ତୃତୀୟ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ

ଇନେ୍ଦାର, ୩ା୩ (ଏଜେନ୍ସି): ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଗୁରୁବାର ଭାରତକୁ ୯ ୱିକେଟ୍ରେ ପରାଜିତ କରିଛି । ଭାରତ ୭୬ ରନ୍ର ସହଜ ଟାର୍ଗେଟ୍ ଦେଇଥିଲା, ଯାହାକୁ ଅଷ୍ଟ୍ରେଲିଆ ତୃତୀୟ ଦିନର ଖେଳ ଆରମ୍ଭ ହେବାର ୭୬ ମିନିଟ୍ରେହିଁ ହାସଲ କରିଥିଲା । ଏହି ବିଜୟ ସହ ଭ୍ରମଣକାରୀ ଟିମ୍ ଶୃଙ୍ଖଳାରେ ୧-୨ ସ୍ଥିତିରେ ପହଞ୍ଚିବା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରିଛି । ମ୍ୟାଚ୍ରେ ମୋଟ୍ ୧୧ ୱିକେଟ୍ ନେଇଥିବା ଅଷ୍ଟ୍ରେଲୀୟ ସ୍ପିନର୍ ନାଥନ୍ ଲାୟନ୍ ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ଶେଷ ଟେଷ୍ଟ ମାର୍ଚ୍ଚ ୯ରୁ ୧୩ ଯାଏଁ ଅହମଦାବାଦରେ ଖେଳାଯିବ । ମ୍ୟାଚ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଥିଲେ, “ସ୍ପିନ୍ ଅନୁକୂଳ ପିଚ୍ରେ ଖେଳିବା ନିଷ୍ପତ୍ତି ଟିମ୍ର ଥିଲା । ଆମେ ଜାଣିଥିଲୁ ଯେ ଆମ ବ୍ୟାଟର୍ଙ୍କ ପାଇଁ ଏହା ଚାଲେଞ୍ଜିଙ୍ଗ୍ ହେବ । କିନ୍ତୁ ଆମେ ଏଥିପାଇଁ ପ୍ରସ୍ତୁତ ଥିଲୁ, ହେଲେ ପ୍ରଥମ ଇନିଂସ୍ରେ ଭାରତୀୟ ବ୍ୟାଟର୍ ଭଲ ବ୍ୟାଟିଂ କରିପାରି ନ ଥିଲେ ।” ତୃତୀୟ ଦିନ ଭ୍ରମଣକାରୀ ଟିମ୍କୁ ୭୬ ରନ୍ର ଛୋଟ ଟାର୍ଗେଟ୍ ମିଳିଥିଲା । ରବିଚନ୍ଦ୍ରନ ଅଶ୍ୱିନ ଦିନର ଦ୍ୱିତୀୟ ବଲ୍ରେ ଓପନର୍ ଉସ୍ମାନ ଖୱାଜାଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇ ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ । ଭାରତୀୟ ସ୍ପିନର୍ ପ୍ରଥମ ୧୧ ଓଭର୍ରେ ପ୍ରଭାବଶାଳୀ ବୋଲିଂ କରିଥିଲେ, କିନ୍ତୁ ୧୨ତମ ଓଭର୍ରେ ବଲ୍ ବଦଳିବା ଯୋଗୁଁ ପରିସ୍ଥିତି ବଦଳି ଯାଇଥିଲା । ଏହା ପୂର୍ବରୁ କଙ୍ଗାରୁ ଟିମ୍ ୧୩ ରନ୍ କରିଥିଲା । ନୂଆ ବଲ୍ରେ ଅଷ୍ଟ୍ରେଲୀୟ ବ୍ୟାଟର୍ ସାତ ଓଭର୍ ମଧ୍ୟରେ ଅବଶିଷ୍ଟ ୬୩ ରନ୍ କରିଥିଲେ ।
ମାର୍ନସ ଲାବୁସେନ, ଅଶ୍ୱିନଙ୍କ ବଲ୍ରେ ଚୌକା ଲଗାଇ ମ୍ୟାଚ୍ ଫିନିଶ୍ କରିଥିଲେ । ଟ୍ରେଭିସ୍ ୪୯ ଓ ଲାବୁସେନ ୨୮ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଭାରତ ଦ୍ୱିତୀୟ ଇନିଂସ୍ରେ ୧୬୩ ରନ୍ ସଂଗ୍ରହ କରି ୭୫ ରନ୍ରେ ଅଗ୍ରଣୀ ହାସଲ କରିଥିଲା ଯେତେବେଳେକି ଅଷ୍ଟ୍ରେଲିଆ ୧୯୭ ରନ୍ କରି ପ୍ରଥମ ଇନିଂସ୍ରେ ୮୮ ରନ୍ରେ ଆଗରେ ଥିଲେ । ଭାରତ ପ୍ରଥମ ଇନିଂସ୍ରେ ୧୦୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *