଳୁ ସହରରେ ଆଲୋଚନା ଜୋର୍ ଧରିଥିବା ବେଳେ ପୁଲିସ ମଧ୍ୟ ଘଟଣାକୁ ଗୁରୁତ୍ୱ ଦେଇ ତନାଘନା ଜାରି ରଖିଛି ।
ବସ୍ଷ୍ଟାଣ୍ଡ ପରିସରରୁ କିଏ ବସ୍କୁ ନେଇ ଛଇତନାରେ ପହଞ୍ଚାଇଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା ବ୍ୟକ୍ତିଗତ ସ୍ୱାର୍ଥ ନାଁ ବସ୍କୁ ଲୁଟ୍ କରିବା ଲାଗି ଯୋଜନା ହୋଇଛି ତାହା ସ୍ପଷ୍ଟ ହୋଇନି । କେବଳ ବସ୍ରୁ ଯନ୍ତ୍ରାଂଶ, ଆସବାବପତ୍ର ଓ ତେଲ ଚୋରି ହୋଇଥିବା ଜଣାପଡିଛି । ଏନେଇ ବସ୍ କଣ୍ଡକ୍ଟର ଛବୀନ୍ଦ୍ର ବେହେରା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି । କେବେ ପୁଲିସ ଉକ୍ତ ଘଟଣା ଉପରୁ ପରଦା ହଟେଇବାରେ ସଫଳ ହେଉଛି ତାହା ଉପରେ ସମସ୍ତଙ୍କ ନଜର ।
ଏ ସମ୍ପର୍କରେ କଣ୍ଡକ୍ଟର ଛବୀନ୍ଦ୍ର କୁହନ୍ତି ପ୍ରତ୍ୟେକ ଦିନ ଭଳି ଖଣ୍ଡାଇ ନାମକ ବସ୍ (ଓଆର-୧୩ଏଫ୍-୦୬୭୮) ବସ୍ଷ୍ଟାଣ୍ଡ ପରିସରରେ ରଖି ଘରକୁ ଯାଇଥିଲୁ । ଶନିବାର ଭୋର ୫ଟା ସମୟରେ ଡ୍ରାଇଭର୍ ପ୍ରଥମେ ବସ୍ଷ୍ଟାଣ୍ଡକୁ ଆସି ପହଞ୍ଚିଲା ବେଳକୁ ବସ୍ଟି ରଖିଥିବା ସ୍ଥାନରେ ନ ଥିଲା । ଏନେଇ ସେ ସଙ୍ଗେ ସଙ୍ଗେ ମୋତେ ଏବଂ ମାଲିକଙ୍କୁ ବସ୍ ଚୋରି ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲା । ଏହାର କିଛି ସମୟ ପରେ ବସ୍ଟି ଛଇତନାରେ ଥିବା ଖବର ମିଳିଥିଲା । ପୁଲିସକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ବିଶ୍ୱଐତିହ୍ୟ ପର୍ଯ୍ୟଟନ ସହର ପୁରୀ ହୋଇଥିବା ବେଳେ ବସ୍ଷ୍ଟାଣ୍ଡ ପରିସରରେ ଏକ ସିସିଟିଭି ଲଗାଯାଇ ନାହିଁ । ଯାହାର ସୁଯୋଗ ନେଇ ଲୁଟେରାମାନେ ବସ୍ ଲୁଟି ନେଇଥିଲେ । କେବେ ଏଭଳି ଘଟଣା ହୋଇ ନ ଥିବା ବେଳେ ଏବେ ସିସିଟିଭି ଲଗାଇବାକୁ ସାଧାରଣରେ ଦାବି ଜୋର୍ ଧରିଛି ।