ମହାପ୍ରସାଦ ଦର ତାଲିକା ନେଇ ସଂଶୟ

ପୁରୀ (ବୁ୍ୟରୋ): ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ହାରଜିତ୍ ଓ ଟିକେଟକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ବିଭିନ୍ନ ଦଳର ନେତା । ଅନ୍ତତଃ ଆଉ ମାତ୍ର ୭/୮ମାସ ଯେମିତି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜୁ । ଏଭଳି କୌଣସି ଘଟଣା ନ ଘଟୁ ଯାହା ପାଇଁ ଶାସକଦଳ ବଦ୍ନାମ ହେବାକୁ ପଡ଼ିବ । ଏମିତି ଆଶଙ୍କା ଏବଂ ଭୟର ଭଉଁରୀରେ ମହାପ୍ରସାଦ ଦର ନିର୍ଦ୍ଧାରଣ ପଡ଼ିଯାଇଥିବା ନେଇ ଚର୍ଚ୍ଚା ହେଉଛି । ଫଳରେ ଆସନ୍ତା ନିର୍ବାଚନ ପୂର୍ବରୁ ଆନନ୍ଦବଜାରରେ ମହାପ୍ରସାଦ ଦର ତାଲିକା ଲାଗିବା ଆଶା କ୍ଷୀଣ ବୋଲି ଆଲୋଚନା ହେଉଛି ।
ଶୃଙ୍ଖଳିତ ହେବ ଆନନ୍ଦବଜାର । କୌଣସି ଭକ୍ତ ଶୋଷଣର ଶିକାର ହେବେ ନାହିଁ । ମହାପ୍ରସାଦ କିଣିବା ବେଳେ ଦରକୁ ନେଇ କାହା ମନରେ ଯେପରି କୌଣସି ପ୍ରକାର ଭାବନା ନ ଆସିବ ସେଥିପାଇଁ ଆନନ୍ଦବଜାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଦର ତାଲିକା ଲଗାଇବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା । ପ୍ରଥମେ ଦର ନିର୍ଦ୍ଧାରଣ ଲାଗି ପ୍ରକି୍ରୟା ଆରମ୍ଭ କରିଥିଲା ପ୍ରଶାସନ । ଏଥିଲାଗି ମଧ୍ୟ ସ୍ୱତନ୍ତ୍ର ଭାବେ ମହାପ୍ରସାଦ ପ୍ରସ୍ତୁତ କରାଯାଇଥିଲା । ଏହାମଧ୍ୟରେ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଏପରିକି ମହାପ୍ରସାଦ ଲାଗି ସମସ୍ତ ଦ୍ରବ୍ୟର ଦର ମଧ୍ୟ ସ୍ଥିରୀକୃତ ହୋଇଥିଲା । ଏହା ସତ୍ତ୍ୱେ ତାହାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବକୁ ନେଇ ସାଧାରଣ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
ଅନ୍ୟପକ୍ଷରେ ମହାପ୍ରସାଦ ଦର ତାଲିକାକୁ ନେଇ ଉଦ୍ୟମ ଆରମ୍ଭ କଲେ ଗୋଟିଏ ଗୋଷ୍ଠୀ ପ୍ରଶାସନକୁ ସହାୟତା କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ତାହାକୁ ବିରୋଧ କରିବ । ଫଳରେ ଏହାକୁ ନେଇ ବଡ଼ ବିବାଦ ଶ୍ରୀମନ୍ଦିରରେ ହୋଇପାରେ । ମହାପ୍ରସାଦର ଦର ବୃଦ୍ଧି ହେଲେ ସାଧାରଣ ଭକ୍ତଙ୍କ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବ । ସେହିଭଳି ଦର କମ୍ ରହିଲେ ସୁଆର ନିଯୋଗ ମଧ୍ୟ ଅସନ୍ତୋଷ ପ୍ରକାଶ କରିବ । ଏଭଳି ଆଶଙ୍କାରେ ମହାପ୍ରସାଦ ଦର ନିର୍ଦ୍ଧାରଣ ବିଳମ୍ବ ହେଉଥିବା ନେଇ ସହରରେ ଆଲୋଚନା ଜୋର୍ ଧରିଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *