ଗାଁରେ ବୁଲୁଛି କଲରାପତରିଆ ବାଘ

ସୁନ୍ଦରଗଡ଼,୧ । ୩ (ଆପ୍ର): ଗାଁ ନିକଟରେ କଲରାପତରିଆ ବାଘ ବୁଲୁଥିବା ଦେଖି ଲୋକେ ଛାନିଆ ହୋଇପଡ଼ିଛନ୍ତି । ବାଘକୁ ଉଦ୍ଧାର କରିବା ନିମିତ୍ତ ବନ ବିଭାଗ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ଯନ୍ତା ବ୍ୟବସ୍ଥା କରାଯାଇଛି ଓ ରାତିରେ ବାଘ ସେଥିରେ ପଶିବାର ଆଶା କରାଯାଉଛି । ବୁଧବାର ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ହେଲେବାହାଲ ଗାଁରେ ବାଘ ବୁଲୁଥିବା ଦେଖାଯାଇଛି । ପ୍ରତୁ୍ୟଷରେ ଗାଁର ଜଣଙ୍କ ବାଡ଼ିରେ କଲରାପତରିଆ ବାଘ ପଶିଥିବା ଦେଖିବାକୁ ମିଳିଥିଲା । ଗହଳି ହେବାରୁ ବାଘ ନିକଟସ୍ଥ ଜଙ୍ଗଲମୁହାଁ ହୋଇଥିଲା । ଅପରାହ୍ଣରେ ଏକ ବୁଦାରେ ବାଘ ଲୁଚିଥିଲା । ସେଥିରେ ନିଆଁ ଲଗାଇ ଦିଆଯିବାରୁ ବାଘ ଗମିର ଜଙ୍ଗଲକୁ ପଳାଇଥିବା ଜଣାପଡ଼ିଛି ।
ଗ୍ରାମବାସୀ ଏକାଠି ହୋଇ ବାଘର ପିଛା କରିଥିଲେ । ବଡ଼ଗାଁ ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ୱରେ ବନ ବିଭାଗ ଟିମ୍ ପହଞ୍ଚି ବାଘ ଉପରେ ନଜର ରଖିଛନ୍ତି । ଯନ୍ତା ସହିତ ବନବିଭାଗ ଓ ଟ୍ରାଙ୍କୁଲାଇଜ ଟିମ୍ ଜଙ୍ଗଲରେ ପଶି ବାଘର ଖୋଜ ଖବର ନେଇଛନ୍ତି । ସନ୍ଧ୍ୟା ସୁଦ୍ଧା କିଛି ସୂଚନା ମିଳି ନ ଥିଲା । ବାଘ ଆକ୍ରମଣାତ୍ମକ ହେଲେ ଟ୍ରାଙ୍କୁଲାଇଜ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଆଖପାଖ ଅଞ୍ଚଳରେ ଭିଡ଼ ହେଉଥିବାରୁ ବାଘ ବାହାରିଲେ ଅତର୍କିତ ଆକ୍ରମଣର ଅଶଶଙ୍କା ରହିଛି । ତେଣୁ ଭିଡ଼ ନ କରିବାକୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ସୁନ୍ଦରଗଡ଼ ଡିଏଫ୍ଓ କହିଛନ୍ତି, ବାଘକୁ ସୁରକ୍ଷିତ ଭାବେ ବାହାର କରିବାକୁ ପଦକ୍ଷେପ ନିଆଯାଇଛି । ବାଘର ଗତିବିଧି ଜାଣିବା ସେଠାରେ ଟ୍ରାପ୍ କ୍ୟାମେରା ଲଗାଯିବ । ଏହି ବାଘ ବାମରା ପଟୁ ଆସିଥିବା ଅନୁମାନ କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *