କମିଟିରେ ପ୍ରଧାନମନ୍ତ୍ରୀ

ଇସି ନିଯୁକ୍ତି ନେଇ ସୁପ୍ରିମ ନିଷ୍ପତ୍ତି
ନୂଆଦିଲ୍ଲୀ, ୨ା୩: ନିର୍ବାଚନ ଆୟୋଗ ସଦସ୍ୟ ନିଯୁକ୍ତି ସଂପର୍କରେ ସୁପ୍ରିମ କୋର୍ଟ ଗୁରୁବାର ଏକ ଐତିହାସିକ ଫଇସଲା ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ପ୍ରଧାନବିଚାରପତିଙ୍କୁ ନେଇ କମିଟି ଗଢ଼ାଯିବ । ସେହି କମିଟି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତ ଚୟନ କରିବେ ।
ପାଞ୍ଚ ସଦସ୍ୟବିଶିଷ୍ଟ ସମ୍ବିଧାନ ପୀଠ କହିଛନ୍ତି, ଏହି କମିଟି ରାଷ୍ଟ୍ରପତିଙ୍କ ନିକଟକୁ ଆୟୁକ୍ତମାନଙ୍କ ନାମ ସୁପାରିସ କରିବେ । ସଂସଦ ଆୟୁକ୍ତ ନିଯୁକ୍ତି ସମ୍ବନ୍ଧୀୟ ଆଇନ ପ୍ରଣୟନ କରିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ପ୍ରକ୍ରିୟାଟି ସିବିଆଇ ନିଦେ୍ର୍ଦଶକ ଚୟନ ପ୍ରକ୍ରିୟା ଭଳି ହେବ ।
ଜଷ୍ଟିସ୍ କେଏମ୍ ଯୋଶେଫ କହିଛନ୍ତି, ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ନିର୍ବାଚନ ପ୍ରକ୍ରିୟାକୁ ନିଷ୍ପକ୍ଷ ତଥା ଶୁଦ୍ଧ ରଖାଯିବା ଜରୁରୀ । ଅନ୍ୟଥା ଉତ୍ତମ ଫଳ ମିଳିବ ନାହିଁ । ଭୋଟ୍ର ଶକ୍ତି ସର୍ବୋଚ୍ଚ । ଭୋଟରମାନେ କେତେ କେତେ ଶକ୍ତିଶାଳୀ ଦଳକୁ କ୍ଷମତାରୁ ହଟାଇ ଦେଇଛନ୍ତି । ତେଣୁ ନିର୍ବାଚନ ଆୟୋଗ ସ୍ୱାଧୀନ ହେବା ଜରୁରୀ ।
ଜଷ୍ଟିସ୍ ଯୋଶେଫ୍ଙ୍କ ନେତୃତ୍ୱାଧୀନ ସମ୍ବିଧାନ ପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍ ଅଜୟ ରସ୍ତୋଗୀ, ଜଷ୍ଟିସ୍ ଅନିରୁଦ୍ଧ ବୋଷ, ଜଷ୍ଟିସ୍ ହୃଷିକେଶ ରାୟ ଓ ଜଷ୍ଟିସ୍ ସି ଟି ରବିକୁମାର । ପୀଠ ସର୍ବସମ୍ମତିକ୍ରମେ ଉପରୋକ୍ତ ରାୟ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନର ନିଯୁକ୍ତି ପାଇଁ କଲିଜିୟମ୍ ଭଳି ବ୍ୟବସ୍ଥା କରିବା ଲାଗି ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା । ଗତ ନଭେମ୍ବର ୨୪ରେ ସମ୍ବିଧାନୀ ପୀଠ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ।
ଏପର୍ଯ୍ୟନ୍ତ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସମ୍ବନ୍ଧୀୟ କୌଣସି ଆଇନ ଦେଶରେ ନାହିଁ । ନିଯୁକ୍ତିର ସମଗ୍ର ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ହାତରେ ଅଛି । ଆୟୁକ୍ତ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ସଚିବ ସ୍ତରର କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ଅଧିକାରୀଙ୍କ ଏକ ତାଲିକା ତିଆରି କରୁଛନ୍ତି । ଅନେକ ଥର ସୂଚୀରେ ୪୦ ପର୍ଯ୍ୟନ୍ତ ନାମ ରହୁଛି । ସେଥିରୁ ତିନି ଜଣଙ୍କୁ ଚୟନ କରାଯିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଚୂଡ଼ାନ୍ତ ନିଷ୍ପତ୍ତି ନେଉଛନ୍ତି । ଆୟୁକ୍ତମାନଙ୍କ ମଧ୍ୟରୁ ଯିଏ ସବୁଠୁ ବରିଷ୍ଠ, ତାଙ୍କୁହିଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ରୂପେ ନିଯୁକ୍ତ କରାଯାଉଛି ।
ନିର୍ବାଚନ ଆୟୋଗରେ କେତେ ସଦସ୍ୟ ରହିବେ, ସେବିଷୟରେ ସମ୍ବିଧାନରେ କିଛି କୁହାଯାଇନାହିଁ । ସମ୍ବିଧାନର ଅନୁଚ୍ଛେଦ ୩୨୪ (୨)ରେ ଉଲ୍ଲେଖ ଅଛି ଯେ ଆୟୋଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଅନ୍ୟ ନିର୍ବାଚନ ଆୟୁକ୍ତ ରହିପାରିବେ । ଆୟୋଗ ସଦସ୍ୟ ସଂଖ୍ୟା କେତେ ହେବ, ତାହା ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରେ । ଦେଶ ସ୍ୱାଧୀନ ହେବା ପରେ ଆୟୋଗରେ ଜଣେ ଆୟୁକ୍ତ ରହୁଥିଲେ ଏବଂ ସେ ହିଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିଲେ । ୧୯୮୯ରେ ତକ୍ରାଳୀନ ରାଜୀବ ସରକାର ମୁଖ୍ୟଙ୍କ ବାଦ ଆଉ ଦୁଇଜଣ ଆୟୁକ୍ତ ନିଯୁକ୍ତ କଲେ । ଫଳତଃ ନିର୍ବାଚନ ଆୟୋଗ ବହୁ ସଦସ୍ୟବିଶିଷ୍ଟ ସଂସ୍ଥାରେ ପରିଣତ ହେଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *