ଚୀନ୍-ରୁଷ୍କୁ କ୍ୱାଡ୍ର କଡ଼ା ଜବାବ, ମିଳିତ ବୟାନ ଜାରି
ନୂଆଦିଲ୍ଲୀ(ଏଜେନ୍ସି): ଚତୁଃର୍ରାଷ୍ଟ୍ରୀୟ କ୍ୱାଡ୍’ ପକ୍ଷରୁ ଚୀନ୍ ଓ ରୁଷ୍ ଉଦେ୍ଦଶ୍ୟରେ କଡା ବାର୍ତ୍ତା ଜାରି କରାଯାଇଛି । କ୍ୱାଡ୍ ଏକ ଚତୁଃର୍ରାଷ୍ଟ୍ରୀୟ ମେଣ୍ଟ । ଏଥିରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ସାମିଲ ରହିଛନ୍ତି । ତେବେ ରାଇସିନା ଡାଏଲଗ୍ ଅବସରରେ ଏହି ୪ ଦେଶର ବିଦେଶମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ଫଳରେ ୪ ଦେଶ ପକ୍ଷରୁ ଜାରି ମିଳିତ ବୟାନରେ କୁହାଯାଇଛି ଯେ, ପାସିଫିକ୍ ଦ୍ୱୀପ ଦେଶଗୁଡ଼ିକର ସୁରକ୍ଷା ତଥା ସମର୍ଥନ ପାଇଁ କ୍ୱାଡ୍ ପ୍ରତିବଦ୍ଧ ରହିଛି । ଏତଦ୍ବ୍ୟତୀତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଥିବା ରାଷ୍ଟ୍ରସମୂହଙ୍କ କ୍ୱାଡ୍ ସଦସ୍ୟ ରାଷ୍ଟ୍ର ନିଜର ଖୋଲା ସମର୍ଥନ ଘୋଷଣା କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଚୀନ୍ର ବଢୁଥିବା ଦବଦବାକୁ କମ କରିବା ପାଇଁ ଏହି ଘୋଷଣା ହୋଇଛି ।
ଭାରତର ବିଦେଶ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀ ଠାରେ ଆୟୋଜିତ ବୈଠକରେ ଇଣ୍ଡୋ-ପାସିଫିକ୍ ଅଞ୍ଚଳର ସ୍ଥିତ ଉପରେ ବ୍ୟାପକ ସମୀକ୍ଷା କରାଯାଇଛି । ବୈଠକରେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍, ଜାପାନ ସମକକ୍ଷ ୟୋଶିମାଶା ହୟାଶି ଏବଂ ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନି ୱଙ୍ଗ୍ ପ୍ରମୁଖ ସାମିଲ ହୋଇଥିଲେ ।
ପ୍ରକାଶ, ଭାରତ ଗସ୍ତରେ ଆସିଥିବା ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ କ୍ୱାଡ୍’କୁ ନେଇ ଖୋଲା ସମାଲୋଚନା କରିବାର କିଛି ସମୟ ପରେ କ୍ୱାଡ୍ ପକ୍ଷରୁ ଏହି ମିଳିତ ବୟାନ ଜାରି କରାଯାଇଛି । କ୍ୱାଡ୍ ଦେଶର ବିଦେଶ ମନ୍ତ୍ରୀ ଶୁକ୍ରବାର ଏକ ମୁକ୍ତ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଗଣତନ୍ତ୍ରିକ ଏବଂ ମୁକ୍ତ ସାମୁଦ୍ରିକ ବାଣିଜ୍ୟ ଏବଂ ସୁରକ୍ଷାର ମିଳିତ ହିତ ପାଇଁ ସମର୍ଥନ କରୁଥିବା କ୍ୱାଡ୍ ଆଇନ ସିଦ୍ଧ ଶାସନ, ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା ଏବଂ ବିବାଦର ଶାନ୍ତିପୂର୍ଣ୍ଣ ସମାଧନର ସିଦ୍ଧାନ୍ତକୁ ପୂର୍ଣ୍ଣ ସମର୍ଥନ କରୁଥିବା ସ୍ପଷ୍ଟ କରିଛି ।