ବିଜୟ ଦ୍ୱାରରେ ଅଷ୍ଟ୍ରେଲିଆ୭୬ ରନ୍ର ସହଜ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ
ତୃତୀୟ ଟେଷ୍ଟ, ଦ୍ୱିତୀୟ ଦିବସ
ପୂଜାରାଙ୍କ ଛାଡ଼ି ସବୁ ଫ୍ଲପ୍, ଲାୟନ୍ଙ୍କୁ ୮ ୱିକେଟ୍
ଇନେ୍ଦାର, ୨ା୩ (ଏଜେନ୍ସି): ଭାରତୀୟ ଟିମ୍ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସ୍ରେ ମଧ୍ୟ ଅଷ୍ଟ୍ରେଲିଆର ସ୍ପିନ୍-ଜାଲରେ ଛନ୍ଦି ହୋଇଛି ଏବଂ ଦ୍ୱିତୀୟ ଦିବସରେ ମାତ୍ର ୧୬୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ମ୍ୟାଚ୍କୁ ଆହୁରି ତିନି ଦିନ ବାକି ଥିବା ବେଳେ ଭ୍ରମଣକାରୀ ଟିମ୍କୁ ବିଜୟ ପାଇଁ ୭୬ ରନ୍ ଆବଶ୍ୟକ । ଚେତେଶ୍ୱର ପୂଜାରା ଭାରତର ଟପ୍ ସ୍କୋରର୍ ଭାବେ ୫୯ ରନ୍ କରିଥିôବା ବେଳେ ନାଥନ୍ ଲାୟନ୍ ୬୪ ରନ୍ରେ ୮ ୱିକେଟ୍ ନେଇ ଆୟୋଜକ ଟିମ୍ର ବ୍ୟାଟିଂ ବିପର୍ଯ୍ୟୟରେ ମୁଖ୍ୟ ଭୂମିକା ତୁଲାଇଥିଲେ, ଯାହାକି ଭାରତରେ କୌଣସି ଭ୍ରମଣକାରୀ ବୋଲର୍ଙ୍କ ଚତୁର୍ଥ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା । ରୋହିତ ଶର୍ମାଙ୍କ ଟିମ୍ ଚାରି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଏବେ ୨-୦ରେ ଆଗରେ ଅଛି ଏବଂ ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟ ବଜାୟ ରଖିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ସ୍ଥାନ ପାଇବା ପାଇଁ ଶୃଙ୍ଖଳାର ଶେଷ ଦୁଇ ମ୍ୟାଚ୍ ଭାରତ ଲାଗି ଯଥେଷ୍ଟ ଗୁରୁତ୍ୱ ରଖେ ।
ପ୍ରଥମ ଦିନ ଭାରତୀୟ ଟିମ୍ ପ୍ରଥମ ଇନିଂସ୍ରେ ମାତ୍ର ୧୦୯ ରନ୍ ସଂଗ୍ରହ କରିଥିଲା । ଗୁରୁବାର ଅଷ୍ଟ୍ରେଲୀୟ ଟିମ୍ ୧୫୬/୪ ସ୍କୋର୍ରୁ ଅସମାପ୍ତ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ତେବେ ୪୧ ରନ୍ ମଧ୍ୟରେ ଟିମ୍ର ଅବଶିଷ୍ଟ ଛଅ ୱିକେଟ୍ ପଡ଼ିଥିଲା ।
ଭାରତୀୟ ପେସର୍ ଉମେଶ ଯାଦବ (୧୨/୩) ଓ ଅଫ୍ସ୍ପିନର୍ ରବିଚନ୍ଦ୍ରନ ଅଶ୍ୱିନ (୪୪/୩) ପ୍ରାତଃ ସତ୍ରରେ ଅବଶିଷ୍ଟ ୱିକେଟ୍ ହାସଲ କରି ଅଷ୍ଟ୍ରେଲୀୟ ଇନିଂସ୍ରେ ଯବନିକା ଟାଣିଥିଲେ । ଇତ୍ୟବସରେ ପୂର୍ବ ଦିନ ରବୀନ୍ଦ୍ର ଜାଡ଼େଜା ୪ ୱିକେଟ୍ ନେଇଥିଲେ ।
ଅଷ୍ଟ୍ରେଲିଆ ୧୯୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା, ଯାହା ଫଳରେ ଟିମ୍କୁ ପ୍ରଥମ ଇନିଂସ୍ରେ ୮୮ ରନ୍ର ଅଗ୍ରଣୀ ମିଳିଥିଲା । ପୂର୍ବଦିନ ଅପରାଜିତ ଥିବା ପିଟର ହାଣ୍ଡ୍ସକମ୍ବ ଓ କାମେରନ୍ ଗ୍ରୀନ୍ ପଞ୍ଚମ ୱିକେଟ୍ ପାଇଁ ୪୦ ରନ୍ର ଭାଗୀଦାରୀ କରିଥିଲେ । ହାଣ୍ଡ୍ସକମ୍ବ (୧୯)ଙ୍କୁ ଆଉଟ୍ କରି ଅଶ୍ୱିନ ଏହି ଯୋଡ଼ି ଭାଙ୍ଗିଥିଲେ । ଏହାପରେ ୧୧ ରନ୍ ମଧ୍ୟରେ ଶେଷ ପାଞ୍ଚ ୱିକେଟ୍ ପଡ଼ିଥିଲା । ଗ୍ରୀନ୍ (୨୧) ଓ ମିଚେଲ୍ ଷ୍ଟାର୍କ (୧) ଯାଦବଙ୍କ ଶିକାର ହୋଇଥିଲେ । ଆଲେକ୍ସ କାରୀ (୩) ଅଶ୍ୱିନଙ୍କ ବଲ୍ରେ ଓ ଟଡ୍ ମର୍ଫି (୦) ଯାଦବଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ନାଥନ୍ ଲାୟନ୍ (୫) ଶେଷ ବ୍ୟାଟର୍ ଭାବେ ଅଶ୍ୱିନଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଦ୍ୱିତୀୟ ଇନିଂସ୍ ଖେଳିଥିବା ଭାରତୀୟ ଟିମ୍ର ଦୁଇ ଓପନର୍ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭୋଜନକାଳ ବିରତି ପୂର୍ବରୁ ୧୦ ମିନିଟ୍ ଯାଏଁ କ୍ରିଜ୍ରେ ତିଷ୍ଠି ରହିଥିଲେ । ବିରତି ପରେ ଗିଲ୍ (୫) ଲାୟନ୍ଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ । ଅଧିନାୟକ ରୋହିତ (୧୨) ଲାୟନ୍ଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ବିରାଟ କୋହଲି ସ୍ପିନ୍ର ମୁକାବିଲା କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ବି କୁନେମାନ୍ଙ୍କ ସ୍ପିନ୍-ଜାଲରେ ପଡ଼ି ଏଲ୍ବିଡବ୍ଲୁ୍ୟ ହୋଇଥିଲେ ।
ତେବେ ପୂଜାରା କ୍ରିଜ୍ରେ ଲଢ଼େଇ କରିଥିଲେ । ତାଙ୍କ ସହ କ୍ରିଜ୍ରେ ଥିବା ଜାଡ଼େଜା ମଧ୍ୟ ଏଲ୍ବିଡବ୍ଲୁ୍ୟ ହୋଇଥିଲେ । ତାଙ୍କ ୱିକେଟ୍ ଲାୟନ୍ଙ୍କ ଖାତାକୁ ଯାଇଥିଲା । ଏହାପରେ ପୂଜାରା ନୂଆ ବ୍ୟାଟର୍ ଶ୍ରେୟାସ ଆୟରଙ୍କ ସହ ମିଶି ଟିମ୍ ପାଇଁ କିଛିଟା ଆଶା ସଞ୍ଚାର କରିଥିଲେ । ଇନିଂସ୍ ୧୦୦ ଅତିକ୍ରମ କରିଥିଲା । ପଞ୍ଚମ ୱିକେଟ୍ ପାଇଁ ୩୫ ରନ୍ର ଭାଗୀଦାରୀ ହୋଇଥିଲା । ଶ୍ରେୟାସ ୨୬ ରନ୍ କରି ଷ୍ଟାର୍କଙ୍କ ବଲ୍ରେ ଉସ୍ମାନ ଖୱାଜାଙ୍କୁ କ୍ୟାଚ୍ ଦେଇଥିଲେ ।
୧୧୩ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲେ । ଶ୍ରୀକର ଭରତ (୩) ଓ ଅଶ୍ୱିନ (୧୬) ଲାୟନ୍ଙ୍କ ଶିକାର ହୋଇଥିଲେ । ପୂଜାରା (୧୪୨ ବଲ୍ରୁ ୫୯) ମଧ୍ୟ ଲାୟନ୍ଙ୍କ ଜାଲରୁ ବର୍ତ୍ତି ନ ଥିଲେ । ଅକ୍ଷର ପଟେଲ୍ ୧୫ ରନ୍ କରି ଅପରାଜିତ ଥିବା ବେଳେ ଶେଷ ଦୁଇ ବ୍ୟାଟର୍ ଉମେଶ ଓ ମହମ୍ମଦ ସିରାଜ କୌଣସି ସ୍କୋର୍ ନ କରି ଲାୟନ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।