୬ ମାସରେ ସବୁ ସହରକୁ ୫ଜି ସେବା

ଭୁବନେଶ୍ୱର, ୪ା୩ (ବୁ୍ୟରୋ): ଆସନ୍ତା ୬ ମାସ ଭିତରେ ରାଜ୍ୟର ସବୁ ସହରରେ ୫ଜି ସେବା ଉପଲବ୍ଧ ହେବ । ବର୍ତ୍ତମାନ ୧ଠଟି ସହରରେ ୫ଜି ସେବା ଉପଲବ୍ଧ ଅଛି । ଆସନ୍ତା ଆର୍ଥିକବର୍ଷରେ ରାଜ୍ୟ ସରକାର ‘ଓ-ଚିପ୍’ ନାମକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏଥିପାଇଁ ବଜେଟ୍ରେ ୩ଠ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନା ମାଧ୍ୟମରେ ଚିପ୍ ତିଆରି କରାଯିବା ସହ ତାଲିମ୍ ପ୍ରଦାନ କରାଯିବ । ଡାଟାର ନିର୍ଭରଯୋଗ୍ୟତା ଓ ସୁଲଭତା ପାଇଁ ପୁରୀରେ ସମୁଦ୍ର ଭିତରେ କେବୁଲ୍ ଲ୍ୟାଣ୍ଡିଂ ଷ୍ଟେସନ୍ ପ୍ରତିଷ୍ଠା କରାଯିବ । ଏହାଫଳରେ ଡାଟା ସେଣ୍ଟର, ଏଣ୍ଟରଟେନ୍ମେଣ୍ଟ, ଟେଲିକମ୍ ଏବଂ ଫିନ୍ଟେକ୍ ବଜାରକୁ ସଶକ୍ତ କରିବ । ଆସନ୍ତା ଦିନରେ ପୂର୍ବ, କେନ୍ଦ୍ରୀୟ ଓ ଉତ୍ତର-ପୂର୍ବ ଭାରତର ଡିଜିଟାଲ୍ ହବ୍ ଭାବେ ଓଡ଼ିଶା ଉଭା ହେବ ବୋଲି ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି । ଶନିବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ୨ଠ୨୩-୨୪ ଆର୍ଥିକବର୍ଷ ନିମନ୍ତେ ବିଭାଗୀୟ ଖର୍ଚ୍ଚଦାବି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଆଗାମୀ ଦିନରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକୁ ୱାନ୍ ଜିବି ଇଏଚ୍ ଉଚ୍ଚ ବ୍ରାଣ୍ଡୱିଥ୍ ଯୋଗାଇ ଦିଆଯିବ । ଏହାଦ୍ୱାରା ସ୍କୁଲ୍ ଓ ମେଡିକାଲ୍ରେ ମଧ୍ୟ ଇଣ୍ଟରନେଟ୍ ସୁବିଧା ରହିବ । ଓସ୍ୱାସ୍କୁ ବ୍ଲକ୍ ଲେଭଲ୍ ପହଞ୍ଚାଯିବ । ବର୍ତ୍ତମାନ ରାଜ୍ୟରେ ୬ହଜାର ‘ମୋ ସେବାକେନ୍ଦ୍ର’ କାର୍ଯ୍ୟକାରୀ କରାଯାଉଛି । ଆଗକୁ ଏହି ସଂଖ୍ୟା ୧ଠ ହଜାର କରାଯିବାର ଲକ୍ଷ୍ୟ ରଖାଯାଇଛି । ସବୁ ପଞ୍ଚାୟତ ଅଫିସ୍ରେ ‘ମୋ ସେବାକେନ୍ଦ୍ର’ ଖୋଲାଯିବ । ଓଡ଼ିଶା ୱାନ୍ ପୋର୍ଟାଲ୍ରେ ବର୍ତ୍ତମାନ ୫୫ଠରୁ ଅଧିକ ସେବା ରହିଛି । ଆଗକୁ ୬୫ଠରୁ ଊଦ୍ଧ୍ୱର୍ ସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । ଯେଉଁସବୁ ଗାଁରେ ମୋବାଇଲ୍ ସେବା ନାହିଁ, ସେହି ଗାଁରେ ମୋବାଇଲ୍ ଟାୱାର୍ ନିର୍ମାଣ ପାଇଁ ଘରୋଇ କମ୍ପାନୀଙ୍କୁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୯ଠଠ ଗାଁରେ ମୋବାଇଲ୍ ସେବା ଉପଲବ୍ଧ ହୋଇପାରିନାହିଁ । ତେବେ ୨ଠ୨୪ ସୁଦ୍ଧା ରାଜ୍ୟର ସବୁ ଗାଁକୁ ମୋବାଇଲ୍ ସେବା ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହିସବୁ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଆଇଟି ବିଭାଗକୁ ପ୍ରାଧାନ୍ୟ ଦେଇଛନ୍ତି । ସେଥିପାଇଁ ୨ଠ୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଆଇଟି ବିଭାଗ ନିମନ୍ତେ ୧୨୫ କୋଟି ଟଙ୍କା ବ୍ୟୟବରାଦ କରିଥିବାବେଳେ ୨ଠ୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ବିଭାଗୀୟ ଖର୍ଚ୍ଚ ପାଇଁ ୧ଠଠଠ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *