ରଣକ୍ଷେତ୍ର ହେଲା ପିଏମ୍ଜି
ଆଇନଶୃଙ୍ଖଳା ପ୍ରସଙ୍ଗରେ ବିଜେପିର ବିଧାନସଭା ଘେରାଉ
ଭୁବନେଶ୍ୱର, ୨୮ା୨(ବୁ୍ୟରୋ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ର୍ୟାଲି କରାଯାଇ ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା । ଏହି ସମୟରେ ବିଜେପି ଯୁବ ମୋର୍ଚ୍ଚା ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଆନେ୍ଦାଳନ-କାରୀମାନେ ପ୍ରଥମେ ଅଣ୍ଡା ଓ ଢେଲା ମାଡ କରିବାରୁ ପୁଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ସମଗ୍ର ଲୋୟର ପିଏମ୍ଜି ରଣକ୍ଷେତ୍ର ପାଲଟିଥିଲା । ଏଥିରେ ବିଜେପି ଯୁବ ମୋର୍ଚ୍ଚାର ଅନେକ ନେତା ଓ କର୍ମୀ ଏବଂ ୨୧ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଜଣେ ଏସିପି ଓ ଜଣେ ଇନ୍ସପେକ୍ଟରଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗଣ୍ଡଗୋଳରେ ୫ଟି ପୁଲିସ୍ ଗାଡି ଭାଙ୍ଗି ଚୂରମାର ହୋଇଛି । ଯୁବ ମୋର୍ଚ୍ଚା ସଭାପତି ଇରାଶୀଷ ଆଚାର୍ଯ୍ୟଙ୍କ ସହ ୨୨ ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି । ଆଇପିସି ଧାରା ୩୦୭ରେ ମାମଲା ରୁଜୁ କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦଳର ରାଜ୍ୟ କାର୍ଯ୍ୟାଳୟରୁ ବିଶାଳ ର୍ୟାଲି ବାହାରି ଥିଲା । ଯୁବ ମୋର୍ଚ୍ଚା ସଭାପତି ଇରାଶୀଷ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ । ସେଠାରେ ଦଳର ରାଜ୍ୟ ସମ୍ପାଦକ ଗୋଲକ ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, କାଳିନ୍ଦୀ ସାମଲ, ରାଜ୍ୟ ଯୁବ ମୋର୍ଚ୍ଚା ପ୍ରଭାରୀ ଶଶାଙ୍କ ରାଜ୍ ପ୍ରମୁଖ ଉପସ୍ଥିତ ରହି ସମାବେଶକୁ ସମ୍ବୋଧନ କରିଥିଲେ । ଏହାପରେ ନେତା ଓ କର୍ମୀ ବିଧାନସଭା ଘେରାଉ ଉଦ୍ୟମ କରିଥିଲେ । ପୁଲିସ୍ ଅଟକାଇବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ଦଳୀୟ କର୍ମୀଙ୍କ ପକ୍ଷରୁ ଅଣ୍ଡା ମାଡ କରାଯାଇଥିଲା । ପରିସ୍ଥିତି ଅଣାୟତ୍ତ ହେବା ଦେଖି ପୁଲିସ୍ ଲାଠି ଚାର୍ଜ କରିଥିଲା । ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ସମେତ ପ୍ରାୟ ୫୦ ରୁ ଅଧିକ ନେତା ଓ କର୍ମୀ ଆହତ ହୋଇଥିଲେ ।
ଆହତଙ୍କ ମଧ୍ୟରେ ଅନେକ ମହିଳା କର୍ମୀ ସାମିଲ । ବିକ୍ଷୋଭକାରୀମାନେ ପ୍ରତିକ୍ରିୟାଶୀଳ ହୋଇ ପୁଲିସ ଉପରକୁ ପଥର ମାଡ କରିବା ଦେଖାଯାଇଥିଲା । ଅନେକ ଆହତ କର୍ମୀଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଉ କେତେକ ଗିରଫଦାରୀ ଭୟରେ ଆଶୁ ଚିକିତ୍ସା କରାଇ ତୁରନ୍ତ ହସ୍ପିଟାଲରୁ ପଳାଇଥିବା ସୂଚନା ମିଳିଛି ।
ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶୀଷ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଦିନ ଦ୍ୱିପ୍ରହରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଗଲା । ସରକାର ପୁଲିସକୁ ଜନସାଧାରଣଙ୍କ ବିରୋଧରେ ବ୍ୟବହାର କରୁଛନ୍ତି । ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୬୭ ପ୍ରତିଶତ ଅପରାଧ ବଢିଛି । ତେଣୁ ବିଜେପି ଯୁବ ମୋର୍ଚ୍ଚା ଲଢେଇ ଆରମ୍ଭ କରିଛି । ଆଗକୁ ଲଢେଇ ଜାରି ରହିବ ।
ଅପରପକ୍ଷରେ ଭୁବନେଶ୍ୱର ଡିସିପି କହିଛନ୍ତି, ଆନେ୍ଦାଳନକାରୀଙ୍କ ପଥରମାଡରେ ୨୧ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ପୁଲିସର ୫ଟି ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହିଂସାକାଣ୍ଡ ଯୋଜନା ରଖି ଢେଲା ଓ ପଥର ମାଡ କରାଯାଇଥିଲା ।