ଅଦାନୀ-ହିଣ୍ଡେନବର୍ଗ ମାମଲା

ଗଠନ ହେଲା ୬ଜଣିଆ ଯାଞ୍ଚ କମିଟିନୂଆଦିଲ୍ଲୀ (ଏଜେନ୍ସି): ଅଦାନୀ-ହିଣ୍ଡେନବର୍ଗ ମାମଲାରେ ଗୁରୁବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି କ୍ରମେ ସୁପ୍ରିମକୋର୍ଟ ଏହି ଘଟଣା ପାଇଁ ଏକ ୬ଜଣିଆ ଯାଞ୍ଚ କମିଟି ଗଠନ କରିଛନ୍ତି । ଯାଞ୍ଚ କମିଟିର ମୁଖ୍ୟ ଭାବେ ଅବସରପ୍ରାପ୍ତ ବିଚାରପତି ଏଏମ୍ ସାପ୍ରେଙ୍କୁ ନିଯୁକ୍ତ କରାଯାଇଛି । ସେହିପରି କମିଟିରେ ସ୍ଥାନ ପାଇଥିବା ଅନ୍ୟ ୫ ସଦସ୍ୟଙ୍କ ମଧ୍ୟରେ ଜଷ୍ଟିସ୍ ଜେପି ଦେବଧର, ଓପି ଭଟ୍ଟ୍, ଏମ୍ଭି କାମାଥ୍, ନନ୍ଦନ ନିଲେକାଣୀ ଏବଂ ସୋମଶେଖର ସୁନ୍ଦରେସନ୍ ପ୍ରମୁଖ ସାମିଲ ଅଛନ୍ତି । ଆମେରିକୀୟ ରିସର୍ଚ୍ଚ ଫାର୍ମ ହିଣ୍ଡେନ୍ବର୍ଗ, ଅଦାନୀ ଗ୍ରୁପ୍ ସମ୍ପର୍କରେ ଦେଇଥିବା ରିପୋର୍ଟ ଉପରେ ଏହି କମିଟି ତଦନ୍ତ କରିବ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିମ୍ହା ଏବଂ ଜଷ୍ଟିସ୍ ପାରଦୀୱାଲାଙ୍କ ଖଣ୍ଡପୀଠ ଗୁରୁବାର ଏହି ମାମଲାର ଶୁଣାଣି କରିଥିବା ବେଳେ ତଦନ୍ତ କମିଟି ଗଠନ କରିବା ସହ ଯାଞ୍ଚ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏତଦ୍ବ୍ୟତୀତ ଖଣ୍ଡପୀଠ ସିକୁ୍ୟରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)କୁ ମଧ୍ୟ ଆସନ୍ତା ଦୁଇ ମାସ ମଧ୍ୟରେ ଷ୍ଟକ୍ ମୂଲ୍ୟରେ ହେରଫେର ହୋଇଥିବା ସଂକ୍ରାନ୍ତରେ ତଦନ୍ତ ରିପୋର୍ଟ ତଲବ କରିଛନ୍ତି । ସମ୍ପ୍ରତି ସେବି ଉଭୟ ହିଣ୍ଡେନବର୍ଗ ରିପୋର୍ଟ ଏବଂ ଏଥିରେ ଅଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଛି । ଦୁଇ ମାସ ମଧ୍ୟରେ ତଦନ୍ତ ସମ୍ପର୍କୀତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ସ୍ପଷ୍ଟ ନିଦେ୍ର୍ଦଶ ଦେଇଛନ୍ତି । ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ଅବସରରେ କହିଛନ୍ତି, ଷ୍ଟକ୍ ମୂଲ୍ୟର ଉଲ୍ଲଂଘନ ଏବଂ ହେରଫେର ହୋଇଛି କି ନାହିଁ, ନିୟାମକ ସଂସ୍ଥା ସେବି ଏନେଇ ତଦନ୍ତ କରିବା ସହ ମାମଲାର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଅନୁସନ୍ଧାନ କରିବା ଉଚିତ୍ । ତେବେ ତଦନ୍ତ ପାଇଁ ୬ଜଣିଆ କମିଟି ଗଠନ କରାଯିବା ଦ୍ୱାରା ବଜାର ନିୟନ୍ତ୍ରକ ତଥା ନିୟାମକ ସଂସ୍ଥା ସେବିର ସ୍ୱତନ୍ତ୍ରତା ଏବଂ ଏହାର ଯାଞ୍ଚ୍ ପ୍ରକ୍ରିୟାରେ କୌଣସି ସମସ୍ୟା ସୃଷ୍ଟି ହେବନାହିଁ । ଅନ୍ୟପକ୍ଷେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଅଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଅର୍ଥାତ୍ ଗୌତମ ଅଦାନୀ ସ୍ୱାଗତ କରିଛନ୍ତି । ଟ୍ୱିଟ୍ କରି ଅଦାନୀ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଦ୍ୱାରା ସତ୍ୟର ବିଜୟ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *