ବନ୍ଧା ପଡିÿଛି ବିଜୁ ସ୍ୱାସ୍ଥ୍ୟ କାର୍ଡ
କେନ୍ଦୁଝର, ୨ା୩ (ଆପ୍ର): କେନ୍ଦୁଝର ସହରରେ ଥିବା ସନ୍ରାଇଜ୍ ହସ୍ପିଟାଲ ନାଁରେ ସାଂଘାତିକ ଅଭିଯୋଗ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) କାର୍ଡ ଯୋଜନା ବନ୍ଧା ଦେବା ଲାଗି ରୋଗୀଙ୍କୁ ବାଧ୍ୟ କରିବା ଅଭିଯୋଗରେ ଉକ୍ତ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି ।
ବିଏସ୍କେୱାଇରେ ଏହି ହସ୍ପିଟାଲ ଅନ୍ତର୍ଭୁକ୍ତ ହୋଇ ନ ଥିଲେ ବି ରୋଗୀଙ୍କୁ ପ୍ରଲୋଭିତ କରି ଆଡ୍ମିଶନ୍ କରିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ କାର୍ଡ ବନ୍ଧା ରଖି ଟଙ୍କା ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଆସୁଥିଲା । ହସ୍ପିଟାଲର ଇନଚାର୍ଜ ଡାକ୍ତର କେହି ନ ଥିବା ଅଭିଯୋଗ ହୋଇଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଗଢ଼ି ଉଠିଥିବା ଏହି ହସ୍ପିଟାଲ ଲୋକଙ୍କ ଜୀବନ ସହ ଖେଳୁଥିବା ଆଲୋଚନା ହେଉଛି ।
ସୋମବାର ଯୋଡ଼ାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଜଣେ ଯୁବକଙ୍କ ଅଭିଯୋଗ ପରେ ଏଭଳି ବେଆଇନ କାର୍ଯ୍ୟ ଉପରୁ ପର୍ଦ୍ଦା ହଟିଛି । ଯୁବକ ଅଭିଯୋଗ କରିଥିଲେ, ତାଙ୍କ ସମ୍ପର୍କୀୟଙ୍କୁ ବିଏସ୍କେୱାଇ ଯୋଜନାରେ ସନ୍ରାଇଜ୍
ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା । ବିଏସ୍କେୱାଇ କାର୍ଡକୁ ବନ୍ଧା ରଖି ଡାକ୍ତରଖାନା କର୍ତ୍ତୃପକ୍ଷ ଟଙ୍କା ପରିଶୋଧ କରିବାକୁ ଧମକ ଦେଇଛନ୍ତି । ଜିଲ୍ଲାପାଳ ତୁରନ୍ତ ତଦନ୍ତ ନିମନ୍ତେ ସିଡିଏମ୍ଓଙ୍କୁ ନିଦେ୍ର୍ଦଶ ଦେବା ସହ ସଦର ତହସିଲଦାର ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାକୁ କହିଥିଲେ । ଏହାପରେ ସ୍ୱାସ୍ଥ୍ୟ ବିଭାଗ, ମୁ୍ୟନିସିପାଲିଟି, ତହସିଲଦାର ଓ ବରିଷ୍ଠ ପୁଲିସ୍ ଅଧିକାରୀ ହସ୍ପିଟାଲକୁ ସିଲ୍ କରିଛନ୍ତି । ଏହାସହ ହସ୍ପିଟାଲରେ ଚିକିତ୍ସାଧୀନ ସମସ୍ତ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୬ ମାସ ହେବ ଏହି ହସ୍ପିଟାଲ କେନ୍ଦୁଝର ସହରରେ ଖୋଲିଥିଲା । ଏହାର ମାଲିକ ଜଣେ ଲାବରୋଟୋରି ଟେକନିସିଆନ । ଉକ୍ତ ହସ୍ପିଟାଲ ଖୋଲିବା ଲାଗି କିପରି ଅନୁମତି ମିଳିଲା ତାହାର ତଦନ୍ତ କରାଯାଉଛି ।