ଜବତ ହେବ ସବୁ ସମ୍ପତ୍ତି
ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ ଝଟ୍କା
ନୂଆଦିଲ୍ଳୀ (ଏଜେନ୍ସି): ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ କରି ଦେଶ ଛାଡ଼ି ପଳାୟନ କରିଥିବା ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍କା ମିଳିଛି । ପ୍ରକାଶ, ମୁମ୍ବାଇ ସ୍ଥିତ ଇଡି କୋର୍ଟ, ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରିବା ସହ ତାଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଜବତ କରିବାକୁ ୨ଠ୧୮ରେ ରାୟ ଦେଇଥିଲେ । ତେବେ ମାଲ୍ୟା କୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ମାଲ୍ୟାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ ମୁମ୍ବାଇ କୋର୍ଟଙ୍କ ରାୟକୁ ଯଥାର୍ଥ ବ୍ୟକ୍ତ କରିଛନ୍ତି । ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଜଷ୍ଟିସ ରାଜେଶ ବିନ୍ଦଲଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଏହି ମାମଲାକୁ ଆଉ ନ ବଢ଼ାଇବା ଉଦେ୍ଦଶ୍ୟରେ ଆବେଦନକୁ ଖାରଜ କରିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ, ଦେଶର ପ୍ରାୟ ୧୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରୁ ୯ ହଜାର କୋଟି ଟଙ୍କା ଋଣ ନେଇଥିବା ମାଲ୍ୟା, ଋଣ ଅର୍ଥ ପରିଶୋଧ କରିବା ବଦଳରେ ବ୍ରିଟେନ୍ ପଳାୟନ କରିଛନ୍ତି । ଭାରତ ଏବେ ତାଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ଚେଷ୍ଟା ଚଳାଇଛି ।