୪ ଦିନରେ ୪ ଡିଗ୍ରୀ ବଢ଼ିବ ପାରଦ

ଭୁବନେଶ୍ୱର, ୨ ।୩ (ବୁ୍ୟରୋ): ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ପାରଦ ଉପରମୁହାଁ ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରି କହିଛି, ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଆଗାମୀ ୪ ଦିନ ଭିତରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ତାତି ଅସମ୍ଭାଳ ହେବ । ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଭୁବନେଶ୍ୱର, ଅନୁଗୁଳ, ସୋନପୁର, ବୌଦ୍ଧ, ଟିଟିଲାଗଡ଼, ବଲାଙ୍ଗୀର, ସମ୍ବଲପୁର, ତାଳଚେର, ଚାନ୍ଦବାଲି ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୮ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ରେଡ୍ ଆଲର୍ଟ ଜାରି କରିଛି ଆଇଏମ୍ଡି ।
ଗତ ୨୪ ଘଣ୍ଟା ଭିତରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ତଳକୁ ରହିଛି ମାଲକାନଗିରି ଓ ନୟାଗଡ (୩୭ ଡିଗ୍ରୀ), ସୋନପୁର (୩୬.୯), ଅନୁଗୁଳ (୩୬.୭) ଓ ଭୁବନେଶ୍ୱର (୩୬.୬ ଡିଗ୍ରୀ) । କୋରାପୁଟ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ ହୋଇଛି ।
ଗତବର୍ଷ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ଥିବାରୁ ତାପମାତ୍ରା ବିଳମ୍ବରେ ବଢିଥିଲା । ଏବର୍ଷ ପଶ୍ଚିମାଝଡର ପ୍ରଭାବ ନଭେମ୍ବରରୁ ନ ଥିବାରୁ ଫେବ୍ରୁଆରୀ ଶେଷରୁ ଝାଞ୍ଜି ବହିବା ଆରମ୍ଭ ହୋଇଛି । ଚଳିତ ବର୍ଷ ଫେବ୍ରୁଆରୀରୁ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି । ୧୯୦୧ରୁ ୨୦୨୩ ଭିତରେ ଚଳିତ ବର୍ଷ ଫେବ୍ରୁଆରୀରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *