୪ଠ ଲକ୍ଷ ଲାଞ୍ଚ ନେଇ ପୁଅ ଗିରଫ
ବେଙ୍ଗାଲୁରୁ (ଏଜେନ୍ସି): କର୍ଣ୍ଣାଟକରେ ଲୋକାୟୁକ୍ତ ଟିମ୍, ବିଜେପି ବିଧାୟକ ମଦଲ ବିରୁପାକ୍ଷପାଙ୍କ ପୁୂଅ ପ୍ରଶାନ୍ତ କୁମାରଙ୍କୁ ୪ଠ ଲକ୍ଷ ଟଙ୍କା ଲାଞ୍ଚ୍ ନେଉଥିବା ସମୟରେ ଗିରଫ କରିଛନ୍ତି । ପ୍ରଶାନ୍ତଙ୍କ ଗିରଫଦାରୀ ପରେ ବିଧାୟକ ମଦଲ ବିରୁପାକ୍ଷପ୍ପା ବେଙ୍ଗାଲୁରୁ ସ୍ଥିତ ତଥା ମୈସୁର ସାଣ୍ଡାଲ୍ ନାମକ ଲୋକପ୍ରିୟ ସାବୁନ୍ ନିର୍ମାତା କମ୍ପାନୀ କର୍ଣ୍ଣାଟକ ସୋପ୍ ଆଣ୍ଡ୍ ଡିଟର୍ଜେଣ୍ଟ (ସାବୁନ୍ ସର୍ଫ କମ୍ପାନୀ) ଲିମିଟେଡ୍ (କେଏସ୍ଡିଏଲ୍)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।
କମ୍ପାନୀର ଏକ କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଥିବା ବେଳେ ପୁଅ ପ୍ରଶାନ୍ତ ପ୍ରାୟ ଜଣେ ଠିକାଦାରଙ୍କୁ ୪ଠ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଲୋକାୟୁକ୍ତଙ୍କୁ ଏସମ୍ପର୍କରେ ବ୍ୟକ୍ତିଜଣକ ସୂଚୀତ କରାଯିବା ପରେ ଯୋଜନା ମୁତାବକ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଲୋକାୟୁକ୍ତ ଟିମ୍ ସଦସ୍ୟ ପ୍ରଶାନ୍ତଙ୍କୁ ଗିରଫ କରିଛନ୍ତି । ଏତଦ୍ବ୍ୟତୀତ ଲୋକାୟୁକ୍ତ କେଏସ୍ଡିଏଲ୍ କାର୍ଯ୍ୟାଳୟ ଏବଂ ପ୍ରଶାନ୍ତଙ୍କ ଘରେ ଚଢ଼ଉ କରିବା ପୂର୍ବକ ୮ କୋଟି ଟଙ୍କା ନଗଦ ଜବତ କରିଛି । ତେବେ ପୁଅର ଏହି ଲାଞ୍ଚ ଗ୍ରହଣ ପ୍ରକ୍ରିୟାରେ ସେ କୌଣସି ପ୍ରକାର ସମ୍ପୃକ୍ତ ନଥିବା ଦର୍ଶାଇ ନୈତିକତା ପୂର୍ବକ କେଏସ୍ଡିଏଲ୍ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପା । ତଥାପି ଏହି ମାମଲାରେ ବିଧାୟକ ବିରୁପାକ୍ଷପ୍ପାଙ୍କୁ ସମନ୍ କରାଯାଇପାରେ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷେ ଏହି ଘଟଣାକୁ ଏବେ ରାଜନୈତିକ ମୁଦ୍ଦାର ରୂପ ଦେବାକୁ ବିରୋଧୀ କଂଗ୍ରେସ ଚେଷ୍ଟା କରିଛି । କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯେୱାଲା କହିଛନ୍ତି, ୪ଠ% ସରକାରର ଦୁର୍ନୀତିର ଭୟଙ୍କର ଗନ୍ଧ ମହିଶୂରର ସାଣ୍ଡଲ ସାବୁନ୍ର ସୁନ୍ଦର ସୁଗନ୍ଧକୁ ଖରାପ କରିଦେଇଛି । ତେବେ ଆଗକୁ ରାଜ୍ୟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ବିଜେପି ବିଧାୟକଙ୍କ ଘରୁ ଏତେ ମାତ୍ରାରେ ଟଙ୍କା ଜବତ ହେବା ଦଳକୁ ଅଡୁଆରେ ପକାଇଛି । ଏହି ଘଟଣାକୁ ନେଇ ସମ୍ପ୍ରତି ରାଜ୍ୟରେ ତୁମ୍ବିତୋଫାନ୍ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି, ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ଯେଉଁ ଦଳର ବି ହୋଇଥାନ୍ତୁ ନା କାହିଁକି ଆଇନ୍ ଠାରୁ କେହି ଊଦ୍ଧ୍ୱର୍ରେ ନୁହଁନ୍ତି । ଅନ୍ୟପଟେ ବିଧାୟକ ବିରୁପାକ୍ଷପ୍ପା ଏହାକୁ ନିଜ ପରିବାର ବିରୋଧରେ ଷଡ଼ଯନ୍ତ୍ର ବୋଲି କହିଛନ୍ତି ।